ଭୁବନେଶ୍ୱର,୯/୫(ସତ୍ୟପାଠ ବ୍ୟୁରୋ): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହୋଇଛନ୍ତି।ଆଜି ସେ ଏକ ମାମଲାରେ ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଯାଉଥିଲେ। ମାତ୍ର କୋର୍ଟ ବାହାରେ ହିଁ ତାଙ୍କୁ ଗିରଫ କରାଯାଇଛି। ଏହାକୁ ନେଇ ତାଙ୍କ ଦଳ ପିଟିଆଇର କର୍ମୀ ଓ ନେତାମାନେ ବିକ୍ଷୋଭ ଆରମ୍ଭ କରି ଦେଇଛନ୍ତି। ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ଗିରଫ କରିଥିବା ଜଣାପଡିଛି।
ତେବେ ନିକଟରେ ଇମ୍ରାନ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଅଧିକାରୀ ମେଜର ଜେନେରାଲ ଫୈସଲ ନସିରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। କହିଥିଲେ ନସିର ତାଙ୍କୁ ହତ୍ୟା କରିବା ଲାଗି ଉଦ୍ୟମ କରୁଛନ୍ତି।ଇମ୍ରାନଙ୍କ ଏପରି ବୟାନ ଲାଗି ପାକିସ୍ତାନୀ ସେନା ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲା।
ପାକିସ୍ତାନ ଗଣମାଧ୍ୟମ ଅନୁସାରେ ଇମ୍ରାନଙ୍କୁ ଇସ୍ଲାମାବାଦ ହାଇକୋର୍ଟ ବାହାରେ ରେଞ୍ଜର୍ସ ଅଲ-କାଦିର ଟ୍ରଷ୍ଟ ମାମଲାରେ ଗିରଫ କରିଛନ୍ତି। ସେପଟେ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ଗିରଫଦାରୀ ନେଇ ଏକ ଟ୍ୱିଟ୍ ପୋଷ୍ଟ କରିଛି। ଏଥିରେ ଇମ୍ରାନଙ୍କ ଜାମିନ ପାଇଁ ଯାଇଥିବା ତାଙ୍କ ଓକିଲ ଗୁରୁତର ଆହତ ହୋଇଥିବା ଦେଖାଯାଇଛି। ଇମ୍ରାନ ତାଙ୍କ ବିରୋଧରେ ଆଗତ କେତେକ ମାମଲାରେ ଜାମିନ ନିବେଦନ ଲାଗି କୋର୍ଟକୁ ଯାଇଥିବା ବେଳେ ପାକ୍ ରେଞ୍ଜର୍ସ ତାଙ୍କୁ ଗିରଫ କରିଥିବା ସୂଚନା ହସ୍ତଗତ ହୋଇଛି।





