ମିଶନ ଶକ୍ତି ଆଢୁଆଳରେ ବିଜେଡିର ମା’ ପଲିଟିକ୍ସ

ଭୁବନେଶ୍ୱର,୧୭/୫(ସତ୍ୟପାଠ ବ୍ୟୁରୋ): କାହିଁକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି ଉପରେ ପ୍ରଶ୍ନ ଉଠାଇଲେ ବିଜୁ ଜନତା ଦଳ ମୁଣ୍ଡିଆଳଙ୍କ ଛାତିକୁ ବାଧି ଯାଉଛି? କାହିଁକି ବିଜେଡ଼ି ଚାହୁଁଛି ମିଶନ ଶକ୍ତି ଓ ମହିଳା ଏସଏଚଜିଙ୍କ କାମ କରିବାର ତରିକା ଆଖି ନାହିଁ କାନ ନାହିଁ ବାଜିଗଲେ ଦୋଷ ନାହିଁ ନ୍ୟାୟରେ ଚାଲିବ ବୋଲି ? ମା’, ମା’ ଡାକ ମାରି କାହିଁକି ବିଜେଡି ମିଶନ ଶକ୍ତିକୁ ଶଙ୍ଖ ଡେଉଁରିଆ ପିନ୍ଧାଇବାରେ ବ୍ୟସ୍ତ ? ଏ ସବୁ ପ୍ରଶ୍ନ ପଛରେ ରହିଛି ବିଜେଡି ଓ ରାଜ୍ୟ ସରକାରଂକ ସାଂଘାତିକ ରାଜନୈତିକ ଓ ପ୍ରଶାସନିକ ଚାଲ।

ଏକଥା ଅବଶ୍ୟ ସମସ୍ତ ବିରୋଧୀ ରାଜନୈତିକ ଦଳକୁ ଜଣା ଯେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଶକ୍ତିକରଣ ନାଁରେ ବିଜେଡ଼ି ରାଜ୍ୟରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଆର୍ଥିକ ଅନଗ୍ରସର ଓ ନିମ୍ନମଧ୍ୟବିତ ଶ୍ରେଣୀର ଏକ ବିରାଟ ମହିଳା ଜନସଂଖ୍ୟାକୁ ନିଜର ଭୋଟବ୍ୟାଙ୍କ କରିବାରେ ବ୍ୟସ୍ତ । ଯେହେତୁ ନେଡିଗୁଡ଼ କହୁଣୀକୁ ବହିଗଲାଣି ତେଣୁ ବିଜେଡ଼ି ନିଜ ସପକ୍ଷରେ ଯେଉଁ ମହିଳା ଭୋଟ ବ୍ୟାଙ୍କକୁ ଧୃବିକରଣ କରି ସାରିଛି, ତାହାକୁ କିଭଳି ପ୍ରତିହତ କରାଯାଇପାରିବ ତାହା ବିରୋଧୀ ବୁଝି ପାରୁନାହାନ୍ତି । କିନ୍ତୁ ତା ଠାରୁ ଗୁରୁତର ପ୍ରସଙ୍ଗ ହେଲା ଯେ, ଏ ରିପୋର୍ଟର ଆରମ୍ଭରୁ ଯେଉଁ ପ୍ରଶ୍ନ ଉଠାଇଥିଲୁ ସେଇ ପ୍ରଶ୍ନର ଉତ୍ତର ।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି ପାଇଁ ରାଜ୍ୟ ସରକାର ଯେଭଳି ଭାବରେ ରାଜକୋଷର ଚାବି ଖୋଲି ଦେଇଛନ୍ତି । କେବଳ ଶହ ଶହ ହଜାର ହଜାର କୋଟିର ପ୍ୟାକେଜ୍ ଦିଆଯାଉନି ବରଂ ବହୁ ସରକାରୀ ସେବା ଓ ରାଜସ୍ବ ସଂଗ୍ରହ କାର୍ଯ୍ୟରେ ତାଙ୍କୁ ନିୟୋଜିତ କରାଗଲାଣି । ଯଦିଓ ସେସବୁ କାମରେ ସେମାନଙ୍କର ଆବଶ୍ୟକ ତାଲିମ ବା ସାମର୍ଥ୍ୟ ଥାଉ ବା ନଥାଉ ସରକାର କିନ୍ତୁ ସବୁ କାମରେ ମିଶନ ଶକ୍ତିକୁ ନିୟାଜିତ କରୁଛନ୍ତି । ସ୍କୁଲର ମଧ୍ୟାହ୍ନ ଭୋଜନ, ବିଭିନ୍ନ ହସପିଟାଲର ହାଉସ୍ କିପିଂ ଓ ମେଂଟେନାନ୍ସ, ପଞ୍ଚାୟତର ଗୋଷ୍ଠୀ ସମ୍ପଦର ନିଲାମ, ରାଜ୍ୟର ଲଘୁ ଖଣିଜ ସମ୍ପଦ ଯେମିତି ବାଲି ଖାଦାନ, ମୋରମ ଖାଦାନ ବି କୁଆଡ଼େ ମିଶନ ଶକ୍ତି ମହିଳାଙ୍କୁ ହିଁ ପ୍ରଦାନ କରିବାକୁ ସରକାର ଯୋଜନା କରୁଛନ୍ତି । ରାଜସ୍ୱ ଜଙ୍ଗଲର ରକ୍ଷଣାବେକ୍ଷଣ ସବୁ ସେମାନଙ୍କ ହାତରେ ରହିବ । ବିଦ୍ୟାଳୟ ପରିଚୀଳନୀ କମିଟିରେ ବି SHG ରହିବେ। ସେପଟେ ଉଦ୍ୟୋଗୀକରଣ ନାଁରେ ମହିଳାଙ୍କୁ ଶହ ଶହ କୋଟିର ପ୍ୟାକେଜ୍ ବି ଦିଆଯାଉଛି ।

ଏସବୁ ପଛର କାରଣ ହେଉଛି, ଅସଲରେ ସବୁକାମ ଓ ନିଷ୍ପତି ସରକାରଂକ ସେହି ଗୃପ୍ ଅଫ୍ ପାଓ୍ବାରଫୁଲ୍ ବ୍ୟୁରୋକ୍ରାଟ ହିଁ ପଛରେ ଥାଇ କରିବେ କିନ୍ତୁ ଜାଲିଆତିର କଳଂକ ସରକାରଂକ ଉପରେ ଲାଗିବ ନାହିଁ। ଯଦି କିଏ ମିଶନ ଶକ୍ତି ବା SHG ର ଜିଲିଆତି ଉପରେ ପ୍ରଶ୍ନ ଉଠାଇବ ସେତେବେଳେ ବିଜେଡିର ପ୍ରବକ୍ତାମାନେ ତାହାକୁ ମାଆକୁ ଅପମାନ କହି ମୁହଁ ବନ୍ଦ କରିଦେବେ।

ଯେହେତୁ ମିଶନ ଶକ୍ତି ଏକ ସରକାରୀ କାର୍ଯ୍ୟକ୍ରମ ଓ ଏହା ସରକାରୀ ବିଭାଗ ଦ୍ୱାରା କରାଯାଉଛି । ତେଣୁ ଏ ସବୁର କାର୍ଯ୍ୟକାରିତା, ପରିଚାଳନା ଓ ଭୁଲ ଭଟକା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଓ ରାଜନୈତିକ ଦଳମାନେ ଏ ପ୍ରଶ୍ନ ଉଠାଇବେ । କିନ୍ତୁ ବିଜୁ ଜନତା ଦଳର ମୁଖପାତ୍ରମାନେ ଚିଠା ଧରିକି ଯେଭଳି ଟାର୍ଗେଟ୍ କରୁଛନ୍ତି ଏହା ଏକ ଗମ୍ଭୀର ଦିଗକୁ ଅଙ୍ଗୁଳି ଦେଖାଉଛି । ଯଦି ମିଶନ ଶକ୍ତିର କୌଣସି ଭୁଲଭଟକା କିଏ ଧରି ଦେଖାଇଦେଲା, ଏଥିପାଇଁ ସରକାରୀ ବିଭାଗର କେହି ମୁହଁ ଖୋଲିବେନି ଅଥଚ ବିଜୁ ଜନତା ଦଳ ପକ୍ଷରୁ ପ୍ରବକ୍ତାମାନେ ମା ମା ଡାକ ମାରି ଏଭଳି ଚିତ୍କାର କରିବେ ଯେମିତି ମାକୁ କିଏ ସତସତିକା ଅପମାନିତ କରୁଛି । କଥା ଉଠୁଛି ରାଜ୍ୟର ଟିକସଦାତାଙ୍କ ପଇସା ପ୍ରଶାସନରେ ଠିକ ଠାକ ଖର୍ଚ୍ଚ ହେଉଛି କି ନାହିଁ ଯଦି ପ୍ରଶ୍ନ କଲ ଏମାନେ କହିବେ ମା କୁ କାହିଁକି ଅପମାନିତ କଲ । ବିଜେଡ଼ି ପ୍ରବକ୍ତାମାନେ ଯେଭଳି ଢ଼ଙ୍ଗରେ ମା ମା ବୋଲି ଚିତ୍କାର କରୁଛନ୍ତି, ଏହା ସେହି ବିପଦଜନକ ଦିଗ ଆଡ଼କୁ କହୁଛି, ଯେ ଏସ୍‌ଏସ୍‌ଜି, ମିଶନ ଶକ୍ତି ନାଁରେ ବିଜେଡ଼ି ମହିଳା ଭୋଟବ୍ୟାଙ୍କକୁ ହାତେଇବାକୁ ଚାହୁଁଛି ଓ ସରକାରୀ ଅର୍ଥ ଖର୍ଚ୍ଚ କରି ଏହା କରିବାକୁ ଚାହୁଁଛି । ତେଣୁ ଦଳ ଚାହୁଁଛି ଯଦି ଆମେ ମା ମା କହି ଅପମାନିତ ପ୍ରସଙ୍ଗ ଉଠାଇବୁ ତାହାହେଲେ ବିରୋଧୀଙ୍କୁ ଆକ୍ରମଣ ବି ହେବ ଆଉ ଗଣମାଧ୍ୟମ ପ୍ରଶ୍ନ ଉଠାଇବେ ନାହିଁ । ଯାହାଦ୍ୱାରା ଶହ ଶହ କୋଟି ରାଜକୋଷରୁ ଖର୍ଚ୍ଚ ହେବ, କେହି ଉତ୍ତର ଦାୟିତ୍ୱ ନେବେ ନାହିଁ ଆଉ ସରକାରଙ୍କ ମନସା ପୂରଣ ହେବ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି, ବିଜେଡ଼ିର ପ୍ରବକ୍ତା ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଯାଇ ଦେଇଥିବା ପ୍ରତିକ୍ରିୟା ।

କିନ୍ତୁ ବିଡ଼ମ୍ବନା ହେଲା, ବିଜେଡ଼ି ନେତା ମା ମା ଏତେ କାନ୍ଦୁଛନ୍ତି ହେଲେ କାହା ଆଖିରେ ଟୋପାଏ ଲୁହ ନାହିଁ । ଯଦି ବାସ୍ତବରେ ମା ମାନଙ୍କ ପାଇଁ ତାଙ୍କର ଏତେ ଚିନ୍ତା କାହିଁକି ସରକାର ୭୦ଲକ୍ଷ ମହିଳାଙ୍କ ଭିତରୁ ୧୦୦ଟି ମହିଳାଙ୍କ ନାଁ ଗୃହରେ ନେଇପାରିଲେ ନାହିଁ ଯେଉଁମାନେ ଗରୀବ ସୀମାରେଖା ତଳେ ଥିଲେ, ମିଶନ ଶକ୍ତିରେ କାମ କରିବା ପରେ ସିଏ ଏବେ ସମ୍ପନ୍ନ ହୋଇଛନ୍ତି ଆଉ ଗରୀବ ସୀମାରେଖା ଉପରକୁ ଉଠିଛନ୍ତି । ଏହା ଦର୍ଶାଉଛି ଯେ ମା ମାନଙ୍କର ଆର୍ଥିକ ସ୍ତରରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ ବରଂ ବିଜେଡ଼ିର ଭୋଟବ୍ୟାଙ୍କରେ ହୋଇଛି । ଆଉ ଏସ୍‌ଏଚ୍‌ଜି ମା ମାନେ ବି ହୁସିଆର ରହିବା ଦରକାର ଯେ ବିଜେଡ଼ି ସେମାନଙ୍କୁ କିଭଳି ଭୋଟବ୍ୟାଙ୍କ ଭାବେ ବ୍ୟବହାର କରୁଛି ଯାହା ଦଳୀୟ ନେତାଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ହୋଇଛି ।

Related Posts