ବିଶ୍ୱ କ୍ରିକେଟ୍ ଇତିହାସରେ ପ୍ରଥମ; କୌଣସି ବଲ୍ ନ ଖେଳି ଆଉଟ୍ ହେଲେ ଆଞ୍ଜେଲୋ ମାଥ୍ୟୁସ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିନିକିଆ କ୍ରିକେଟ୍ ବିଶ୍ୱକପର ୩୮ତମ ମ୍ୟାଚ୍ ସୋମବାର ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି । ତେବେ ଆଜିର ମ୍ୟାଚ୍‌ରେ ଏକ ବିରଳ ