ଭୁବନେଶ୍ୱର,୧୯/୫(ସତ୍ୟପାଠ ବ୍ୟୁରୋ): ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ମହାନଦୀ ଜଳ ବିବାଦର ସମାଧାନରେ ବିଳମ୍ବକୁ ନେଇ ଆଜି କିଛି ଏଭଳି ଢଙ୍ଗରେ କଟାକ୍ଷ କରିଛନ୍ତି କଂଗ୍ରେସ ମିଡିଆ ଅଧ୍ୟକ୍ଷ ଗଣେଶ୍ୱର ବେହେରା । ସେ କହିଛନ୍ତି ଯେ, ମାର୍ଚ୍ଚ ୧୨, ୨୦୧୮ ରେ ଟ୍ରିବୁନାଲ ଗଠିତ ହୋଇଥିଲା । ଇତି ମଧ୍ୟରେ ୫ ବର୍ଷ କିଛି ସମୟ ବିତିଯାଇଥିଲେ ମଧ୍ୟ ମହାନଦୀ ଜଳ ବିବାଦ ସମସ୍ୟା ସମାଧାନର କୌଣସି ବାଟ ଫିଟୁ ନାହିଁ ।
ଏ କ୍ଷେତ୍ରରେ ସରକାରଙ୍କ ଆନ୍ତରିକତାକୁ ଅଙ୍ଗୁଳି ନିର୍ଦ୍ଦେଶ କରି ସେ କହିଥିଲେ ଯେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଦୁଇ ଦୁଇଟି କମିଟି
ଗଠନ କଲେ । କିନ୍ତୁ ୬ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଯାଇଥିବା ସ୍ଥଳେ କୌଣସି କମିଟିର ଗୋଟିଏ ବି ବୈଠକ ଏ ପର୍ଯନ୍ତ ବସିଲା ନାହିଁ କାହିଁକି? ଦ୍ୱିତୀୟରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଗତ ବିଧାନ ସଭାରେ ବଜେଟ ଅଧିବେଶନରେ ଆଲୋଚନା ନିମନ୍ତେ ଅନୁରୋଧ କରିଥିଲେ । ବାଚସ୍ପତି ମହୋଦୟ ବ୍ୟୟମଞ୍ଜୁରି ବିଧେୟକ ପାରିତ ହେଲାପରେ ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରାଯିବ ବୋଲି ଗୃହରେ
ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ବ୍ୟୟମଞ୍ଜୁରି ବିଧେୟକ ପାରିତ ହେବା ମାତ୍ରେ ସେହି ଦିନ ମାର୍ଚ୍ଚ ୩୧ରେ ଗୃହ ମୁଲତବୀ କରିଦିଆଗଲା । ମହାନଦୀ ପ୍ରସ୍ତାବ ଆଲୋଚନା ହୋଇପାରିଲା ନାହିଁ । ଏଇତ ସରକାରଙ୍କ ଆନ୍ତରିକତା ବୋଲି କହି ସେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି।
ସେହିପରି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଆନ୍ତରିକତା ମୁଖ୍ୟତଃ ମହାନଦୀ ଜଳ ବିବାଦ ପାଇଁ ଦାୟୀ ବୋଲି କହିଥିଲେ । ଶ୍ରୀ ପଟ୍ଟନାୟକ ଦର୍ଶାଇଥିଲେ ଯେ ଅଣ ମୌସୁମୀ ସମୟରେ ମହାନଦୀରେ ଜଳ ଭୟାନକ ଭାବେ ହ୍ରାସ ପାଇ ଚାଲିଛି । ଚାଷୀଙ୍କ ପାଇଁ ଜଳସେଚନ ସମସ୍ୟା ଓ ପିଇବା ପାଣିର ସମସ୍ୟା ଉତ୍କଟ ହୋଇ ଚାଲିଛି । ତଥାପି ସରକାରଙ୍କ ଚେତା ଫେରୁନି କେବଳ ରାଜନୈତିକ ଫାଇଦା ପାଇଁ ବେଳେ ବେଳେ ମହାନଦୀ ପ୍ରସଙ୍ଗ ଉଠାଇ ତୁନି ପଡ଼ୁଛନ୍ତି । ଏହା କେବଳ ବିଜେଡ଼ି ଓ ବିଜେପି ମଧ୍ୟରେ ଥିବା ସୁନ୍ଦର ମଧୁର ସଂପର୍କ
ବ୍ୟତିତ ଆଉ କିଛି ନୁହେଁ । ଉଭୟ ବିଜେଡ଼ି ଓ ବିଜେପି ଓଡ଼ିଶାର ସ୍ୱାର୍ଥ ପରିବର୍ତେ ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଥିବାରୁ ଓଡ଼ିଶାର ଭାଗ୍ୟ ବିଡ଼ମ୍ବିତ ହୋଇ ଚାଲିଛି ।
ସେହିପରି ପିସିସି ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ଆଜି ସମ୍ମିଳନୀରେ ଭାଷଣ ଦେଇ ଟ୍ରିବୁନାଲଙ୍କ କଚ୍ଛପ ଗତିରେ ଉଦ୍ବେଗ ପ୍ରକାଶ କରିଥିଲେ ଓ ତୁରନ୍ତ ରାଜ୍ୟ ସ୍ୱାର୍ଥର ସୁରକ୍ଷା ପାଇଁ ଏକ ମଧ୍ୟବର୍ତୀ କାଳିନ ରିପୋର୍ଟ ପ୍ରଦାନ କରିବାକୁ ଦାବି କରିଥିଲେ । ରାଜ୍ୟ ସରକାରଙ୍କୁ ଚାଷୀଙ୍କ ସ୍ୱାର୍ଥ ନିମନ୍ତେ ତୁରନ୍ତ କେନାଲ ମାନଙ୍କରେ ପାଣି ଛାଡ଼ିବାକୁ ପରାମର୍ଶ ଦେଇଥିଲେ । ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଥିଲେ ଯେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କମନ ଫରେମେସନ ଫର୍ମାଟ ସାଧାରଣ ସୂଚୀ ପୁସ୍ତିକା ପ୍ରସ୍ତୁତ ହୋଇପାରିଲା ନାହିଁ । ଟ୍ରିବୁନାଲ ମଧ୍ୟବର୍ତୀ କାଳୀନ ରିପୋର୍ଟ ଦେଉନାହାନ୍ତି କି ରାଜ୍ୟ ସରକାର ମଧ୍ୟ ଏଥିନିମନ୍ତେ ଦାବି କରୁନାହାନ୍ତି । ସେ ଉଲେଖ କରିଥିଲେ ଯେ ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାର ବହୁ ସଂଖ୍ୟାରେ ବ୍ୟାରେଜ ନିର୍ମାଣ କରିବା ଫଳରେ ଏପ୍ରିଲ ମାସରେ ଓଡ଼ିଶାରେ ପ୍ରଭାବିତ ହୋଇଥିବା ମହାନଦୀ ଜଳ ଭଣ୍ଡାର ୭୩ ପ୍ରତିଶତ କମିଛି । ସେହିପରି ମେ ମାସରେ ୭୭.୭ ପ୍ରତିଶତ ଜଳ ପ୍ରବାହ କମିଛି । ବର୍ତମାନ ଛତିଶଗଡ଼ ସରକାର କଲମାବ୍ୟାରେଜ ତଳକୁ ଆଦୌ
ଜଳ ଛାଡୁନାହାନ୍ତି । ତେଣୁ ବର୍ଷା ଋତୁ ପରେ ନଭେମ୍ବରରୁ ମେ ମାସ ମଧ୍ୟରେ ଛତିଶଗଡ଼ ସରକାର ହୀରାକୁଦ ଜଳ ଭଣ୍ଡାରକୁ ପର୍ଯ୍ୟପ୍ତ ପରିମାଣରେ ଜଳ ଛାଡ଼ିବା ପାଇଁ ଟ୍ରିବୁନାଲ ଅନ୍ତରୀଣ ଆଦେଶ ଦିଅନ୍ତୁ । ଓଡ଼ିଶାର ସରକାରଙ୍କ ନିଷ୍କ୍ରିୟତା ଫଳରେ ମହାନଦୀ ଅବବାହିକାରେ ଥିବା ପଶ୍ଚମ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ ପିଇବା ପାଣିର ଘୋର ଅଭାବ ପରିଲକ୍ଷିତ ହେଉଛି । ଏ ବାବଦରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଉଛନ୍ତି । ବିଗତ
୧୦ବର୍ଷ ହେବ ରାଜ୍ୟ ସରକାର ଖରାଦିନେ ଡାଳୁଆ ଚାଷ ପାଇଁ ପ୍ରାୟତ ବନ୍ଦ କରିଦେଇଛନ୍ତି । କେନ୍ଦ୍ରାପଡ଼ା କେନାଲ, ପୁରୀ କେନାଲ ଅନେକ ଶାଖା କେନାଲରେ ପାଣି ଛଡ଼ାଯାଉ ନାହିଁ । ଫଳରେ ଉପକୂଳ ଅଂଚଳରେ ଚାଷ ଜମି ଲବଣାକ୍ତ ହେବା ସହିତ କୂଅ ପୋଖରୀ ଶୁଖିଗଲାଣି । ନଳକୂପରୁ ପିଇବା ପାଣି ବାହାରୁ ନଥିବା ବେଳେ ଉପକୂଳ ଅଂଚଳରେ ଲୁଣି ପାଣି ବାହାରୁଛି । ରାଜ୍ୟରେ ଭିଷଣ ଗ୍ରୀଷ୍ମ ପ୍ରବାହ ସାଂଗକୁ ଜଳକଷ୍ଟ ଅସହ୍ୟ ହେଲାଣି । ଏଣୁ
ଓଡ଼ିଶା ସରକାର ତୁରନ୍ତ ସମସ୍ତ କେନାଲରେ ପାଣି ଛାଡ଼ିବାକୁ ଆମେ ଦାବି କରୁଛୁ । ଯଦି ଛତିଶଗଡ଼ ସରକାର ଏତେ ଗୁଡ଼ିଏ ବନ୍ଧ ନିର୍ମାଣ କରିପାରିଲେ ତେବେ ୨୩ ବର୍ଷର ସରକାର ଏକ ନମ୍ବର ମୁଖ୍ୟମନ୍ତ୍ରୀ ମହାନଦୀର ତଳ ମୁଣ୍ଡରେ ଏ ପର୍ଯ୍ୟନ୍ତ ଜଳଧାର ସୃଷ୍ଟି କରିଛନ୍ତି । ସେହିପରି ଯଦି ଓଡ଼ିଶାବାସୀଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଟ୍ରିବୁନାଲରୁ ମଧ୍ୟବର୍ତୀ କାଳୀନ ରିପୋର୍ଟ ନ ଆସେ ଓ କେନାଲ ମାନଙ୍କରେ ପାଣି ଛଡ଼ାନଯାଏ କଂଗ୍ରେସ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ବିଜୟ ପଟ୍ଟନାୟକ ଚେତାବନୀ ଦେଇଥିଲେ ।





