ଶିବକୁମାର ନା ସିଦ୍ଦରମୈୟା, କିଏ ହେବ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ?; ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆରମ୍ଭ ହେଲା ପୋଷ୍ଟର୍‌ ୱାର୍

ଭୁବନେଶ୍ୱର,୧୪/୫(ସତ୍ୟପାଠ ବ୍ୟୁରୋ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ସହ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି କଂଗ୍ରେସ। ତେବେ ଦଳର ବିପୁଳ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ଦଳରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ‌ହୋଇଛି। ଏହି କଥା ଆଜି ରାଜଧାନୀ ବେଙ୍ଗାଲୁରୁର ବାଟଘାଟରେ ଲାଗିଥିବା ପୋଷ୍ଟର୍‌ରୁ ଜଣାପଡ଼ିଛି। ଆଜି ସକାଳୁ ଦଳର ବରିଷ୍ଠ ନେତା ତଥା କର୍ଣ୍ଣାଟକ କଂଗ୍ରେସର ମୁଖ୍ୟ ଡି. କେ. ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରି କେତେକ ସମର୍ଥକ ପୋଷ୍ଟର୍‌ ଲଗାଇଥିବା ବ‌େଳେ ବିଦାୟୀ ବିରୋଧୀ ଦଳ ନେତା ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଆଉ କେତେକ ସମର୍ଥକ ଦାବି କରି ପୋଷ୍ଟର୍‌ ମାରିଛନ୍ତି।

ରାଜ୍ୟର ଏହି ଦୁଇଜଣ ବରିଷ୍ଠ ନେତାଙ୍କ ମଧ୍ୟରୁ କଂଗ୍ରେସ ଜଣକୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିବା ପାଇଁ ଚୟନ କରିବ। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଲାଗି ଆଜି ସନ୍ଧ୍ୟାରେ କଂଗ୍ରେସ ତା’ର ବିଧାୟକମାନଙ୍କର ବୈଠକ ଡକାଇଛି। ଏହି ବୈଠକ ସନ୍ଧ୍ୟା ୬ଟା ବେଳେ ବେଙ୍ଗାଲୁରୁସ୍ଥିତ ଶାଙ୍ଗ୍‌ରି-ଲା ହୋଟେଲ୍‌ରେ ବସିବ ବୋଲି ରାଜ୍ୟ କଂଗ୍ରେସ ମୁଖ୍ୟ ଡି. କେ. ଶିବକୁମାର କହିଛନ୍ତି। ଯାହା ଜଣାପଡୁଛି, ରାଜ୍ୟର ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ବ କଂଗ୍ରେସର ଜାତୀୟ ଅଧ୍ୟକ୍ଷଙ୍କ ହାତରେ ଛାଡ଼ିବାକୁ ଏହି ବୈଠକରେ ପ୍ରସ୍ତାବନା ପାସ୍‌ କରାଯିବ। କିନ୍ତୁ, ଆଜି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ନାହିଁ ବୋଲି ବିଶେଷସୂତ୍ରରୁ ଜଣାପଡିଛି। ହେଲେ ଏ ସଂକ୍ରାନ୍ତରେ ଆଜି ବିଧାୟକମାନଙ୍କର ମତାମତ ଗ୍ରହଣ କରାଯିବ।ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଭୟ ଡି. କେ. ଶିବକୁମାର ଓ ସିଦ୍ଦରମୈୟା ଆଶାୟୀ ଥିବାରୁ ଦଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ତେବେ କଂଗ୍ରେସର ଏହି ବିପୁଳ ବିଜୟ ପଛରେ ଉଭୟ ନେତାଙ୍କ ହାତ ଥିବା କୁହାଯାଉଛି। ଉଭୟ ମିଳିତ ଭାବରେ ଲଢ଼ିବା ଦ୍ଵାରା ଦଳ ବିଜେପିକୁ ମାତ୍ ଦେବାରେ ସଫଳ ହୋଇଛି। ବର୍ତ୍ତମାନ ବିଜୟ ପରେ ଦଳର ହାଇକମାଣ୍ଡ କାହା ମୁଣ୍ଡରେ ମୁଖ୍ୟମନ୍ତ୍ରୀ ପଦର ମୁକୁଟ ପିନ୍ଧାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Related Posts