କାଳବୈଶାଖୀରେ ଭାଙ୍ଗିଲା କାଚ, ଅଧାରେ ଅଟକିଲା ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ୱର,୨୧/୫(ସତ୍ୟପାଠ ବ୍ୟୁରୋ): ଅଧାରେ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ। ଯାତ୍ରୀଙ୍କୁ ନେଇଯାଉଥିବା ବେଳେ ବୈତରଣିରୋଡ ନିକଟରେ ଟ୍ରେନ୍‌ଟି ଅଟକି ରହିଛି। କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଗଛ ଡାଳ ଭାଙ୍ଗି ଏହାର ଲୋକୋ ପାଇଲଟ୍ ସାମନା କାଚ ଭାଙ୍ଗି ଯାଇଛି । ସେପଟେ ଟ୍ରେନ କୁ ସଂଯୋଗ କରୁଥିବା ତାର ମଧ୍ୟ ଛିଣ୍ଡି ଯାଇଥିବାରୁ ବିଜୁଳି ବିଭ୍ରାଟ ଯୋଗୁଁ ଟ୍ରେନ୍‌ ଅଟକି ରହିଥିବା ସୂଚନା ମିଳିଛି । ଆଜି ଅପରାହ୍ନରେ ହାଓଡ଼ା ଅଭିମୁଖେ ବାହାରିଥିବା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଭଦ୍ରକ ଓ ଯାଜପୁର ସୀମା ବୈତରଣୀ ନଦୀ ପୋଲ ନିକଟରେ ଅଟକି ରହିଛି ।

ମିଳିଥିବା ସୂଚନା ଅନୁସାରେ, ଟ୍ରେନ୍‌ରେ ବିଦ୍ୟୁତ୍ ସଂଯୋଗ ହୋଇପାରି ନାହିଁ। ଟ୍ରେନ୍‌ ଭିତରେ ଲୋକେ ଅନ୍ଧାର ଭିତରେ ରହିଥିବା ଦେଖିବାକୁ ମିଳିଛି। ୪.୩୫ରୁ ଟ୍ରେନ୍‌ ଟି ବୈତରଣୀରୋଡ୍ ନିକଟରେ ଅଟକି ରହିଥିବା ବେଳେ ଟ୍ରେନ୍‌କୁ ଚାଲୁ କରିବାକୁ ଉଦ୍ୟମ ଜାରି ରହିଛି।

ସୂଚନା ଥାଉକି, ଗତ ୧୮ ତାରିଖରେ ଓଡ଼ିଶାରେ ବନ୍ଦେ ଭାରତର ଶୁଭାରମ୍ଭ କରାଯାଇଛି । ପୁରୀରୁ ହାୱଡ଼ା ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଅଭିଭାଷଣରେ ମୋଦି କହିଥିଲେ ଏହି ଟ୍ରେନ୍ ଓଡ଼ିଶା-ପଶ୍ଚିମବଙ୍ଗ ସମ୍ପର୍କକୁ ସମୃଦ୍ଧ କରିବ । ତେଣେ ବନ୍ଦେ ଭାରତ ପରେ ଆଗକୁ ଖୁବଶୀଘ୍ର ବନ୍ଦେ ମେଟ୍ରୋ ଓ ବନ୍ଦେ ସ୍ଲିପର ବି ଆରମ୍ଭ ହେବାକୁ ଯାଉଥିବା ସୂଚନା ଦେଇଥିଲେ ରେଳମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଓଡ଼ିଶା ପାଇଁ ଆଉ ୨ଟି ବନ୍ଦେ ଭାରତ ଟ୍ରେନ୍ ଚଳାଇବାକୁ ଦାବି ଉପସ୍ଥାପନ କରିଥିଲେ ।

Related Posts