ବୈଷ୍ଣବଙ୍କ ବ୍ୟାଣ୍ଡ୍ ବାଜା ବନ୍ଦେ ଭାରତ ‘ଢୋ’

ଭୁବନେଶ୍ଵର, ୨୧/୫(ସତ୍ୟପାଠ ବ୍ୟୁରୋ): ଗତ ୧୮ ତାରିଖରେ ବ୍ୟାଣ୍ଡ ବାଜା ବଜାଇ ଓଡ଼ିଶାରୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି। ତେବେ ବନ୍ଦେ ଭାରତ ଟ୍ରେନ ଗଡିବା ପୂର୍ବରୁ ବହୁ ଆୟୋଜନ ଓ ପ୍ରଚାର କରାଗଲା। ଟ୍ରେନ ଟ୍ରାକ ପର୍ଯ୍ୟନ୍ତ ରଙ୍ଗ ବୋଳି ଦିଆଗଲା। ସବୁ ଷ୍ଟେସନରେ ଫୁଲ ବର୍ଷା କରି ଏହାକୁ ସ୍ବାଗତ କରାଗଲା। ଖୋଦ୍ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମିଡିଆକୁ ଧରି ଏହି ଟ୍ରେନରେ ଯାତ୍ରା କରି ଅନ୍ୟ ଟ୍ରେନ ଅପେକ୍ଷା ଏଥିରେ ଲୋକଙ୍କୁ କଣ ସୁବିଧା ମିଳିବ ସେନେଇ ବଡ ବଡ଼ କଥା କହିଲେ। ହେଲେ ମାତ୍ର ୭୨ ଘଣ୍ଟା ନପୂରୁଣୁ ବୈଷ୍ଣବଙ୍କ ସବୁ ଆୟୋଜନ ସବୁ ପ୍ରଚାର ଫସର ଫାଟିଗଲା।

ଓଡ଼ିଶାରେ ବନ୍ଦେ ଭାରତ ଗଡିବାର ୩ ଦିନ ପରେ ଅର୍ଥାତ୍ ଆଜି ଅପରାହ୍ନରେ ହାଓଡ଼ା ଅଭିମୁଖେ ବାହାରିଥିବା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‌ ମଞ୍ଜୁରୀରୋଡ ଷ୍ଟେସନ ନିକଟ ବୈତରଣୀ ନଦୀ ପୋଲ ନିକଟରେ ସାମାନ୍ୟ କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ହେଲା । ଗଛ ଡ଼ାଳ ଭାଙ୍ଗି ଟ୍ରେନ ଲୋକୋ ପାଇଲଟଙ୍କ ସାମ୍ନା କାଚ ଭାଙ୍ଗି ଚୁରମାର ହେଲା। ତାର ଛିଣ୍ଡି ଯିବା ଫଳରେ ଟ୍ରେନରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଗଲା। ସେପଟେ ପୁରା ଟ୍ରେନଟି ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଏହାର ଡୋର ସବୁ ମଧ୍ୟ ବିଦ୍ୟୁତ୍ ଦ୍ଵାରା ପରିଚାଳିତ। ତେଣୁ ବିଦ୍ୟୁତ୍ ବିଛିନ୍ନ ହୋଇଯିବାରୁ ବିଚରା ଯାତ୍ରୀ ମାନେ ଭିତରେ ଫସି ରହିଲେ। ବାହାରକୁ ବାହାରି ନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଲେ। ଏବେ ପ୍ରାୟ ସାଢ଼େ ୪ ଘଣ୍ଟା ଅଟକି ରହିବା ପରେ ଶେଷରେ ଏକ ଡିଜେଲ ଇଞ୍ଜିନ ଦ୍ଵାରା ଏହି ଟ୍ରେନ ହାଓଡ଼ା ଅଭିମୁଖେ ଯାତ୍ରା କରିଛି। ତେବେ ଘଣ୍ଟା ପିଛା ସର୍ବାଧିକ ୧୬୦-୧୮୦ କିମି ବେଗରେ ଗତି କରୁଥିବା ଏହି ଟ୍ରେନ ଡିଜେଲ ଇଞ୍ଜିନ ଲାଗିବା ପରେ ବହୁ ବିଳମ୍ବରେ ହାଓଡ଼ାରେ ପହଞ୍ଚିବ ବୋଲି କୁହାଯାଉଛି।

ସେପଟେ ଏନେଇ ଯାତ୍ରୀଙ୍କ ଅସନ୍ତୋଷ ସୋସିଆଲ ମିଡ଼ିଆରେ ମଧ୍ୟ ପରିଲକ୍ଷିତ ହୋଇଛି। ସିଧାସଳଖ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟୁଇଟ କରି ଅସନ୍ତୋଷ ଝାଡ଼ିଛନ୍ତି ଯାତ୍ରୀ। ତେବେ ବନ୍ଦେ ଭାରତ ଏଭଳି ସାଧାରଣ କାରଣରୁ କ୍ଷତିଗ୍ରସ୍ତ ହେବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ତାମିଲନାଡୁ, ରାଜସ୍ଥାନ ଓ ଗୁଜରାଟରେ ମଧ୍ୟ ସାମାନ୍ୟ ଗାଈକୁ ଧକ୍କା ଦେଇ ଏହି ଟ୍ରେନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହେବାର ଖବର ଆସିଛି। ତେବେ ବନ୍ଦେ ଭାରତ ଟ୍ରେନକୁ କେନ୍ଦ୍ର ସରକାର ଓ ରେଳ ମନ୍ତ୍ରାଳୟ ପକ୍ଷରୁ ଯେଉଁଭଳି ପ୍ରଚାର ପ୍ରସାର କରାଯାଉଛି ବାସ୍ତବରେ କିନ୍ତୁ ଏସବୁ ଘଟଣାକୁ ଦେଖିଲେ ସ୍ଥିତି ଓଲଟା ଭଳି ଜଣା ପଡ଼ୁଛି। ଛୋଟ ଛୋଟ ଦୁର୍ଘଟଣାରେ ଏହି ଟ୍ରେନ କ୍ଷତିଗ୍ରସ୍ତ ହେଉଛି ଓ ଅନ୍ୟ ଟ୍ରେନଠାରୁ ଅଧିକ ଭଡ଼ା ଦେଇ ଏଥିରେ ଯାତ୍ରା କରୁଥିବା ଯାତ୍ରୀ ମାନେ ବିଚରା ହନ୍ତସନ୍ତ ହେଉଛନ୍ତି।

ତେବେ ଏହାକୁ ଏକ ଅତ୍ୟାଧୁନିକ ଟ୍ରେନ ବୋଲି କୁହାଯିବା ସହ ବିମାନ ସହିତ ଏହାର ତୁଳନା କରାଯାଉଥିବା ବେଳେ ଏଭଳି ଛୋଟ ଛୋଟ ଦୁର୍ଘଟଣା ଏସବୁ ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି। ସେପଟେ ଓଡିଶାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବ୍ୟାଣ୍ଡ୍ ବାଜା ବନ୍ଦେ ଭାରତ ସାମାନ୍ୟ କାଳବୈଶାଖୀରେ ‘ଢୋ’ ହୋଇଗଲା ବୋଲି କୁହାଯାଉଛି।

Related Posts