କର୍ଣ୍ଣାଟକରେ କଂଗ୍ରେସକୁ ୧୩୬ ସିଟ୍ ମିଳିଥିଲା, ମଧ୍ୟପ୍ରଦେଶରେ ମିଳିବ ୧୫୦ ସିଟ୍: ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୯/୫(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକ ବିଜୟ ପରେ ଏବେ କଂଗ୍ରେସ ମଧ୍ୟରେ ଜୋରଦାର ଜୋସ୍ ଦେଖିବାକୁ ମିଳୁଛି। ଏହାରି ଭିତରେ ଦଳ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ଅନେକ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛି। ଏନେଇ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର କହିଛନ୍ତି ଯେ, ତାଙ୍କ ପାର୍ଟି କର୍ଣ୍ଣାଟକର ପ୍ରଦର୍ଶନକୁ ମଧ୍ୟପ୍ରଦେଶ ନିର୍ବାଚନରେ ଦୋହରାଇବ।

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟପ୍ରଦେଶ ନିର୍ବାଚନକୁ ନେଇ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କ ସହିତ ଆଜି ବୈଠକ କରିଛନ୍ତି। ଏହି ବୈଠକରେ ରାହୁଲ ଗାନ୍ଧୀ ଏବଂ ପାର୍ଟିର ସଂଗଠନ ସାଧାରଣ ସଂପାଦକ କେସି ବେଣୁଗୋପାଳ ମଧ୍ୟ ଯୋଗ ଦେଇଛନ୍ତି। ବୈଠକ ପରେ ରାହୁଲ ଗାନ୍ଧୀ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ କହିଛନ୍ତି, ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆମର ଆଭ୍ୟନ୍ତରୀଣ ଆକଳନ ଏହା ଯେ ଆମେ ମଧ୍ୟ ପ୍ରଦେଶରେ ୧୫୦ ସିଟ୍‌ରେ ଜିତିବୁ। କର୍ଣ୍ଣାଟକରେ ୧୩୬ ସିଟ୍ ମିଳିଥିଲା। ଆମେ କର୍ଣ୍ଣାଟକର ସଫଳତାକୁ ମଧ୍ୟପ୍ରଦେଶରେ ମଧ୍ୟ ଦୋହରାଇବୁ ବୋଲି ରାହୁଲ କହିଛନ୍ତି।

ତେବେ କଣ ମଧ୍ୟପ୍ରଦେଶରେ କଂଗ୍ରେସ ପକ୍ଷରୁ କମଲନାଥ ମୁଖ୍ୟମନ୍ତ୍ରୀ ଚେହେରା ହେବେ ପ୍ରଶ୍ନର ଉତ୍ତରରେ ରାହୁଲ କହିଛନ୍ତି, ରାଜ୍ୟରେ ଆମକୁ ୧୫୦ ସିଟ୍ ମିଳିବ। ବୈଠକରେ ମଧ୍ୟପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, ପାର୍ଟିର ରାଜ୍ୟ ପ୍ରଭାରୀ ଜୟପ୍ରକାଶ ଅଗ୍ରଓ୍ଵାଲ ଏବଂ ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ। ଏହି ସମୟରେ ସଂଗଠନ ଏବଂ ନିର୍ବାଚନ ପ୍ରସ୍ତୁତିକୁ ନେଇ ଆଲୋଚନା ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଶେଷ ଆଡ଼କୁ ମଧ୍ୟପ୍ରଦେଶ ସମେତ ଛତିଶଗଡ ଓ ରାଜସ୍ଥାନରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବର୍ତ୍ତମାନ ମଧ୍ୟପ୍ରଦେଶରେ ବିଜେପି ସରକାର ଥିବାବେଳେ ଉଭୟ ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସର ସରକାର ରହିଛି।

Related Posts