ଶିକ୍ଷାବର୍ଷ ପ୍ରସ୍ତୁତ କରୁନି ଉଚ୍ଚଶିକ୍ଷା ବିଭାଗ : ମନମାନି କରୁଛନ୍ତି ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ କଲେଜ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ଭୟାବହତାକୁ ଦୃଷ୍ଟିରେ ରଖି ଦୀର୍ଘ ୮ ମାସ ହେବ ୟୁଜି ଓ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନେ ଅନ୍‌ଲାଇନ୍‌ରେ ପାଠ ପଢୁଛନ୍ତି। ତେବେ ନିୟମିତ କ୍ଲାସ ହେଉନଥିବା ନେଇ ମଧ୍ୟ ଅଭିଯୋଗ ହେଉଛି। ତେବେ ଏହାରି ମଧ୍ୟରେ ଗୋଟିଏ ଶିକ୍ଷାବର୍ଷ ସମାପ୍ତ ହେବାକୁ ବସିଲାଣି, କିନ୍ତୁ ପ୍ରଥମ ସେମିଷ୍ଟର ପରୀକ୍ଷା ହୋଇପାରି ନାହିଁ ଏବଂ କେବେ ହେବ ସେନେଇ ମଧ୍ଯ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଏଟଟେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି କହିଛି ଯେ , ବିଶ୍ବବିଦ୍ୟାଳୟଗୁଡ଼ିକ ନିଜ ନିଜ ସ୍ତରରେ ଅନ୍‌ଲାଇନ୍‌ କିମ୍ବା ଅଫ୍‌ଲାଇନ୍‌ ମୋଡ୍‌ରେ ସେମିଷ୍ଟର ପରୀକ୍ଷା କରିପାରିବେ । ଉଚ୍ଚ ଶିକ୍ଷା ବିଭାଗର ଏହି ଵିଜ୍ଞପ୍ତିକୁ ଆଧାରରେ କେତେକ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ ଆଗୁଆ ନିଷ୍ପତ୍ତି ନେଇଯାଇଛନ୍ତି। ଏପଟେ ରେଭେନ୍ସା ବିଶ୍ବବିଦ୍ୟାଳୟ ସମେତ ଆଉ କେତେକ ଶିକ୍ଷାନୁଷ୍ଠାନ ଖୋଲି ନ ଥିଲେ ମଧ୍ୟ ଅଫ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

କରୋନା କାଳରେ କେତେକ ସ୍ବୟଂଶାସିତ ମହାବିଦ୍ୟାଳୟ ପରୀକ୍ଷା ବିଜ୍ଞପ୍ତି ଜାରି କରି ପିଲାଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି। ଅପରପକ୍ଷରେ ୟୁଜି ଏବଂ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରଥମ କି ଦ୍ବିତୀୟ ସେମିଷ୍ଟର ପରୀକ୍ଷା ଏପର୍ଯ୍ୟନ୍ତ ହୋଇନି । ଏମିତିକି କେତେକ କଲେଜରେ ଇଣ୍ଟରନାଲ ପରୀକ୍ଷା ବି କରାଯାଇନଥିବାର ସୂଚନା ରହିଛି। ପରୀକ୍ଷା ହୋଇନଥିବା ସତ୍ବେ ଦ୍ବିତୀୟ ବର୍ଷରେ ତଥା ତୃତୀୟ ସେମିଷ୍ଟରରେ ନାମ‌ଲେଖ‌ା ପାଇଁ ପିଲାଙ୍କୁ କୁହାଯାଇଛି। ନାମ ଲେଖାଇବାକୁ ବିଜ୍ଞପ୍ତି ବି ପ୍ରକାଶ ପାଇସାରିଛି। ବିନା ପରୀକ୍ଷାରେ ସ୍ବୟଂଶାସିତ ମହାବିଦ୍ୟାଳୟ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ କିଭଳି ପଦୋନ୍ନତି ଦେଲେ ତାହାକୁ ନେଇ ସ୍ବୟଂଶାସିତ କଲେଜର ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। 

ଛାତ୍ରଛାତ୍ରୀଙ୍କ ଅଭିଯୋଗ ହେଉଛି ଯେ କରୋନା ସମୟରେ ଏଭଳି କରି କଲେଜ ଆମ ଭବିଷ୍ୟତ ସହ ଖେଳୁଛନ୍ତି । ପରୀକ୍ଷା କିମ୍ବା ଶିକ୍ଷାବର୍ଷ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ବିଜ୍ଞପ୍ତି ଜାରି କରିନଥିବା ବେଳେ ପରୀକ୍ଷା ନକରି ଦ୍ବିତୀୟ ବର୍ଷ ପାଇଁ ଏବେଠାରୁ ପୁନଃ-ନାମଲେଖା ଫି’ ଆଦାୟ କରାଗଲାଣି। ଏଥିସହ ଆଗକୁ ଯଦି ସେମିଷ୍ଟର ପରୀକ୍ଷା ହୁଏ ‌ତେବେ ସେଥିପାଇଁ ବି ଫି’ ଦେବାକୁ ପଡ଼ିବ। ଗୋଟିଏ ପଟେ ନାମଲେଖା ଏବଂ ଅପରପକ୍ଷରେ ପରୀକ୍ଷା ଫି’ । ଏକା ସାଙ୍ଗରେ ଏତେ ଗୁଡ଼ାଏ ଟଙ୍କା କେଉଁଠୁ ଆଣିବୁ ବୋଲି ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି।

ଅଗଷ୍ଟ ମାସର ଅଧା ହୋଇଗଲାଣି । କିନ୍ତୁ ୟୁଜି ଓ ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ନେଇ କଲେଜଗୁଡ଼ିକ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଉ ନାହିଁ। ଏପଟେ କଲେଜ ଓ ବିଶ୍ବବିଦ୍ୟାଳୟରେ ଦ୍ବିତୀୟ ସେମିଷ୍ଟର ପାଠପଢ଼ା ଆରମ୍ଭ ହୋଇଛି। ଯଦି ସେପ୍ଟେମ୍ବରରେ ସେମିଷ୍ଟର ପରୀକ୍ଷା କରାଯାଏ ‌ତେବେ ବହୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସେମାନଙ୍କର ଚିନ୍ତା ହେଉଛି ପାଠପଢ଼ିବେ ନା ପରୀକ୍ଷା ଦେବେ। ପରୀକ୍ଷା ନିଷ୍ପତ୍ତି ବିଶ୍ବବିଦ୍ୟାଳୟ ଉପରେ ଛାଡ଼ି ଉଚ୍ଚଶିକ୍ଷା ବିଭାଗ ନୀରବ ଦ୍ରଷ୍ଟା ସାଜିଥିବା ବେଳେ ଛାତ୍ରଛାତ୍ରୀ ମାନସିକ ଚିନ୍ତାରେ ପଡ଼ିଛନ୍ତି। ୟୁଜି ଓ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସେମିଷ୍ଟର ପରୀକ୍ଷା ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ଅଧିକାଂଶ ବିଶ୍ବବିଦ୍ୟାଳୟ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନିଷ୍ପତ୍ତି ନେଇନାହାନ୍ତି। ଅଗଷ୍ଟ ୩୧ ପର୍ଯ୍ୟନ୍ତ ଅପେକ୍ଷା କରିଥିବା ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ କରିଛନ୍ତି।

Related Posts