ଛୋଟ ଗାଁ ରେ ବଡ ଘୋଟାଲା; ଜୀବିତ ଶ୍ରମିକଙ୍କୁ ମୃତ ଦର୍ଶାଇ ୪ ଲକ୍ଷ ଟଙ୍କା ଆତ୍ମସାତ

ଭୁବନେଶ୍ୱର,୨୯/୫(ସତ୍ୟପାଠ ବ୍ୟୁରୋ): ଜୀବିତ ଶ୍ରମିକଙ୍କୁ ମୃତ ଦର୍ଶାଇ ୪ ଲକ୍ଷ ଟଙ୍କା ଆତ୍ମସାତ। ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ। କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରମ କାର୍ଯ୍ୟଳୟରେ ପଞ୍ଜିକୃତ ଜଣେ ଜୀବିତ ଶ୍ରମିକଙ୍କୁ ମୃତ ଦର୍ଶାଇ ଅନୁକମ୍ପାମୂଳକ ୪ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଆଣିଥିବା ଶ୍ରମିକ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ସଦର ବ୍ଲକ ଅଧିନ ଆୟବା ପଞ୍ଚାୟତ ଗଣ୍ଡାକିଆ ଗ୍ରାମର ଚିତ୍ତରଞ୍ଜନ ସ୍ବାଇଁ । ତାଙ୍କର ଅଭିଯୋଗ ମୁତାବକ ସେ ନିର୍ମାଣ ଶ୍ରମିକ ଭାବେ ପରିଚୟପତ୍ର ହାସଲ କରିବା ସହିତ ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି ଓ ଛୋଟ ମୋଟ ବ୍ୟବସାୟ କରି ଜୀବିକା ନିର୍ବାହ କରନ୍ତି। ତେବେ ତାଙ୍କର ଶ୍ରମିକ କାର୍ଡ ନମ୍ବରରେ ଥିବା ନାମକୁ ସୁରେନ୍ଦ୍ର ପରିଡ଼ା ନାମକ ବ୍ୟକ୍ତିଙ୍କ ନାମରେ ବଦଳାଇ ତାଙ୍କୁ ଦୁର୍ଘଟଣା ଜନିତ ମୃତ ଦର୍ଶାଯାଇଛି । ଚିତ୍ତରଞ୍ଜନଙ୍କ କେନ୍ଦ୍ରାପଡ଼ାସ୍ଥିତ ୟୁନିଅନ ବ୍ୟାଙ୍କରେ ଆକାଉଣ୍ଟ ଥିବା ବେଳେ ମୃତ ଦର୍ଶାଯାଇଥିବା ବ୍ୟକ୍ତି ସୁରେନ୍ଦ୍ରଙ୍କର ବାଲେଶ୍ଵରର ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟ ନମ୍ବର୍ ଦିଆଯାଇଛି ଓ ସେହି ଆକାଉଣ୍ଟରୁ ଅନୁକମ୍ପା ଅର୍ଥ ୪ ଲକ୍ଷ ଟଙ୍କା ଉଠାଇ ଆତ୍ମସାତ କରାଯାଇଛି। ଯଦିଓ ମୃତ ଦର୍ଶାଯାଇଥିବା ସୁରେନ୍ଦ୍ରଙ୍କ ଘର ଗଣ୍ଡାକିଆ ବୋଲି ଦର୍ଶାଯାଇଛି ହେଲେ ସେପରି କୌଣସି ବ୍ୟକ୍ତି ସେ ଅଞ୍ଚଳରେ ନଥିବା ଓ ଗଣ୍ଡାକିଆରେ ଥାଇ ବାଲେଶ୍ଵରରେ ଆକାଉଣ୍ଟ ଖୋଲିବା ଘଟଣା ଟଙ୍କା ହଡ଼ପ ହୋଇଥିବା ସ୍ପଷ୍ଟ ଭାବେ ସୁଚାଉଥିବା ଚିତ୍ତରଞ୍ଜନ ଅଭିଯୋଗ କରିଛନ୍ତି।

ଏହି ଟଙ୍କା ହଡ଼ପ ଘଟଣାରେ DLO ଚାର୍ଜ ରେ ଥିବା ମହେଶ୍ୱର ନାୟକ ଓ ALO ଦେବାଶିଷ ଜେନା ସଂପୃକ୍ତ ଥିବା ଚିତ୍ତରଞ୍ଜନ କେନ୍ଦ୍ରାପଡ଼ା ସଦର ଥାନା ଅଧିକାରୀଙ୍କ ନିକଟରେ ଗତ ୨୬ ତାରିଖରେ ଅଭିଯୋଗ କରିଛନ୍ତି। ଘଟଣା ନେଇ ମୁଖ୍ୟ ଶାସନ ସଚିବଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ ଗତ ୨୭ ତାରିଖରେ ଶ୍ରମ ବିଭାଗକୁ ଏନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ତେବେ ସରକାର ବାରମ୍ବାର ନିଜ ସ୍ୱଚ୍ଛ ଓ ନିର୍ମଳ ଶାସନ କଥା କହୁଥିବା ବେଳେ ରାଜ୍ୟରେ ଜଣେ ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇ ଅନୁକମ୍ପା ରାଶି ହଡ଼ପ ହେବା ଘଟଣା ରାଜ୍ୟ ପ୍ରଶାସନ ଉପରେ ପ୍ରଶ୍ନ ଚିହ୍ନ ଲାଗାଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏବେ ଜୀବିତ ଥିବା ଚିତ୍ତରଞ୍ଜନଙ୍କୁ ନ୍ୟାୟ ମିଳୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।

Related Posts