ଭୁବନେଶ୍ୱର,୧/୫(ସତ୍ୟପାଠ ବ୍ୟୁରୋ): ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲାରେ ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ। ସେପଟେ ଏହି ମାମଲାରେ ପରବର୍ତୀ ଶୁଣାଣି ଆସନ୍ତା ମେ ୧୭ରେ ହେବ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ଏହି ମାମଲାରେ ଗତ ମାର୍ଚ୍ଚ ୭ ରବିବାର ରାତିରେ ପୋଲିସ ସିନ୍ ରିକ୍ରିଏସନ କରିଥିଲା।ସେହି ସମୟରେ ପୋଲିସ ଆଇଜି ଉପସ୍ଥିତ ଥିଲେ।ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରତିମାନ ଦେ ଓ ମାନସ ଟୁ଼ଡୁଙ୍କୁ ପାଓ୍ବାର କେନାଲ ବ୍ରିଜ ଉପରକୁ ନେଇ ସିନ ପୋଲିସ ରିକ୍ରିଏସନ କରିଥିଲା। ଏହା ସହିତ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ମଧ୍ୟ ପୋଲିସର ହସ୍ତଗତ ହୋଇଥିଲା। ରାଜ୍ୟ ଫରେନିସ୍ ସାଇନ୍ସ ପରୀକ୍ଷାଗାର ସିଲ୍ କଭରରେ ବୁର୍ଲା ପୋଲିସକୁ ସେହି ରିପୋର୍ଟ ହସ୍ତାନ୍ତର କରିଥିଲା। ବୁର୍ଲା ପୋଲିସର ଜଣେ କନେଷ୍ଟବଳ ଏହି ରିପୋର୍ଟ ଆଣି ଥାନାଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। ମାର୍ଚ୍ଚ ୧୦ ବୁଧବାର ଏସପି ବୁର୍ଲା ଥାନା ଗସ୍ତ କରି ଏହି ରିପୋର୍ଟର ତର୍ଜମା କରିବା ପରେ ପରିବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯିବ ବୋଲି କୁହାଯାଇଥିଲା।
ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ୨୮ରେ ଭିସୁଟ୍ର ୧୪ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଡିଗ୍ରୀ ପ୍ରମାଣପତ୍ର ଗ୍ରହଣ କରିଥିଲେ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ। ପ୍ରାୟ ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ସହିତ ପିସି ବ୍ରିଜ୍ ଅଭିମୁଖେ ବୁଲିବାକୁ ଯାଇଥିଲେ। ଏହାପରେ ରାତି ପ୍ରାୟ ୮ରୁ ୯ଟା ମଧ୍ୟରେ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ଆଗରେ ହିଁ ଚିନ୍ମୟୀ ପାୱାର ଚ୍ୟାନେଲକୁ ଡେଇଁ ପଡ଼ିଥିଲେ ବୋଲି କୁହାଯାଇଥିଲା। ବୁର୍ଲା ପୋଲିସ ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ଚିନ୍ମୟୀଙ୍କ କୌଣସି ପତ୍ତା ମିଳି ନଥିଲା। ନିଖୋଜ ହେବାର ୧୨ ଘଣ୍ଟା ପରେ ବୁଧବାର ପାୱାର୍ ଚ୍ୟାନେଲ ସାଇଫନ୍ ପାଖରୁ ବୁର୍ଲା ଅଗ୍ନିଶମ ବାହିନୀ ତାଙ୍କ ମୃତଦେହ ଉଦ୍ଧାର କରିଥିଲା।





