ଭୁବନେଶ୍ୱର,୧୭/୫(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରର ମୋଦୀ ସରକାରରେ ଆଉ ଏକ ଅଦଳବଦଳ ହୋଇଛି । ଆଇନ ରାଷ୍ଟ୍ରମନ୍ତ୍ରୀ ଏସପି ସିଂ ବଘେଲଙ୍କ ବିଭାଗ ବଦଳି କରାଯାଇଛି । ତାଙ୍କୁ ଏବେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ କିରେନ ରିଜ୍ଜୁଙ୍କ ମଧ୍ୟ ବିଭାଗ ପରିବର୍ତ୍ତନ କରାଯାଇଥିବା ଖବର ଗୁରୁବାର ସକାଳେ ଆସିଥିଲା ।ତାଙ୍କ ବିଭାଗ ପରିବର୍ତ୍ତନ କରି ଭୂ-ବିଜ୍ଞାନ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା । ତାଙ୍କ ସ୍ଥାନରେ ଆଇନ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଅର୍ଜୁନ ରାମ ମେଘୱାଲଙ୍କୁ ଦିଆଯାଇଥିଲା । ମୋଦୀ ସରକାରରେ ଏହି ଅଦଳବଦଳ ସରକାରଙ୍କ ୯ ବର୍ଷ ପୂର୍ତ୍ତି ହେବାର ଠିକ୍ ଗୋଟିଏ ସପ୍ତାହ ପୂର୍ବରୁ ହୋଇଛି । ମଇ ୨୬ରେ କେନ୍ଦ୍ରରେ ମୋଦୀ ସରକାରଙ୍କ ୯ ବର୍ଷ ପୂରଣ ହେବ ।
ଉଲ୍ଲେଖଯୋଗ୍ୟ ଯେ ବିଚାରପତିଙ୍କ ନିଯୁକ୍ତିକୁ ନେଇ କଲେଜିୟମ ବ୍ୟବସ୍ଥା ଉପରେ ସରକାର ଏବଂ କୋର୍ଟଙ୍କ ମଧ୍ୟରେ ଅନେକ ବୟାନବାଜି ଦେଖିବାକୁ ମିଳିଥିଲା । ଏହା ମାମଲାରେ ନିଜ ବୟାନ ପାଇଁ ଆଇନ ମନ୍ତ୍ରୀ କିରେନ ରିଜ୍ଜୁ ଚର୍ଚ୍ଚାରେ ଥିଲେ । ତେବେ ସରକାରଙ୍କ ପକ୍ଷରୁ କିରେନ ରିଜ୍ଜୁ ଏବଂ ଏସପି ସିଂ ବଘେଲଙ୍କ ବିଭାଗ ପରିବର୍ତ୍ତନକୁ ନେଇ କୌଣସି ବୟାନ ଆସି ନାହିଁ । ଉଭୟ ମନ୍ତ୍ରୀଙ୍କ ମନ୍ତ୍ରଣାଳୟ ପରିବର୍ତ୍ତନ ନେଇ ବିଜ୍ଞପ୍ତି ରାଷ୍ଟ୍ରପତିଙ୍କ ପକ୍ଷରୁ ଜାରି କରାଯାଇଛି ।
ଏହାରି ଭିତରେ ନୂଆ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଭାଗର ଦାୟିତ୍ୱ ସମ୍ଭାଳିଛନ୍ତି । ସେ କହିଛନ୍ତି ଯେ ନ୍ୟାୟ ସମସ୍ତଙ୍କୁ ମିଳିବା ଦରକାର । ଏହାସହ ନ୍ୟାୟାଳୟର ପ୍ରତିଟି ସ୍ତରରେ ବଡ଼ ସଂଖ୍ୟାରେ ବିଚାରଧୀନ ମାମଲାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି । ଅର୍ଜୁନ ରାମ ମେଘୱାଲ ପୂର୍ବରୁ ଦୁଇ ମନ୍ତ୍ରଣାଳାୟର ରାଜ୍ୟ ମନ୍ତ୍ରୀ ଅଛନ୍ତି ।





