ଭୁବନେଶ୍ୱର,୧୫/୫(ସତ୍ୟପାଠ ବ୍ୟୁରୋ): ବିଜେପିକୁ ମାତ ଦେଇ ସବୁ ଏକଜିଟ୍ ପୋଲକୁ ଭୁଲ ପ୍ରମାଣିତ କରି କର୍ଣ୍ଣାଟକରେ ଏକତରଫା ବିଜୟ ସହ ସରକାର ଗଠନ କରିବାକୁ ଯାଉଛି କଂଗ୍ରେସ। ତେବେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ପାଇଁ ହିଁ କଂଗ୍ରେସର ଏହି ବିପୁଳ ବିଜୟ ସମ୍ଭବ ହୋଇ ପାରିଛି ବୋଲି ଦଳର ନେତା ଓ କର୍ମୀମାନେ କହୁଛନ୍ତି।
ତେବେ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଯେତେବେଳେ ଗତ ସେପ୍ଟେମ୍ବର ମାସରେ କନ୍ୟାକୁମାରୀଠାରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରାଯାଇଥିଲା, ସେତେବେଳେ ତା’ର ଦୁଇଟି ଉଦ୍ଦେଶ୍ୟ ଥିଲା। ପ୍ରଥମଟି ଆର୍ଏସ୍ଏସ୍ ଓ ବିଜେପିର ବିଭାଜନମୂଳକ ଓ ସାମ୍ପ୍ରଦାୟିକ ରାଜନୀତିକୁ ମାତ ଦେବା ଏବଂ ଦ୍ଵିତୀୟ ଟି ନିର୍ବାଚନରେ ସଫଳତା ପାଇଁ କଂଗ୍ରେସ କ୍ୟାଡରମାନଙ୍କୁ ସକ୍ରିୟ କରିବା।
କଂଗ୍ରେସ ତା’ର ଏହି ଦୁଇଟି ଲକ୍ଷ୍ୟ ହାସଲରେ ସଫଳ ହୋଇଛି ବୋଲି କର୍ଣ୍ଣାଟକ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି। କଂଗ୍ରେସ ଏବେ ବିଜୟ ଉତ୍ସବ ମନାଉଥିବା ବେଳେ ଏହି ବିଜୟ ପାଇଁ ସର୍ବତ୍ର ଭାରତ ଯୋଡ଼ୋ ଯାତ୍ରାକୁ ଶେୟ ଦିଆଯାଉଛି।
ପ୍ରଥମତଃ, ରାହୁଲଙ୍କ ଭାରତ ଯୋଡ ଯାତ୍ରା ଦୀର୍ଘ ୨୧ ଦିନ ଧରି କର୍ଣ୍ଣାଟକରେ ଚାଲିଥିଲା। ଏହା ରାଜ୍ୟରେ ନିର୍ବାଚନୀ ସଫଳତାର ମୂଳଦୁଆ ପକାଇଥିଲା। ଯେଉଁ ୭ଟି ଜିଲ୍ଲାରେ ଯାତ୍ରା ଗତି କରିଥିଲା ସେଗୁଡ଼ିକ ହେଉଛି – ବଲାରି, କାମରାଜନଗର, ଚିତ୍ରଦୁର୍ଗା, ମାଣ୍ଡ୍ୟା, ମହୀଶୂର, ରାୟଚୁର ଓ ତୁମକୁରୁ। ଏହିସବୁ ଜିଲ୍ଲାର ୫୧ଟି ଆସନରୁ କଂଗ୍ରେସ ୩୭ଟି ଆସନ ହାତେଇ ପାରିଛି, ଯେତେବେଳେ କି ୨୦୧୮ରେ କଂଗ୍ରେସ ଏସବୁ ଜିଲ୍ଲାରୁ ମାତ୍ର ୧୮ଟି ଆସନ ପାଇଥିଲା।
ଦ୍ବିତୀୟତଃ, ରାହୁଲ ଗାନ୍ଧିଙ୍କ ଏହି ଜନସମ୍ପର୍କ ଅଭିଯାନ କେବଳ ସାଧାରଣ ଲୋକଙ୍କ ପ୍ରତି ଉଦ୍ଦିଷ୍ଟ ନ ଥିଲା, ଏହା ଦଳର କର୍ମୀଙ୍କ ପ୍ରତି ମଧ୍ୟ ଉଦ୍ଦିଷ୍ଟ ଥିଲା। ଏହି କର୍ମୀମାନଙ୍କ ସକ୍ରିୟତା ବୃଦ୍ଧି ଯୋଗୁ କଂଗ୍ରେସ ଏପରି ସଫଳତା ପାଇପାରିଲା। ପଦଯାତ୍ରା ସମୟରେ ମହୀଶୂରରେ ପ୍ରବଳ ବର୍ଷା ଭିତରେ ରାହୁଲଙ୍କ ଉଦ୍ବୋଧନର ଭିଡ଼ିଓ ଲୋକଙ୍କ ଭିତରେ ଯାତ୍ରାର ସ୍ଥାୟୀ ପ୍ରତିଚ୍ଛବି ଆଙ୍କିଦେଇଥିଲା।
