ଭୁବନେଶ୍ୱର,୧୨/୫(ସତ୍ୟପାଠ ବ୍ୟୁରୋ): ଉପ-ରାଜ୍ୟପାଳ ନା ଦିଲ୍ଲୀ ସରକାର? ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ଉପରେ କିଏ ନିୟନ୍ତ୍ରଣ ରଖିବେ, ସେ ନେଇ ଗୁରୁବାର ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିବା ପରେ ଶୁକ୍ରବାର ପୁଣି ଆରମ୍ଭ ହୋଇଯାଇଛି ବିବାଦ । ସର୍ବୋଚ୍ଚ ନ୍ୟାୟାଳୟ ଖଣ୍ଡପୀଠଙ୍କ ରାୟ ଆସିବାର ଗୋଟିଏ ଦିନ ପରେ ଦିଲ୍ଲୀର ଅରବିନ୍ଦ କେଜରିଓ୍ବାଲ ସରକାର ପୁଣି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଆଉ ଅଭିଯୋଗ ଆଣିଛନ୍ତି ଯେ, କେନ୍ଦ୍ର ସରକାର ଅଧିକାରୀଙ୍କ ବଦଳି କରିବାକୁ ଦେଉନାହାନ୍ତି।
ସେପଟେ ଦିଲ୍ଲୀ ସରକାରଙ୍କ ଏପରି ଅଭିଯୋଗ ପରେ ଶୁଣାଣି ପାଇଁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ. ଚନ୍ଦ୍ରଚୂଡ କହିଛନ୍ତି, ‘ଆସନ୍ତା ସପ୍ତାହରେ ବେଞ୍ଚ ଗଠନ କରାଯାଇ ମାମଲାର ଶୁଣାଣି କରାଯିବ’।
ଗୁରୁବାର ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । ଖଣ୍ଡପୀଠ କହିଥିଲେ କି, ପ୍ରଶାସନିକ ଅଧିକାରୀଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ରହିବ । କିନ୍ତୁ ପୋଲିସ, ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପୂର୍ବଭଳି କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ରହିବ ।
ସୁପ୍ରିମକୋର୍ଟଙ୍କ ରାୟ ପରେ କେଜରିଓ୍ବାଲ ସରକାର ଜଣେ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରିଥିଲେ । କେଜରିଓ୍ବାଲ ସରକାରରେ ମନ୍ତ୍ରୀ ଥିବା ସୌରଭ ଭରଦ୍ବାଜ, ନିଜ ବିଭାଗର ସଚିବ ଆଶୀଷ ମୋରେଙ୍କୁ ବଦଳି କରିଥିଲେ । ତାଙ୍କ ସ୍ଥାନରେ ଅନିଲ କୁମାର ସିଂହଙ୍କୁ ସେବା ବିଭାଗର ନୂତନ ସଚିବ ଭାବେ ନିଯୁକ୍ତି ଦେଇଥିଲେ । କିନ୍ତୁ ଆଶୀଷ ମୋରେଙ୍କ ବଦଳିକୁ ଅବୈଧ ଘୋଷଣା କରି ଅନୁମତି ଦେଇନାହାନ୍ତି ଉପ-ରାଜ୍ୟପାଳ । ସଚିବଙ୍କ ବଦଳି ଅବୈଧ, ମନମାନୀ ଓ ନିର୍ଦ୍ଧାରିତ ଦିଶାନିର୍ଦ୍ଦେଶ ପାଳନ କରା ନଯାଇ କରାଯାଇଛି ବୋଲି ଉପ-ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିବା ସୂଚନା ମିିଳିଛି । ଏହା ସହିତ ଜଣେ ସଚିବଙ୍କ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ କେବଳ ସିଭିଲ ସର୍ଭିସ୍ ସେବା ବୋର୍ଡ ଦ୍ବାରା ତାହା କରାଯାଇପାରିବ । ଏହି ବୋର୍ଡର ପ୍ରମୁଖ ମୁଖ୍ୟ ସଚିବ ଓ ଦୁଇ ଜଣ ବରିଷ୍ଠ ସଚିବ ରହିଛନ୍ତି । ତେବେ ଏଭଳି ପ୍ରକ୍ରିୟା ପାଳନ କରାନଯାଇ ଆଶୀଷ ମୋରେ ବଦଳି କରାଯାଇଥିଲା ।





