କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ଜାରି କଲା ଇସ୍ତାହାର: କ୍ଷମତାକୁ ଆସିଲେ ବର୍ଷକୁ ୩ଟି ମାଗଣା ଗ୍ୟାସ ସିଲିଣ୍ଡର, ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ

ଭୁବନେଶ୍ୱର,୧/୫(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦିନ ପାଖାଉଥିବାବେଳେ ଆଜି ନିର୍ବାଚନୀ ଇସ୍ତାହାର ଜାରି କରିଛି ବିଜେପି । ସୋମବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବେଙ୍ଗାଲୁରୁରେ ଦଳର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା ମଧ୍ୟ ଉପସ୍ଥିତ ରହିଥିଲେ ।

ବିଜେପି ପକ୍ଷରୁ ଜାରି ଇସ୍ତାହାର ଅନୁଯାୟୀ, କର୍ଣ୍ଣାଟକରେ ବିଜେପି ସରକାର ଆସିଲେ ରାଜ୍ୟର ବିପିଏଲ ପରିବାରକୁ ବାର୍ଷିକ ୩ଟି ମାଗଣା ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯିବ । ୟୁଗାଡି, ଗଣେଷ ଚତୁର୍ଥୀ ଓ ଦୀପାବଳି ଅବସରରେ ଏହି ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ । ଏହାସହ ପୋଷଣ ସ୍କିମ ଜରିଆରେ ପ୍ରତ୍ୟେକ ବିପିଏଲ ପରିବାରକୁ ଦିନକୁ ଅଧ ଲିଟର ନନ୍ଦିନୀ କ୍ଷୀର ଓ ୫ କିଲୋ ଶ୍ରୀ ଅନ୍ନ ଦିଆଯିବ।

ଏହାସହ ଦଳ ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ ବା ସମାନ ନାଗରିକ ସହିଂତା ଲାଗୁ କରିବ। ଜାତୀୟ ନାଗରିକ ପଞ୍ଜୀକରଣ ବା ଏନଆରସି ମଧ୍ୟ ବିଜେପି କର୍ଣ୍ଣାଟକାରେ କାର୍ଯ୍ୟକାରୀ କରିବ ବୋଲି କହିଛି। ଏହାଦ୍ୱାରା ରାଜ୍ୟରେ ବେଆଇନ ଭାବେ ରହୁଥିବା ଲୋକଙ୍କୁ ବିଦା କରାଯିବ। ସେହିପରି ନିର୍ମାଣ ଶିଳ୍ପରେ ୧୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ଚାକିରି ଯୋଗାଇ ଦିଆଯିବ । କର୍ଣ୍ଣାଟକ ଆପାର୍ଟମେଣ୍ଟ ଓନରସିପ ଆଇନ, ୧୯୭୨ରେ ପରିବର୍ତ୍ତନ କରାଯିବ ବୋଲି ନଡ୍ଡା ପ୍ରତିଶ୍ରୁତି ଦେଇଛନ୍ତି ।

ନଡ୍ଡା ନିଜ ଭାଷଣରେ ଆହୁରି କହିଛନ୍ତି, ଆଗାମୀ ପିଢି ପାଇଁ ବେଙ୍ଗାଲୁରୁକୁ ବିକାଶ କରାଯିବ ଏଥିପାଇଁ ଷ୍ଟେଟ କ୍ୟାପିଟାଲ ରିଜିଅନର ଟ୍ୟାଗ ପ୍ରଦାନ କରାଯିବ । ଏହାସହ କହିଥିଲେ ବେଙ୍ଗାଲୁରୁକୁ ଡିଜିଟାଲ ଇନୋଭେସନର ଗ୍ଲୋବାଲ ହେବ । ପରିବହନ ନେଟଓ୍ଵାର୍କକୁ ସୁଦୃଢ କରାଯିବା ସହ ପରିବେଷର ବିକାଶ କ୍ଷେତ୍ରରେ କାମ କରାଯିବ । ନଡ୍ଡା କହିଥିଲେ କର୍ଣ୍ଣାଟକର ପାର୍ଟି ଇସ୍ତାହାରକୁ ଏସି ରୁମରେ ବସି ତିଆରି କରାଯାଇନି । ଏଥିପାଇଁ ପରିଶ୍ରମ କରାଯାଇଛି । ବିଜେପି କାର୍ଯ୍ୟକର୍ତ୍ତା କର୍ଣ୍ଣାଟକର ପ୍ରତ୍ୟେକ କୋଣକୁ ପରିଦର୍ଶନ କରି ଏହାକୁ ତିଆରି କରିଛନ୍ତି ବୋଲି ନଡ୍ଡା କହିଛନ୍ତି।

Related Posts