ଓଡ଼ିଶାରେ ରହିଛି ଗଭର୍ଣ୍ଣାନ୍ସର ଅଭାବ, ଗର୍ଭବତୀ ମା’ଙ୍କ ସହ ନବଜାତ ଶିଶୁ ଓ କିଶୋର-କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୬/୫(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡା ଉପନିର୍ବାଚନ ଫଳାଫଳ ପରେ ବିଜେଡି ବିଜେପି ମଧ୍ୟରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ରାଜନୀତି। ଝାରସୁଗୁଡ଼ା ବିଜୟ ପରେ ପ୍ରଥମେ ବିଜେପିର ଡବଲ ଇଞ୍ଜିନର ସ୍ଲୋଗାନକୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଥିଲେ, ଲୋକମାନଙ୍କର ଡବଲ ଇଞ୍ଜିନର ନୁହେଁ ଗୁଡ ଗଭର୍ଣ୍ଣାନ୍ସର ଆବଶ୍ୟକତା ରହିଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ଏହି ଟାର୍ଗେଟର କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇପାରିବ ନାହିଁ । ଏଠି ଫାଳେ ଇଞ୍ଜିନ ଅଛି । ଓଡ଼ିଶାର ଗର୍ଭବତୀ ମାଆ, ନବଜାତ ଶିଶୁ, କିଶୋର କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ । ରାଜ୍ୟରେ ଅପପୁଷ୍ଟି, ଶିଶୁମୃତ୍ୟୁ ହାର, ମହିଳା ମାନଙ୍କ ରକ୍ତହୀନତା ସମସ୍ୟା ଏକ ପ୍ରମୁଖ ପ୍ରସଙ୍ଗ । ବୟସ ଓ ଉଚ୍ଚତା ଅନୁସାରେ ନବଜାତ ଶିଶୁଙ୍କ ଶାରିରୀକ ଓ ମାନସିକ ବିକାଶ ହେଉନାହିଁ । ଜନଜାତି ପିଲା ଓ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନାହିଁ । ଏହା କେବଳ ବିରୋଧୀ ଦଳର ଅଭିଯୋଗ ନୁହେଁ ବରଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ସର୍ଭେର ରିପୋର୍ଟ କହୁଛି । ତେବେ ଏ ସବୁ ପାଇଁ ରାଜ୍ୟ ସରକାର ଦାୟୀ । ଓଡ଼ିଶାରେ ଗଭର୍ଣ୍ଣାନ୍ସର ଅଭାବ କାରଣରୁ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି ଜନ୍ମ ନେଉଥିବା ଶିଶୁଙ୍କୁ ନେଇ ଦେଶ ଅମୃତ ମହୋତ୍ସବ ପାଳନ କରିବ । ପ୍ରାୟ ୧୩ ବର୍ଷ ପରେ ୨୦୩୬ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ଅର୍ଥାତ୍ ଆଜିର ୧୦ ବର୍ଷର ପିଲା ସେ ସମୟରେ ୨୩ ବର୍ଷର ଯୁବକ ହେବ । ସେହି ପିଲାର ଦୃଢ ଇଚ୍ଛାଶକ୍ତି ଓଡ଼ିଶା ପରିବର୍ତ୍ତନର ବଡ଼ ଭରସା ହେବ । ମାତ୍ର ବର୍ତ୍ତମାନରୁ ସେମାନଙ୍କର ସ୍ୱାସ୍ଥ୍ୟ ଓ ଶରୀରର ଯତ୍ନନେବାକୁ ହେବ । ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘ ବର୍ଷ ଧରି ଅନୁରୋଧ କରାଯିବା ପରେ ମଧ୍ୟ ସେ ଏ ଦିଗ ପ୍ରତି ଧ୍ୟାନ ନ ଦେବା ଦୁଃଖର ବିଷୟ ।

ଓଡ଼ିଶାରେ ଗଭର୍ଣ୍ଣାନ୍ସର ଅଭାବ ରହିଛି । ମୋତେ କାଉଣ୍ଟର କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେତେ ଗାଳିମନ୍ଦ କଲେ ଚଳିବ କିନ୍ତୁ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଧ୍ୟାନ ଦିଅନ୍ତୁ । ଗଭର୍ଣ୍ଣାନ୍ସ ଅଭାବକୁ ସେ ପୂରଣ କରନ୍ତୁ । ଡବଲ ଇଞ୍ଜିନ ସରକାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇପାରିବ ନାହିଁ । ଏଠି ଫାଳେ ଇଞ୍ଜିନ ଅଛି । ଶ୍ରୀଜଗନ୍ନାଥଙ୍କ ଭୂମିରେ ଇଞ୍ଜିନ କାହାକୁ ଦିଆଯିବ ତାହା ମହାପ୍ରଭୁ ନିଷ୍ପତି ନେବେ । ହରିୟାଣାରେ ଡବଲ ଇଞ୍ଜିନ ସରକାର ପରେ ସେଠାରେ ବାଳିକାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯାହା ବି ହେଉ, ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ମୂଳ ପ୍ରସଙ୍ଗ ଏବଂ ତଥ୍ୟ ଆଧାରରେ ଏହାର ବିତର୍କ ହେବା ଜରୁରୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Related Posts