ଗ୍ୟାଙ୍ଗଷ୍ଟର ଓ ଆତଙ୍କୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, ୬ ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ NIA ରେଡ୍

ଭୁବନେଶ୍ୱର,୧୭/୫(ସତ୍ୟପାଠ ବ୍ୟୁରୋ): ଗ୍ୟାଙ୍ଗଷ୍ଟାର ଓ ଆତଙ୍କୀଙ୍କ ବିରୋଧରେ ବଡ କାର୍ଯ୍ୟନୁଷ୍ଠାନ। ଗ୍ୟାଙ୍ଗଷ୍ଟାର ଓ ଆତଙ୍କବାଦୀ ଲିଙ୍କ୍ ମାମଲାରେ ୬ଟି ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ ଚାଲିଛି ଏନଆଇଏ ରେଡ୍ । ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଜି ସକାଳୁ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶର ୧୦୦ରୁ ଅଧିକ ସ୍ଥାନରେ ରେଡ୍ କରୁଛି ।ଗତବର୍ଷ ଏନଆଇଏ ରୁଜୁ କରିଥିବା ତିନୋଟି ପୃଥକ ମାମଲାରେ ଏହି ଚଢାଉ ଜାରି ରଖିଛି । ରାଜ୍ୟ ପୋଲିସ ତଦନ୍ତକାରୀ ସଂସ୍ଥା ସହ ସର୍ଚ୍ଚ ଅପରେସନରେ ସାମିଲ ଅଛି ।

ମିଳିଥିବା ସୂଚନା ଅନୁସାରେ, ଆତଙ୍କୀ ପାଣ୍ଠି ଯୋଗାଣ ମାମଲାରେ ଏନଆଇଏ ଟିମ୍ ସ୍ଥାନୀୟ ପୋଲିସ ସହାୟତାରେ ପଞ୍ଜାବର ମୋଗା, ବଠିଣ୍ଡା ଜିଲ୍ଲା ସମେତ ଅନେକ ସ୍ଥାନ ଛାନଭିନ୍ ଚଳାଇଛି । ପଞ୍ଜାବ ଓ ଚଣ୍ଡିଗଡର ପ୍ରାୟ ୬୫ଟି ସ୍ଥାନରେ ଚଢାଉ କରାଯାଉଛି । ସେହିପରି ଉତ୍ତରପ୍ରଦେଶର ପ୍ରତାପଗଡ, ବରେଲି ଓ ଲଖିମପୁର ଅଞ୍ଚଳରେ ତଦନ୍ତକାରୀ ସଂସ୍ଥା ଛାପା ମାରିଥିବା ବେଳେ ରାଜସ୍ଥାନରେ ୧୮ଟି ଏବଂ ମଧ୍ୟପ୍ରଦେଶର ୨ଟି ସ୍ଥାନରେ ଚଢାଉ ଚାଲିଛି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରୀ ୨୫ରେ ଗ୍ୟାଙ୍ଗଷ୍ଟାରରୁ ଆତଙ୍କବାଦୀ ପାଲଟିଥିବା ଲଖବୀର ସିଂହ ସାନ୍ଧୁ ଓରଫ ଲନ୍ଦା ଓ ହରବିନ୍ଦର ସିଂହ ସାନ୍ଧୁ ଓରଫ ରିନ୍ଦାର ଘନିଷ୍ଠ ସହଯୋଗୀ ଦୀପକ ରଙ୍ଗାକୁ ଉତ୍ତର ପ୍ରଦେଶର ଗୋରଖପୁରରୁ ଗିରଫ କରାଯାଇଥିଲା । ଦୀପକ ନାଁରେ ହତ୍ୟା ସମେତ ଏକାଧିକ ଆତଙ୍କୀ ଓ ଅପରାଧିକ ମାମଲାରେ ରହିଛି । ଗତବର୍ଷ ମୋହାଲି ସ୍ଥିତ ପଞ୍ଜାବ ପୋଲିସ ଗୁଇନ୍ଦା ମୁଖ୍ୟାଳୟରେ ହୋଇଥିବା ଆରପିଜି ଆକ୍ରମଣ ଘଟଣାରେ ମଧ୍ୟ ସେ ମୁଖ୍ୟ ସୁଟର ଥିଲା । ରିନ୍ଦା ଓ ଲନ୍ଦା ଦୀପକକୁ ଆତଙ୍କୀ ପାଣ୍ଠି ଯୋଗାଣ ସହିତ ଅନ୍ୟାନ୍ୟ ସହାୟତା ଯୋଗାଉଥିବା ଏନଆଇଏ କହିଛି ।

ବିଦେଶରୁ କାର୍ଯ୍ୟ କରୁଥିବା ଆତଙ୍କୀ ସଂଗଠନ ଭାରତର ଉତ୍ତର ରାଜ୍ୟଗୁଡିକରେ ଥିବା ଅପରାଧିକ ଗ୍ୟାଙ୍ଗ୍‌ ସହଯୋଗରେ ଟାର୍ଗେଟ କିଲିଂ ଏବଂ ବିଭିନ୍ନ ଅପରାଧ ଘଟାଉଥିବା ଘଟଣା ସାମ୍ନାକୁ ଆସିବା ପରେ ଗତବର୍ଷ ସେପ୍ଟେମ୍ବର ୨୦ରେ ଏନଆଇଏ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲା । ଏହି ଆତଙ୍କୀ-ଗ୍ୟାଙ୍ଗଷ୍ଟାର ଡ୍ରଗ୍ସ ତସ୍କରୀ ନେଟୱାର୍କ ଆନ୍ତଃ ରାଜ୍ୟ ବନ୍ଧୁକ ଚାଲାଣକାରୀ, ବେଆଇନ ଅସ୍ତ୍ରଶସ୍ତ୍ର ନିର୍ମାତା ଏବଂ ଯୋଗାଣକାରୀଙ୍କ ମାଧ୍ୟମରେ ସୀମାରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଆଇଡି ଓ ବିସ୍ଫୋଟକ ଇତ୍ୟାଦି ଚାଲାଣ କରୁଥିବାର ମଧ୍ୟ ଜଣାପଡିଥିଲା । ଏହି ଘଟଣାରେ ପୂର୍ବରୁ ଏନଆଇଏ ବିଭିନ୍ନ ଅପରାଧିକ ଗ୍ୟାଙ୍ଗର ୧୯ ଜଣ ନେତାଙ୍କୁ ଗିରଫ କରିସାରିଛି । ଏହି ଆତଙ୍କୀ ଓ ଗ୍ୟାଙ୍ଗଷ୍ଟାର ଲିଙ୍କ ମାମଲାରେ ଏନଆଇଏ ପକ୍ଷରୁ ଆଜି ୧୦୦ରୁ ଅଧିକ ସ୍ଥାନରେ ଚଢାଉ ଜାରି ରହିଛି ।

Related Posts