ଭୁବନେଶ୍ୱର,୨୩/୫(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବେଧଡକ ଭାବେ ବଢୁଥିବା ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏହି କ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଗଞ୍ଜେଇ ନିଷେଧ ଉପରେ ଏକ ଚିଠି ଲେଖିଛି। ଶୈବପୀଠ ମାନଙ୍କରେ ଗଞ୍ଜେଇର ବ୍ୟବହାର ଅଧିକ ହେଉଛି ତେଣୁ ଏହି ସବୁ ଶୈବପୀଠ ଗୁଡ଼ିକରେ ଗଞ୍ଜେଇ ନିଷେଧ ପାଇଁ ନିର୍ଦ୍ଦେଶ ଦେଇଛି ସଂସ୍କୃତି ବିଭାଗ। ଗଞ୍ଜେଇ ବ୍ୟବହାର ରୋକିବାକୁ ଯଥା ସମ୍ଭବ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଆସିଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପଦ୍ମଶ୍ରୀ ବାବା ବଳିଆ। ସେ କହିଛନ୍ତି, ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରୁଛନ୍ତି। ଗଞ୍ଜେଇ ଟାଣିବା ଦ୍ବାରା ଯୁବପିଢ଼ି ବେମାରିଆ, ଅଳ୍ପାୟୁଷ ହେଉଛନ୍ତି। ଶିବଙ୍କ ଭୋଗରେ ଭାଙ୍ଗ ପଡ଼େ, ଗଞ୍ଜେଇ ପଡ଼େ ବୋଲି ଜଣେ ଆଧ୍ୟାତ୍ମିକ ଗୁରୁ ଭାବେ ସେ ଜାଣିନଥିବା କହିଛନ୍ତି। ଗଞ୍ଜେଇ ସେବନ କରିବା ଦ୍ବାରା ମଣିଷ ରୋଗଗ୍ରସ୍ତ ହୁଏ, ଏହା ଟାଣିବା ଅନୁଚିତ। ଏବେ ଯୁଗ ବଦଳିବା ସହ ପୁଅଙ୍କ ସହ ଝିଅମାନେ ବି ଗଞ୍ଜେଇ ଟାଣୁଛନ୍ତି ବୋଲି ସେ କହିଛନ୍ତି।
ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ଶୈବପୀଠରେ ଗଞ୍ଜେଇ ନିଷେଧ ସ୍ୱାଗତଯୋଗ୍ୟ। ଏହାକୁ ମୁଁ ସମର୍ଥନ କରୁଛି। ନିଶା ସେବନ ମନ୍ଦିର ଭିତରେ ହେବା ଉଚିତ୍ ନୁହେଁ । କେବଳ ଶୈବପୀଠ ନୁହେଁ ଯେକୌଣସି ଧର୍ମପୀଠରେ ନିଶା ସେବନ ଉଚିତ ନୁହେଁ ବୋଲି ସେ କହିଛନ୍ତି।





