‘ଯଦି ମୁଁ ଠକ, ତାହେଲେ କେଜ୍ରିୱାଲ ଦେଶର ସବୁଠୁ ବଡ ମହାଠକ’; ପୁଣି ଜେଲରୁ ବିସ୍ଫୋରକ ଚିଠି ଲେଖିଲା ସୁକେଶ ଚନ୍ଦ୍ରଶେଖର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜେଲ ଭିତରୁ ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଏକ ବିସ୍ଫୋରକ ଚିଠି ଲେଖିଛି । ଏଥର ବି ତାର ଟାର୍ଗେଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଚିଠି ଲେଖି ସୁକେଶ କହିଛି ଯେ, ‘କେଜରିଓ୍ବାଲ ଯଦି କହୁଛନ୍ତି ମୁଁ ଦେଶର ସବୁଠାରୁ ବଡ ଠକ ତେବେ କାହିଁକି ସେ ମୋ ଠାରୁ ୫୦ କୋଟି ଟଙ୍କା ଦଳ ପାଇଁ ନେଇଥିଲେ ? ଆଉ ମୋତେ ରାଜ୍ୟସଭା ସିଟ୍‌ ଦେବାର ପ୍ରଲୋଭନ ଦେଖାଇଥିଲେ ? କେଜରିଓ୍ବାଲ ହେଉଛନ୍ତି ଦେଶର ସବୁଠୁ ବଡ ମହାଠକ।’

ଚିଠିରେ ସୁକେଶ ଆହୁରି କହିଛି ଯେ, ‘ଆମ୍‌ ଆଦମୀ ପାର୍ଟିରେ ଗୁରୁତ୍ବପୂର୍ଣ୍ଣ ପଦବୀ ଦେବାକୁ ମୋତେ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଏଥିପାଇଁ ୫୦ କୋଟି ଟଙ୍କା ପାର୍ଟି ଫଣ୍ଡକୁ ଦେବାକୁ କହିଥିଲେ । ଟଙ୍କା ବି ଦିଆଯାଇଥିଲା । କିନ୍ତୁ ପଦ ପଦବୀ ଦେଇନଥିଲେ କେଜରିଓ୍ବାଲ। ଏପରିକି ଜେଲରେ ଆପ୍‌ ନେତା ସତ୍ୟୈନ୍ଦ୍ର ଜୈନ ଓ ଜଣେ ପୋଲିସ ଡିଜି ତାଙ୍କୁ ଧମକ ବି ଦେଉଥିଲେ ବୋଲି ସେ ଚିଠିରେ ଲେଖିଛନ୍ତି । ତେବେ ଗତ ୨୦୧୫ ମସିହାରୁ ଆପ୍‌ ନେତା କେଜରିଓ୍ବାଲଙ୍କୁ ଜାଣିଥିବା ଚିଠିରେ କହିଛି ସୁକେଶ ।

କୋନମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର ଚିଠିରେ ଆହୁରି ମଧ୍ୟ ଲେଖିଛି ଯେ, ‘ଦଳ ପାଇଁ ପାଣ୍ଠି ଆଦାୟ କରିବାକୁ ଆପ୍ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ୨୦-୩୦ ଜଣଙ୍କୁ ଆଣିବା ସହ ସେମାନଙ୍କ ଠାରୁ ୫୦୦ କୋଟି ଟଙ୍କା ଆଣିବାକୁ ତାଙ୍କୁ କହିଥିଲେ । ଟଙ୍କା ଦେଲେ ପ୍ରତିବଦଳରେ ସେମାନଙ୍କୁ ନିର୍ବାଚନ ଲଢିବାକୁ ସିଟ୍‌ ମିଳିବ । ଏମିତି ବିଭିନ୍ନ ସମୟରେ ପ୍ରଲୋଭନ ଦେଖାଇ ନିଜ ଦଳ ଏବଂ ରାଜନୈତିକ ଉଦ୍ଦେଶ୍ୟ ହାସଲ କରିବା ପାଇଁ କେଜରିଓ୍ବାଲ ଟଙ୍କା ନେଇଛନ୍ତି ବୋଲି ସେ ଚିଠିରେ ଦାବି କରିଛି ।

ସୂଚନାଯୋଗ୍ୟ ଯେ, ବହୁକୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇ ଦିଲ୍ଲୀର ମାଣ୍ଡୋଲି ଜେଲରେ ଅଛି ସୁକେଶ ଚନ୍ଦ୍ରଶେଖର । ଅନେକ ହାଇପ୍ରୋଫାଇଲ ବ୍ୟକ୍ତି ଏବଂ ସେଲିବ୍ରିଟିଙ୍କ ଠାରୁ ସେ ଟଙ୍କା ଆଣିଥିଲା । ଗିରଫ ହେବାପରେ ତାକୁ ତିହାର ଜେଲରେ ରଖାଯାଇଥିଲା । କିନ୍ତୁ ସେଠାରେ ସେ ସୁରକ୍ଷିତ ନୁହେଁ ବୋଲି କୋର୍ଟଙ୍କୁ ଆବେଦନ କରିବା ପରେ ତିହାରରୁ ଦିଲ୍ଲୀର ମାଣ୍ଡୋଲି ଜେଲକୁ ପଠାଯାଇଥିଲା ।

Related Posts