ଗୁଜୁରାଟ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟକା, ଦଳରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ବ୍ୟାସ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହୋଇ ସାରିଛି। ଏହାପରେ ଏବେ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ରହିଛି। ତେବେ ଏସବୁ ଭିତରେ ରାଜ୍ୟରେ ବିଜେପିକୁ ଏକ ବଡ଼ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଓ ୪ଥରର ବିଧାୟକ ହୋଇଥିବା ଜୟ ନାରାୟଣ ବ୍ୟାସ୍ ଦଳରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ ସେ ଖୁବଶୀଘ୍ର କଂଗ୍ରେସ କିମ୍ବା ଆମ୍ ଆଦମୀ ପାର୍ଟିରେ ଯୋଗଦେବାର ବିକଳ୍ପ ମଧ୍ୟ ରଖିଛନ୍ତି।

ନିଜର ଇସ୍ତଫା ନେଇ ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ବ୍ୟାସ କହିଛନ୍ତି ଯେ, ‘ମୁଁ ବିଜେପିରେ ରହି ଖୁସି ନଥିଲି। ବିରକ୍ତ ହୋଇଯାଇଥିଲି। ସେଥିପାଇଁ ମୁଁ ଦଳରୁ ଇସ୍ତଫା ଦେଇଛି। ମୁଁ ମୋର ଆଗାମୀ ରାଜନୈତିକ ଗତିବିଧି ପାଇଁ ସମସ୍ତ ବିକଳ୍ପକୁ ଖୋଲା ରଖିଛି। ଯେଉଁ ବି ଦଳରେ ‌ଯୋଗ ଦେଲେ ମୁଁ ସିଦ୍ଧପୁର ବିଧାନସଭା ଆସନରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି। ଇସ୍ତଫା ପତ୍ରରେ ଜୟ ନାରାୟଣ ବ୍ୟାସ୍ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସର ଜଣେ ନେତା ସ୍ୱୀକାର କରିଛନ୍ତି ଯେ, ଜୟ ନାରାୟଣ ବ୍ୟାସ ଦଳର ନେତୃତ୍ୱଙ୍କ ସହ ଆଲୋଚନା କରୁଛନ୍ତି। ସେ କହିଛନ୍ତି ଯେ, ଜୟ ନାରାୟଣ ବ୍ୟାସ ସିଦ୍ଧପୁର ବିଧାନସଭା ଆସନରୁ ଟିକେଟ ଚାହୁଁଛନ୍ତି ଏବଂ ଏଥିପାଇଁ ଦଳ ସହ ଯୋଗାଯୋଗରେ ଅଛନ୍ତି। ସର୍ଭେରେ ଏହା ସାମ୍ନାକୁ ଆସିଛି ଯେ, ବର୍ତ୍ତମାନ ସୁଦ୍ଧା ସେ ସିଦ୍ଧପୁର ବିଧାନସଭା ଆସନରୁ ସବୁଠାରୁ ଲୋକପ୍ରିୟ ନେତା ଅଟନ୍ତି। ସେ ସିଦ୍ଧପୁରରେ ୭ଥର ପ୍ରତିଦ୍ୱନ୍ଦ୍ୱିତା କରି ୪ଥର ଜିତିଛନ୍ତି।

ତେବେ ବ୍ୟାସଙ୍କ ପାଇଁ ରାଜ୍ୟରେ ଏବେ ଦୁଇଟି ଦଳର ବିକଳ୍ପ ରହିଛି। ଏଭଳି ସ୍ଥିତିରେ ସେ ଆଗକୁ କଂଗ୍ରେସ କି ଆପର ହାତ ଧରିବେ, ତାହା ଦେଖିବାକୁ ବାକି ରହିଲା।

Related Posts