ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ କୁ ନେଇ ଏବେ ସମଗ୍ର ଦେଶ ଚିନ୍ତା ପ୍ରକଟ କରିଛି | ଅନ୍ୟ ସବୁ ଦେଶ ନିଜ ନିଜ ନାଗରିକ ମାନନ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଥିଲା ବେଳେ, ଭାରତର ପ୍ରାୟ ୨୦ ହଜାରରୁ ଉର୍ଧ ଏବେବି ଫସି ରହିଛନ୍ତି | ଯୁଦ୍ଧ ସ୍ଥିତି ମଧ୍ୟରେ ସ୍ବଦେଶ କୁ ଫେରିବା ସମ୍ଭବ ହୋଇପାରୁନାହିଁ | ବିମାନବନ୍ଦରରେ ରକେଟ୍ ମାଡ ହେବା ପରେ ସେଠିକାର ବିମାନ ଉଡାଣକୁ ରଦ୍ଦ କରାଯିବା ସହ ସେଠାରୁ ଫେରିଆସିବାର ସମ୍ଭାବନା କ୍ଷୀଣ ହୋଇଛି | ଅଭିଭାବକଙ୍କ ମନରେ କୋକୁଆ ଭୟ ଖେଳିଯାଇଛି | ସେଠୁ ନିଜ ପିଲାମାନେ କିପରି ଫେରିବେ ସେହି ଚିନ୍ତାରେ ଅଭିଭାବକ ଥିବା ବେଳେ, ଆଉ ଏହାର ଫାଇଦା ଉଠାଇଛନ୍ତି କିଛି ଦଲାଲ ।
ମଧ୍ୟପ୍ରଦେଶ ଭୋପାଳ ବିଦିଶା ଅଂଚଳରୁ ଆସିଛି ଏପରି ଏକ ଖବର । ବିଦିଶା ନିବାସୀ ବୈଶାଳୀ ବିଲ୍ସନଙ୍କ ଝିଅ ସୃଷ୍ଟିି ୟୁକ୍ରେନରେ ମେଡିକାଲ ପଢିବାକୁ ଯାଇଥିଲେ । ହେଲେ ସେଠିକାର ଯୁଦ୍ଧ ପରିସ୍ଥିତି ଯୋଗୁଁ ନିଜ ଝିଅକୁ ଫେରାଇ ଆଣିବାକୁ ଚାହିଁଛନ୍ତି । ଏଥିପାଇଁ ଫ୍ଲାଇଟ୍ ଟିକେଟ ବୁକ୍ କରାଇଦେବାକୁ କହିଥିଲେ ଜଣେ ବ୍ୟକ୍ତି । ନିଜକୁ ପିଏମଓର ଜଣେ କର୍ମୀ ବୋଲି ପରିଚୟ ଦେବାରୁ ତାଙ୍କ କଥାକୁ ବିଶ୍ୱାସ କରିଯାଇଥିଲେ ମା’ ବୈଶାଳୀ । ଆଗପଛ କିଛି ଚିନ୍ତା ନକରି ସେହି ଲୋକର ଆକାଉଣ୍ଟରେ ଜମା କଲେ ୪୪,୦୦୦ ଟଙ୍କା । ହେଲେ ଦୁଇ ଦିନ ବିତିଯାଇଥିଲେ ବି କୌଣସି ଟିକେଟ ମିଳିନଥିଲା । ଫଳରେ ଚିନ୍ତାରେ ପଡିଯାଇଥିଲେ ବୈଶାଳୀ । ବ୍ୟକ୍ତି ଜଣକ ଦେଇଥିବା ଫୋନରେ ଯୋଗାଯୋଗ କରିବାରୁ କିଛି ପ୍ରତିକ୍ରୟା ମିଳିନଥିଲା । ଶେଷରେ ପୋଲିସ ସହାୟତା ଲୋଡିଥିଲେ ସୃଷ୍ଟିଙ୍କ ମା’ ବୈଶାଳୀ ।
ପୋଲିସରେ ଖବର ଦେଇଥିବା ସୂଚନା ପାଇବା ପରେ ଦଲାଲ ଜଣକ ବୈଶାଳୀଙ୍କ ଆକଉଣ୍ଟରେ ମାତ୍ର ୫୯୦୦ ଟଙ୍କା ଫେରାଇଥିଲେ । ବାକି ଟଙ୍କା ଫେରାଇଦେବାକୁ କହି ଆଉ କିଛି ଯୋଗଯୋଗ କରିନଥିଲେ । ଏହାପରେ ପୋଲିସ ବ୍ୟକ୍ତି ଜଣଙ୍କୁ ଟ୍ରାକ୍ କରି ତଦନ୍ତ ଆରମ୍ଭ କରିଛି |
