ଛିଡ଼ୁନି କର୍ଣ୍ଣାଟକ ଗଣିତ; ଉପମୁଖ୍ୟମନ୍ତ୍ରୀ ପଦ ସହ ୬ ମନ୍ତ୍ରଣାଳୟ ଅଫରକୁ ମନା କରିଦେଲେ ଶିବକୁମାର !

ଭୁବନେଶ୍ୱର,୧୭/୫(ସତ୍ୟପାଠ ବ୍ୟୁରୋ): କିଏ ଏହି କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏନେଇ ଛିଡ଼ୁନି ଗଣିତ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ଦାବିଦାର ସିଦ୍ଧରମୈୟା ଓ ଶିବକୁମାର ଙ୍କ ସହ ଆଜି ହାଇକମାଣ୍ଡ ଦିଲ୍ଲୀରେ ଆଲୋଚନା କରିଛନ୍ତି। ତେବେ ଏହି ଆଲୋଚନାରେ ଏପର୍ଯ୍ୟନ୍ତ କୌଣସି ଫଳ ମିଳିନାହିଁ। ସୂଚନା ଅନୁସାରେ ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ରାଜି ନୁହଁନ୍ତି। ଡି.କେଙ୍କୁ ଦିଆଯାଇଥିବା ଅଫର ପାଇଁ ସେ ପ୍ରସ୍ତୁତ ନୁହଁନ୍ତି ବୋଲି ସୂତ୍ରରୁ ଖବର ମିଳିଛି। ଡି.କେ.ଙ୍କୁ ଉପ ମୁଖ୍ୟମନ୍ତ୍ରୀ ଏବଂ ୬ଟି ମନ୍ତ୍ରଣାଳୟର ଅଫର ପ୍ରଦାନ କରାଯାଇଥିଲେ ବି ସେ ଏପରି ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି।

ସୂଚନାନୁସାରେ, ଯଦି ମୁଖ୍ୟମନ୍ତ୍ରୀ ଆସନ ପାଇଁ ଅଢ଼େଇ ବର୍ଷ ଫର୍ମୁଲା ପ୍ରୟୋଗ ହୁଏ, ତେବେ ଶିବକୁମାର ଚାହୁଁଛନ୍ତି ସର୍ବସମ୍ମୁଖରେ ଦଳ ଏକ ଘୋଷଣା କରିବା ଆବଶ୍ୟକ। ବୁଧବାର ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିବା ପରେ ଡି.କେ ଶିବକୁମାର ଦିଲ୍ଲୀର ତାଙ୍କ ଭାଇ ତଥା ସାଂସଦ ଡି.କେ ସୁରେଶଙ୍କ ବାସଭବନରେ ଦଳର ନେତା ତଥା ସେମାନଙ୍କ ସମର୍ଥକଙ୍କ ସହ ଆଲୋଚନା କରିଥିଲେ।

ଏହି ସମୟରେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ବେଙ୍ଗାଲୁରୁରେ ପ୍ରସ୍ତୁତି ଚାଲିଛି। ପୋଲିସ ଅଧିକାରୀମାନେ ବେଙ୍ଗାଲୁରୁର ପ୍ରସ୍ତୁତି ଚଳାଇଛନ୍ତି। ଯେଉଁଠାରେ ନୂଆ କର୍ଣ୍ଣାଟକ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ହେଲେ କେନ୍ଦ୍ରୀୟ ନେତୃତ୍ୱଙ୍କ ଅଫରରେ ଶିବକୁମାର ରାଜି ନ ହେବାରୁ, ହେବାକୁ ଥିବା ଶପଥଗ୍ରହଣ ସମାରୋହ ବାତିଲ୍ ହୋଇଥିବା ସୂଚନା ରହିଛି।

ତେବେ ଆଜି ଉଭୟ ସିଦ୍ଧରମୈୟା ଓ ଶିବକୁମାର ପୃଥକ ପୃଥକ ଭାବେ ଦିଲ୍ଲୀରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ସେପଟେ ଦଳୀୟ ପର୍ଯ୍ୟବେକ୍ଷକ ରଣଦୀପ ସିଂହ ସୁରଜେଓ୍ୱାଲା କହିଛନ୍ତି ଯେ, କର୍ଣ୍ଣାଟକରେ ୨୪ ଘଣ୍ଟା ମଧ୍ୟରେ ଜଣେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ଏବଂ ୪୮-୭୨ ଘଣ୍ଟା ମଧ୍ୟରେ ଏକ ନୂଆ ରାଜ୍ୟ କ୍ୟାବିନେଟ୍ ଗଠନ ହେବ।

ସୂଚନାଯୋଗ୍ୟ ଯେ, ମେ’ ୧୦ରେ ଅନୁଷ୍ଠିତ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ୧୩ ତାରିଖରେ ପ୍ରକାଶ ପାଇଥିଲା। ଯେଉଁଥିରେ କଂଗ୍ରେସ ୨୨୪ଟି ଆସନରୁ ୧୩୫ଟି ଆସନରେ ବିଜୟୀ ହୋଇ ବିଜେପିକୁ କ୍ଷମତାଚ୍ୟୁତ କରିଛି। ବିଜେପି ୬୬ଟି ଆସନ ପାଇ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ କିଙ୍ଗମେକର ଭୂମିକାରେ ଅବତୀର୍ଣ୍ଣ ହେବାକୁ ଆଶା ରଖିଥିବା ଜେଡିଏସ୍ ମାତ୍ର ୧୯ଟି ଆସନ ପାଇ ତଳକୁ ଖସି ଆସିଥିଲା। ସେବେଠାରୁ କଂଗ୍ରେସରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନିଯୁକ୍ତି ନେଇ ଚାଲେଞ୍ଜ ସୃଷ୍ଟି ହୋଇଛି।

Related Posts