(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ସ୍କୁଲ୍ ବନ୍ଦ ରହିଛି । ଯେଉଁ ବିଦ୍ୟାର୍ଥୀ ମାନଙ୍କ ପାଖରେ ଅନଲାଇନ କ୍ଲାସ କରିବା ପାଇଁ ଡିଜିଟାଲ ଡିଭାଇସ ଉପଲବ୍ଧ ଅଛି ସେମାନେ ପାଠପଢୁଛନ୍ତି। ଏହାରି ମଧ୍ୟରେ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ବିଦ୍ୟାଳୟରେ ଅଫଲାଇନ କ୍ଲାସ ଆରମ୍ଭ କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଛାତ୍ରଙ୍କ ତରଫରୁ ଦାଖଲ ହୋଇଥିବା ଏହି ଆବେଦନରେ ଦର୍ଶାଯାଇଛି ଯେ ନିୟମିତ ବିଦ୍ୟାଳୟ ଯିବାରୁ ବଞ୍ଚିତ ହେଉଥିବା କାରଣରୁ ଛାତ୍ରଛାତ୍ରୀ ଏବେ ଚାପଗ୍ରସ୍ତ ତଥା ସାମାଜିକ ବିଚ୍ଛିନ୍ନତା ଅନୁଭବ କରୁଛନ୍ତି।

ଏହି ଛାତ୍ର ଜଣକ ହେଉଛନ୍ତି ଦିଲ୍ଲୀର ଅମର ପ୍ରେମ ପ୍ରକାଶ । ସେ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିର କୌଣସି ହିସାବ ନାହିଁ। କାରଣ ଅନେକ ରାଜ୍ୟରେ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଆଉ କେତେକ ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏଭଳି ପରିସ୍ଥିତିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ଅଛନ୍ତି ଏବଂ ସେମାନେ ସ୍କୁଲ୍ ଯିବାରୁ ବଞ୍ଚିତ ହେଉଥିବା ଅନୁଭବ କରୁଛନ୍ତି।

ଶୁକ୍ରବାର ଦିନ କୋର୍ଟରେ ଏହି ଆବେଦନ ଦାଖଲ କରାଯାଇଥିଲା ଏବଂ ସୁପ୍ରିମକୋର୍ଟର ଏହାର ଶୁଣାଣି ବିଚାରାଧୀନ ଅଛି। ଅନଲାଇନ୍ କ୍ଲାସରେ ବିରକ୍ତ ହୋଇ ଆଡଭୋକେଟ୍ ରବି ପ୍ରକାଶ ମେହେରୋତ୍ରଙ୍କ ମାଧ୍ୟମରେ ଏହି ଆବେଦନ କରାଯାଇଛି। ଆଡଭୋକେଟ୍ ମେହେରୋତ୍ରା କହିଛନ୍ତି, “କ୍ରମାଗତ ଭାବରେ ଏବଂ ସେମାନଙ୍କୁ ନିୟମିତ କ୍ଲାସରୁ ବଞ୍ଚିତ କରିବା ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଏହି କାରଣରୁ ଛାତ୍ରଛାତ୍ରୀ ମାନେ କେବଳ ଚାପରେ ନାହାଁନ୍ତି ବରଂ ନିଜକୁ ସମାଜରୁ ବିଚ୍ଛିନ୍ନ ହେଉଥିବା ଅନୁଭବ କରୁଛନ୍ତି।” ଏହି ଆବେଦନରେ ସମସ୍ତ ଛାତ୍ରଛାତ୍ରୀଙ୍କ ଭାବନାକୁ ଏକ ସାମଗ୍ରିକ ଢଙ୍ଗରେ ଉଠାଇବାକୁ ଚେଷ୍ଟା କରାଯାଇଛି, ବିଶେଷକରି ଯେଉଁ ଛାତ୍ରଛାତ୍ରୀ ମାନେ ନିଜ ଘରେ ଅନଲାଇନ୍ କ୍ଲାସ କରି ପାରୁ ନାହାନ୍ତି ।

୧୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଠପଢା ଆରମ୍ଭ ହୋଇଥିବା ସମୟରେ ସୁପ୍ରିମକୋର୍ଟରେ ଏହି ଆବେଦନ କରାଯାଇଛି। ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଓଡିଶା, ମଧ୍ୟପ୍ରଦେଶ ଏବଂ ପଞ୍ଜାବ ଭଳି ରାଜ୍ୟ ଗୁଡିକରେ ଅଫଲାଇନ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଠପଢା ଆରମ୍ଭ ହୋଇଛି। ଏଥି ସହିତ ଦିଲ୍ଲୀ ସମେତ ଅନେକ ରାଜ୍ୟ ନିୟମିତ ଭାବେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇ ନାହାଁନ୍ତି। ଅଗଷ୍ଟ ୮ ରେ, ଡିଡିଏମଏ ଏବଂ ଦିଲ୍ଲୀ ସରକାର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ କିଛି ଜରୁରୀ ଶିକ୍ଷାଗତ କାର୍ଯ୍ୟ ପାଇଁ ବିଦ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ତେବେ ନିୟମିତ କ୍ଲାସ ଆରମ୍ଭ କରିବା ଉପରେ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନାହିଁ।