ନୀତି ଆୟୋଗ ବୈଠକରେ ଯୋଗ ଦେବେନି ମମତା, ନୀତିଶ, କେଜ୍ରିୱାଲ ଓ ଭଗୱନ୍ତ ମାନ୍

ଭୁବନେଶ୍ୱର,୨୭/୫(ସତ୍ୟପାଠ ବ୍ୟୁରୋ): ନୂତନ ସଂସଦ ଭବନ ଉଦଘାଟନକୁ ନେଇ ବିରୋଧୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି । ଆଉ ଯାହାର ପ୍ରଭାବ ଆଜି ଦିଲ୍ଲୀରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ପଡ଼ିବାକୁ ଯାଉଛି । ନୀତି ଆୟୋଗରେ ସାମିଲ୍ ହେବାକୁ ମନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ।

ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନର ଉଦଘାଟନ କରିବେ । ଆଉ ଏହି ଉତ୍ସବକୁ ଏକାଧିକ ବିରୋଧୀ ଦଳ ବୟକଟ୍ କରିଛନ୍ତି । ସେପଟେ ଆଜି ବସୁଥିବା ନୀତି ଆୟୋଗ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେଉଁଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ସାମିଲ୍ ହେବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ଯୋଗ ଦେବାପାଇଁ ଦିଲ୍ଲୀ ଗସ୍ତରେ ଯିବେ।

ଏହି ନୀତି ଆୟୋଗ ବୈଠକରେ ୨୦୪୭ ବିକଶିତ ଭାରତ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଦିଲ୍ଲୀରେ ନିର୍ବାଚିତ ସରକାର ଓ ଉପରାଜ୍ୟପାଳଙ୍କ କ୍ଷମତାକୁ ନେଇ ଅଧ୍ୟାଦେଶ ପାଇଁ କେଜ୍ରିୱାଲ୍ ବୈଠକରେ ସାମିଲ୍ ହେବେ ନାହିଁ ବୋଲି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯେଉଁଠି ସଂଘୀୟ ଶାସନ ବ୍ୟବସ୍ଥା ଏକ ପ୍ରହସନରେ ପରିଣତ ହେଲାଣି ସେଠାରେ ନୀତି ଆୟୋଗ ବୈଠକରେ ଯୋଗଦେବାର ଅର୍ଥ କ’ଣ । ସେହିପରି ପଞ୍ଜାବର ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷକ ସହ ଜଡିତ ପ୍ରସଙ୍ଗକୁ କେନ୍ଦ୍ର ସରକାର ଅବହେଳା କରୁଥିବାରୁ ସେ ଏହି ବୈଠକରୁ ଦୂରେଇ ରହିବେ। ସେହିଭଳି କାର୍ଯ୍ୟ ବ୍ୟସ୍ତତା ଦର୍ଶାଇ ମମତା ମଧ୍ୟ ନୀତି ଆୟୋଗ ବୈଠକକୁ ଯିବେ ନାହିଁ ବୋଲି ସୂଚନା ମିଳିଛି ।

Related Posts