ସବୁ ପରେ ଭାରତ ଯୋଡ଼ୋ ଯାତ୍ରା ଦଳ ଭିତରେ ଏକତା ଆଣିପାରିଥିଲା। ଏହା ମଧ୍ୟ କର୍ଣ୍ଣାଟକ ନିର୍ବାଚନ ପାଇଁ ଏକ ନ୍ୟାରେଟିଭ୍ ସୃଷ୍ଟି କରିଥିଲା। କର୍ଣ୍ଣାଟକର ଜନସାଧାରଣଙ୍କ ସହ ରାହୁଲ ଗାନ୍ଧି ବାର୍ତ୍ତାଳାପ କରିବାର ସୁଯୋଗ ପାଇଥିଲେ। ରାହୁଲ ଗାନ୍ଧି ଜନସାଧାରଣଙ୍କ ସମସ୍ୟା ବୁଝି ସେମାନଙ୍କୁ ବିଭିନ୍ନ ଗ୍ୟାରେଣ୍ଟି ଓ ପ୍ରତିଶ୍ରୁତି ଦେଇଥିଲେ।
ପଦଯାତ୍ରା ରାହୁଲଙ୍କ ପଦଯାତ୍ରା ଅତିକ୍ରମ କରିଥିବା କର୍ଣ୍ଣାଟକର ୭ଟି ଜିଲ୍ଲାର ସମସ୍ତ ୫୧ଟି ନିର୍ବାଚନମଣ୍ଡଳୀରେ ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାର ପ୍ରଭାବ ପଡ଼ିଥିବା ବେଳେ ବିଶେଷତଃ ୨୦ଟି ନିର୍ବାଚନମଣ୍ଡଳୀରେ ଏହାର ପ୍ରଦର୍ଶନ ଅତି ଉଚ୍ଚକୋଟୀର ଥିଲା। ଏହି ୨୦ଟି ନିର୍ବାଚନମଣ୍ଡଳୀରୁ ୨୦୧୮ରେ କଂଗ୍ରେସ ମାତ୍ର ୫ଟି ଆସନ ପାଇଥିବା ବେଳେ ଏଥର ତାହା ୧୫କୁ ବୃଦ୍ଧି ପାଇଥିଲା। ଏହି ୨୦ଟି ଆସନରୁ ପୂର୍ବଥର ବିଜେପି ୯ଟି ଆସନ ପାଇଥିବା ବେଳେ ଏଥର ମାତ୍ର ୨ଟି ପାଇଛି। ସେହିପରି ଜେଡିଏସ୍ ପୂର୍ବରୁ ୬ ଆସନ ପାଇଥିବା ବେଳେ ଏଥର ମାତ୍ର ୩ଟି ଆସନ ପାଇପାରିଛି।ଯାହା କର୍ଣ୍ଣାଟକ ନିର୍ବାଚନରେ ଭାରତ ଯୋଡ଼ ଯାତ୍ରାର ପ୍ରଭାବ ସମ୍ପର୍କରେ ସ୍ପଷ୍ଟ କରୁଛି।
ତେବେ ରାହୁଲଙ୍କ ପଦଯାତ୍ରା ଅତିକ୍ରମ କରିଥିବା ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ଚଳିତ ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଗୋଟିଏ ସମୟରେ କଂଗ୍ରେସ ମୁକ୍ତ ଭାରତର ସ୍ବପ୍ନ ଦେଖୁଥିବା ବିଜେପି କର୍ଣ୍ଣାଟକ ପରାଜୟ ପରେ ସଂପୂର୍ଣ୍ଣ ଦକ୍ଷିଣ ଭାରତରୁ ମୁକ୍ତ ହୋଇଯାଇଛି। ଏଭଳି ସ୍ଥିତିରେ ଆଗକୁ ଅନୁଷ୍ଠିତ ହେବାକୁ ଥିବା ହିନ୍ଦୀ ଭାଷୀ ପ୍ରଦେଶ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରାର କେତେ ପ୍ରଭାବ ପଡୁଛି ଓ ଏହାକୁ ବିଜେପି କିଭଳି ପ୍ରତିହତ କରୁଛି ତାହା ଦେଖିବାକୁ ବାକି ରହିଲା।





