ଭୁବନେଶ୍ୱର,୨୭/୫(ସତ୍ୟପାଠ ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଘଟଣାରରେ ପୋଲିସର କାର୍ଯ୍ୟାନୁଷ୍ଠାନ । ୭ ଜଣଙ୍କୁ ଗିରଫ କରିବା ସହିତ ୨ଟି ଟ୍ରାକ୍ଟର ଜବତ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ଗତକାଲି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲର ପଥରଖମ୍ବ ଗାଁର ଏକ ସରକାରୀ ଜମିରୁ କିଛି ଦୁର୍ବୃତ୍ତ ଜେସିବି ଲଗାଇ ମାଟି ଖୋଳୁଥିଲେ ।ଖବର ପାଇ ତହସିଲଦାର ସିରିୟାଲ ଶୁଭ୍ର ପଟେଲ ଘଟଣାସ୍ଥଳକୁ ଯାଇଥିଲେ । ସେ ସେହି ସ୍ଥାନର ଫଟୋ ଉଠାଉଥିବାବେଳେ ୨ ଜଣ ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ପରେ ଆଉ କିଛି ଲୋକ ଆସି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏକ ଗଛର ଡାଳ ଭାଙ୍ଗି ତହସିଲଦାରଙ୍କୁ ପିଟିବା ସହ ତାଙ୍କ ସାର୍ଟକୁ ଘୋଷାରି ଆଣିଥିଲେ । ଏପରିକି ତାଙ୍କ ଗାଡି ଉପରକୁ ଜେସିବି ମଡାଇ ଦେବାକୁ ଉଦ୍ୟମ କରୁଥିଲେ ଏହି ଦୁର୍ବୃତ୍ତ ।
ତହସିଲଦାରଙ୍କ ପଛେ ପଛେ ଯାଇଥିବା ପରଜଙ୍ଗ ରାଜସ୍ୱ ନିରୀକ୍ଷକ ଆଲୋକ ଲେଙ୍କା ଓ ତହସିଲ ଅଫିସରେ କାର୍ଯ୍ୟରତ କନିଷ୍ଠ ପ୍ରେମାନନ୍ଦ ବେହେରା ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ ଦୁର୍ବୁତ୍ତ । ଲହୁଲୁହାଣ ଅବସ୍ଥାରେ ସମସ୍ତଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରଜଙ୍ଗ ତହସିଲଦାରଙ୍କ ମୁଣ୍ଡ ,ମୁହଁ ଓ ହାତରେ ଗଭୀର ଆଘାତ ଲାଗିଥିଲା । ୮ରୁ ୧୦ ଜଣ ମାଫିଆ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲେ। ଆହତ ଅବସ୍ଥାରେ ତହସିଲଦାର, ଆରଆଇ ଓ ଜଣେ କିରାଣୀଙ୍କୁ କାମାକ୍ଷାନଗର ମେଡିକାଲରେ ଉର୍ତ୍ତି କରାଯାଇଥିଲା ।





