ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ରାଜ୍ୟ କଂଗ୍ରେସରେ ସଭାପତି ଶରତ ପଟ୍ଟନାୟକଙ୍କ କଚ୍ଛପ ଅବତାର ଏବେ ଚର୍ଚ୍ଚାରେ। ପ୍ରଦେଶ କଂଗ୍ରେସ କମିଟିରେ ବାବୁ ଶରତ ପଟ୍ଟନାୟକଙ୍କର ଏବେ ବିଚିତ୍ର ସ୍ଥିତି। କଂଗ୍ରେସର ବଡ଼ ନେତାଙ୍କ ଛାଇ ପଡିଲେ ଶରତ ଛୁ ମାରୁଛନ୍ତି। ରାଜ୍ୟ କଂଗ୍ରେସରେ ଶରତଙ୍କ ନେତୃତ୍ୱର ଷ୍ଟାଇଲ ଠିକ କାଣି ବିଲେଇର କୁଜି ଅସରପା ଉପରେ ଦାଦାଗିରି କାହାଣୀ ଭଳି । ସମାନ ବିଶୁଙ୍ଖଳା ଅଭିଯୋଗରେ ନୂଆ ଓ ଛୁଆ ନେତାଙ୍କ ଉପରେ ପ୍ରଦେଶ କଂଗ୍ରେସ କମିଟି ଯେଭଳି ବିଲେଇ ଭଳି ଝାମ୍ପି ପଡୁଛି, ବରିଷ୍ଠ ଓ ପ୍ରଭାବୀ ନେତାଙ୍କ ବିରୋଧରେ ବିଶୃଙ୍ଖଳା ଅଭିଯୋଗ ଆସିଲେ ଶରତ ବାବୁ କଇଁଛ ଭଳି ବେକକୁ ଖୋଳପା ଭିତରକୁ ନେଇ ଯାଉଛନ୍ତି |
ମାଟାମୋଟି ଭାବେ କହିବାକୁ ଗଲେ ରାଜ୍ୟ କଂଗ୍ରେସ ଏବେ ମୁରବି ବିହୀନ ଭଳି ଲାଗୁଛି | ଯିଏ ଯାହା ପାଇଲା ଦଳ ବିରୋଧରେ, ଦଳ ନେତାଂକ ବିରୋଧରେ ମିଡିଆରେ, ସୋସିଆଲ ମିଡିଆରେ ଗପି ଚାଲିଲା | କଂଗ୍ରେସ ନେତାଙ୍କ ମୁହଁରେ ଏବେ ବାଡ଼ ବତା ନାହିଁ | ଗୁରୁତ୍ବପୂର୍ଣ କଥା ହେଲା ଦଳ ଭିତରେ ସଭାପତି ଶରତ ପଟ୍ଟନାୟକଙ୍କ ଢିଲା ଢାଲା ନେତୃତ୍ୱ | କୌଣସି ଗୋଟିଏ ବି ବିଶଙ୍ଖଳା ଘଟଣାରେ ସଭାପତି ହିସାବରେ ଶରତ ଶକ୍ତିଶାଳୀ ନିଷ୍ପତ୍ତି ନେଇପାରିଲେ ନାହିଁ | ଦଳୀୟ ବିଶୃଙ୍ଖଳା ପାଇଁ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଲେ | ମୋକିମ ଏହାର ଜବାବ ଦେଲେ ହେଲେ ଶରତଙ୍କ ନିଷ୍ପତ୍ତି ଆଉ ଖୋଳପା ଭିତରୁ ବାହାରିଲା ନାହିଁ|
ସମାନ ଅବସ୍ଥା ବରିଷ୍ଠ ନେତା ଓ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ମାମଲାରେ ମଧ୍ୟ ହେଲା | କାରଣ ଦର୍ଶାଅ ଚିଠି ଦେଇ ଶରତ ମିଡିଆରେ ଦେଖାଇଲେ ଯେ, ସେ ବହୁତ କଡା ସଭାପତି, ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରିବେ ନାହିଁ ତେଣୁ ସେ ଯିଏ ବି ହୁଅନ୍ତୁ ନା କାହିଁକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ | କିନ୍ତୁ ଫଳାଫଳ ଫୁସ | ସୁର କଣ ଜବାବ ଦେଲେ ଓ ଶରତ କଣ ସୁଆଲ କଲେ ତାହା ଆଜି ଯାଏଁ କେହି ଜାଣିପାରିଲେ ନାହିଁ |
ଝାରସୁଗୁଡା ଉପ ନିର୍ବାଚନ ପୂର୍ବରୁ ଓ ପରର କେତୋଟି ଘଟଣା ଶରତଙ୍କ କଚ୍ଛପ ଅବତରକୁ ପୁଣି ସାମ୍ନାକୁ ଆଣିଛି | ଗତ ୮ ତରିଖ ଦିନ ବିଧାୟକ ମୋକିମଙ୍କ ପ୍ରୟୋଜକତାରେ ସୂଚନା ଭବନ ଠାରେ ଆୟୋଜିତ “ଜାନକୀ-ବସନ୍ତ ଯୋଡି, ଓଡ଼ିଶାର ସୁବର୍ଣ୍ଣ ଯୁଗ” ଶୀର୍ଷକ ସଭାରେ ଉଭୟ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜିବି ବିଶ୍ୱାଳ ଏବେର କଂଗ୍ରେସ ନେତୃତ୍ୱକୁ ମିଡ଼ିଆ ଆଗରେ ବହେ ଧୋଇଦେଲେ | ତାପରେ ନିର୍ବାଚନ ସରିବା ପରେ ଦଳର ଦୁଇଜଣ ଯୁବ ମୁଖପାତ୍ର ଷ୍ଟାଲିନ ମିଶ୍ର ଓ ପଦ୍ମାକର ଗୁରୁ ଦଳ ନେତୃତ୍ୱ ବିରୋଧରେ ସୋସିଆଲ ମିଡିଆରେ ସମାଲୋଚନା କଲେ | ଏଥିପାଇଁ ନୂଆକରି ଦଳରେ ମିଶିଥିବା ଛୁଆ ନେତା ଷ୍ଟାଲିନଙ୍କୁ ମୁଖପାତ୍ର ପଦରୁ ରାତାରାତି ହଟାଇ ଦିଆଗଲା |
ହେଲେ ମୋକିମ ଓ ବିଶ୍ୱାଳ ଯେଉଁଭଳି ମିଡିଆରେ ଦଳର ନେତୃତ୍ୱକୁ ଧୋଇଲେ ସେ ବାବଦରେ ଶରତ ପୁରାପୁରି ଚୁପ | ମିଡ଼ିଆ ଯେତେବେଳେ ଏନେଇ ଶରତଙ୍କ ପ୍ରତିକ୍ରିୟା ଚାହିଁଲା ଯେ ମୋକିମ, ଚିରଞ୍ଜିବି ଓ ନରସିଂହ ମିଶ୍ର ଯେଉଁ ନେତୃତ୍ୱ ବିରୋଧୀ ମନ୍ତବ୍ୟ ଦେଇଛନ୍ତି ସେ ବାବଦରେ ରାଜ୍ୟ ସଭାପତି କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସେତେବେଳେକୁ ଶରତ ପୁଣି କଚ୍ଛପ ଅବତାରକୁ ଚାଲିଗଲେ| ଖୋଳପା ଭିତରୁ ମୁଣ୍ଡ କାଢ଼ିଲେ ନାହିଁ କି କିଛି କହିଲେ ନାହିଁ |
ଶରତଙ୍କ ଏଭଳି ସ୍ଥିତିକୁ ନେଇ ଦଳର ବହୁ ନେତାଙ୍କର ସୁକ୍ଷ୍ମ ପ୍ରତିକ୍ରିୟା ହେଲା ଯେ ପିସିସି ସଭାପତି ଶରତ ବାବୁ ରାଜନୀତିରେ ମୂଳରୁ କଚ୍ଛପ ଅବତାରୀ | ତାଙ୍କ କ୍ୟାରିୟରରେ ସେ କେବେ ବି ନିଜର କଡା ଓ ଶକ୍ତିଶାଳୀ ନେତୃତ୍ୱ ନେଇନାହାନ୍ତି | ଯେଉଁଥିପାଇଁ ୧୮ ବର୍ଷ ପରେ ପୁଣି ଦ୍ଵିତୀୟ ଥର ପାଇଁ ସେ ସଭାପତି ପଦ ଫେରିପାଇଲେ | ତେବେ ଦଳରେ ଶରତଙ୍କ କଚ୍ଛପ ଅବତାର ଦୀର୍ଘ ସ୍ଥାୟୀ ହେଉଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା |





