ଭୁବନେଶ୍ୱର,୧୬/୫(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରରୁ ଦୁବାଇକୁ ସିଧା ଉଡ଼ିଲା ବିମାନ। ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପିତ କରିଛନ୍ତି। ପ୍ରଥମ ଦିନରୁ ଫୁଲ୍ କାପାସିଟିରେ ଯାତ୍ରା କରିଛି ଇଣ୍ଡିଗୋ ବିମାନ। ୧୭୦ ଯାତ୍ରୀଙ୍କୁ ଧରି ଦୁବାଇ ଅଭିମୁଖେ ଇଣ୍ଡିଗୋର ଏକ ବିମାନ ଉଡ଼ିଥିବା ବେଳେ, ତା’ ପୂର୍ବରୁ ଦୁବାଇରୁ ୧୭୪ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରେ ପହଞ୍ଚିଥିଲା। ପୂର୍ବରୁ ବିଭିନ୍ନ ସିଟି ଦେଇ ଦୁବାଇ ଯାତ୍ରା କରିବାକୁ ପ୍ରାୟ ୨୪ ଘଣ୍ଟା ଲାଗୁଥିଲା। ଏବେ କିନ୍ତୁ ମାତ୍ର ୪ ଘଣ୍ଟା ଲାଗିବ। ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ଏଭଳି ସପ୍ତାହକୁ ୩ ଥର ବିମାନ ଚାଲିବ।
ଓଡ଼ିଶାରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିବାବେଳେ ସେପଟେ ତେଜିଛି ରାଜନୀତି। କାରଣ ଭୁବନେଶ୍ୱରରୁ ଦୁବାଇ ଅଭିମୁଖେ ଉଡ଼ିଥିବା ପ୍ରଥମ ବିମାନରେ ୧୭୦ ଯାତ୍ରୀଙ୍କ ଭିତରୁ ପ୍ରାୟ ୭୦ ଜଣ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ଅନ୍ୟ ନିମନ୍ତ୍ରିତ ଅତିଥି ଥିଲେ। ଯାହାଙ୍କ ଭିତରେ ଅଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଦେବୀ ମିଶ୍ର, ଅରୁଣ ସାହୁ, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ର ସାରଥୀ ବେହେରା, ଦିବ୍ୟଶଙ୍କର ମିଶ୍ର, ବ୍ୟୋମକେଶ ରାୟ, ସଞ୍ଜୀବ ମଲ୍ଲିକ, ଦେବୀ ରଞ୍ଜନ ତ୍ରିପାଠୀ, ରୁଦ୍ର ମହାରଥୀ, ସୁଶାନ୍ତ ରାଉତ ଓ ବିକ୍ରମ ପଣ୍ଡା ପ୍ରମୁଖ। କେବଳ ଏମାନେ ନୁହନ୍ତି, ଏମାନଙ୍କ ଭିତରୁ କିଛି ନେତା ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ପ୍ରଥମ ଫ୍ଲାଇଟରେ ଦୁବାଇ ନେଇଛନ୍ତି। ଏମାନଙ୍କ ବ୍ୟତୀତ ଫାଇଭ୍ ଟି ସଚିବ, ଉନ୍ନୟନ କମିଶନର ଓ ଓଡ଼ିଶା ପରିବାରର ନିର୍ଦ୍ଦେଶକ ଦୁବାଇ ଗସ୍ତ କରିଛନ୍ତି। ଏହି ନେତା ଓ ଅଫିସରମାନେ ଆସନ୍ତା ୧୬ ଓ ୧୭ ତାରିଖରେ ଦୁବାଇରେ ହେବାକୁ ଥିବା ଓଡ଼ିଶା ଦିବସ ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଛି।

ତେବେ ଦୁବାଇରେ ଆୟୋଜିତ ଓଡ଼ିଶା ଦିବସ ଉତ୍ସବ ଯଦି ସରକାରୀ କାର୍ଯ୍ୟକ୍ରମ ତେବେ ପ୍ରଶ୍ନ ଉଠୁଛି ଯେ, ରାଜ୍ୟ ସରକାର ସବୁ ଦଳର ବିଧାୟକଙ୍କୁ କାହିଁକି ନିମନ୍ତ୍ରଣ କରି ନାହାନ୍ତି ? ଉତ୍ସବକୁ କେବଳ ସରକାରୀ ଦଳର ହାତ ଗଣତି ନେତା ଓ ଅଫିସରଙ୍କୁ ନିମନ୍ତ୍ରଣ କାହିଁକ? ଯାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ସହ ଏହା ରାଜ୍ୟବାସୀଙ୍କ ଟିକସ ଅର୍ଥର ଅପବ୍ୟାୟ ବୋଲି କହିଛନ୍ତି।

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, ମୁଁ ବିଧାୟକ ଅଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁବାଇ ଗସ୍ତ ବିଷୟରେ କିଛି ଜାଣିନାହିଁ। ଯଦି ସରକାରୀ ଅର୍ଥରେ ବିଜେଡି ବିଧାୟକମାନେ ଯାଉଛନ୍ତି, ତାହାହେଲେ ଏହା ନିନ୍ଦା କଥା।
ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଓଡ଼ିଶା ଗୋଟିଏ ଗରିବ ରାଜ୍ୟ। ଯଦି ବିଧାୟକମାନେ ବୁଲି ଯିବାର ଅଛି, ତାହାହେଲେ ନିଜ ଟଙ୍କାରେ ଯାଆନ୍ତୁ। ସରକାରୀ ଟଙ୍କାରେ କେବେ ହେଲେ ଯିବାକଥା ନୁହେଁ। ଲୋକଙ୍କ ଟିକସ ପଇସାରେ ସରକାରୀ ଦଳର ବିଧାୟକ ଦୁବାଇ ଯିବା ନିନ୍ଦନୀୟ ଘଟଣା ବୋଲି ସେ କହିଛନ୍ତି। ଏହାସହିତ ଏପ୍ରିଲ ୧ ରେ ଉତ୍କଳ ଦିବସ ପାଳନ ହୁଏ, ହେଲେ ମେ’ ମାସରେ ଦୁବାଇରେ ଓଡ଼ିଶା ଦିବସ ପାଳନକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।
ସେପଟେ ବିଜେଡି ବିଧାୟକ ଦେବୀ ମିଶ୍ର ଏହାକୁ ନେଇ କହିଛନ୍ତି, ସେମାନେ ନିଜ ନିଜ ଖର୍ଚ୍ଚରେ ଦୁବାଇ ଯାଇଛନ୍ତି।





