ଖୁବଶୀଘ୍ର ପୁରୀ- ଭୁବନେଶ୍ବର-କଟକକୁ ଯୋଡ଼ିବ ‘ବନ୍ଦେ ମେଟ୍ରୋ’: କେନ୍ଦ୍ର ରେଳମନ୍ତ୍ରୀ

ଭୁବନେଶ୍ୱର,୧୭/୫(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ଖୁବଶୀଘ୍ର ‘ବନ୍ଦେ ମେଟ୍ରୋ’ ଚଳାଚଳ କରିବ। ଏହା ପୁରୀ- ଭୁବନେଶ୍ବର-କଟକରେ ଚଳାଚଳ କରିବ। ଏନେଇ ପୁରୀ ରେଳ ଷ୍ଟେସନରେ ଆୟୋଜିତ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଲୋକାର୍ପଣ ଉତ୍ସବରେ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେ ଆହୁରି କହିଛନ୍ତି, ଓଡ଼ିଶାକୁ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ମିଳିବ।

ଏହା ପୁରୀରୁ ଭୁବନେଶ୍ବର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡ଼ା ଦେଇ ରାଉରକେଲା ଯାଏ ଚାଲିବ। ଏହାଫଳରେ ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ। ସ୍ଲିପର୍ ବନ୍ଦେ ଭାରତ ଏକ୍ସପ୍ରେସ୍ ବି ଚାଲିବ। ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ଏହି କାରଣରୁ ସେ ଓଡ଼ିଶାକୁ ଅଧିକ ଅର୍ଥ ଦେଉଛନ୍ତି।

ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଆଇଟିଡିସି ଅଧ୍ୟକ୍ଷ ଡାକ୍ତର ସମ୍ବିତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଗୁରୁବାର ପୁରୀରୁ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି। ବନ୍ଦେ ଭାରତ ଏକ୍ସପ୍ରେସ୍ ସହ ଓଡ଼ିଶାରେ ପ୍ରାୟ ୮ ହଜାର କୋଟିରୁ ଅଧିକ ମୂଲ୍ୟର ଏକାଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ପୁରୀ ଓ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପୁନଃବିକାଶ ହେଉଥିବା ଏହାବ୍ୟତୀତ ଓଡ଼ିଶାରେ ରେଳ ନେଟୱର୍କର ୧୦୦% ବିଦ୍ୟୁତୀକରଣକୁ ଲୋକାର୍ପଣ କରିଛନ୍ତି। ଏହା ଦ୍ବାରା ଅପରେଟିଂ ଓ ରକ୍ଷଣାବେକ୍ଷଣ ମୂଲ୍ୟ ହ୍ରାସ କରିବା ସହ ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା କମିବ।

Related Posts