ଭୁବନେଶ୍ୱର,୧/୫(ସତ୍ୟପାଠ ବ୍ୟୁରୋ): ଛାଡ଼ପତ୍ରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଏଣିକି ତତ୍କାଳ ହୋଇପାରିବ ବିବାହ ବିଚ୍ଛେଦ । ସମାଧାନର କୌଣସି ବାଟ ବଞ୍ଚିନଥିଲେ ତତ୍କାଳ ହୋଇପାରିବ ଛାଡ଼ପତ୍ର । କୋର୍ଟ ସୋମବାର କହିଛନ୍ତି ଯେ ଯଦି ପତି-ପତ୍ନୀଙ୍କ ସମ୍ପର୍କ ଭାଙ୍ଗିଯାଇଛି ଏବଂ ସମାଧାନର କୌଣସି ବାଟ ନାହିଁ ତେବେ ସେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪୨ ଆଧାରରେ ବିନା ଫ୍ୟାମିଲି କୋର୍ଟ ପଠାଇ ଛାଡପତ୍ର ମଞ୍ଜୁର କରିପାରିବେ ।ଏଥିନେଇ ନ୍ୟାୟିକ ପ୍ରକ୍ରିୟା ପାଇଁ ୬ ମାସ ପାଇଁ ଅପେକ୍ଷା କରିବା ବାଧ୍ୟତାମୂଳକ ହେବନାହିଁ ।
କୋର୍ଟ କହିଛନ୍ତି, ସେ ସେହି ଫ୍ୟାକ୍ଟର୍ସ ନିର୍ଦ୍ଧାରିତ କରିଛନ୍ତି ଯାହା ଆଧାରରେ ବିବାହକୁ ସମାଧାନର ସମ୍ଭାବନାଠୁ ଉପରେ ମଣାଯିବ । ଏଥିସିହତ ହିଁ କୋର୍ଟ ଏହା ମଧ୍ୟ ସୁନିଶ୍ଚିତ କରିବେ ଯେ ପତି-ପତ୍ନୀଙ୍କ ମଧ୍ୟରେ ସମାନତା କେମିତି ରହିବ । ଏଥିରେ ମେଣ୍ଟେନାନ୍ସ, ଏଲିମନି ଏବଂ ପିଲାଙ୍କ କଷ୍ଟଡି ସାମିଲ ଅଛି । ଜଷ୍ଟିସ ଏସକେ କୌଲ, ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ଏଏସ୍ ଅକା ଏବଂ ଜଷ୍ଟିସ ଜେକେ ମହେଶ୍ୱରୀଙ୍କ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଏହି ପ୍ରସଙ୍ଗକୁ ଏକ ସାମ୍ବିଧାନିକ ପୀଠକୁ ଏହା ବିଚାର କରିବା ପାଇଁ ପଠାଯାଇଥିଲା ଯେ କଣ ହିନ୍ଦୁ ବିବାହ ଅଧିନିୟମର ଧାରା ୧୩ମ ଆଧାରରେ ଆପୋସ ସହମିତରେ ଛାଡ଼ପତ୍ରର ଅପେକ୍ଷା ଅବଧିକୁ କ୍ଷମା କରାଯାଇପାରିବ । ଅବଶ୍ୟ ଖଣ୍ଡପୀଠ ଏହା ମଧ୍ୟ ବିଚାର କରିବାର ଫୈସଲା କରିଛନ୍ତି ଯେ କଣ ସମ୍ପର୍କ ସ୍ଥାପନ ସମ୍ଭବ ନହେଲେ ବିବାହକୁ ରଦ୍ଦ କରାଯାଇପାରିବ ।
ସୂଚନାଯୋଗ୍ୟ ଯେ, ୨୦୧୪ରେ ହୋଇଥିବା ଏକ ମାମଲାର ଶୁଣାଣୀ ବେଳେ ୫ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ୨୦୧୪ରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହେଇଥିଲା । ଯେଉଁଥିରେ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ତୁରନ୍ତ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ଶିଳ୍ପା ଶୈଳେସ ଓ ବରୁନ ଶ୍ରୀନିବାସନ ।





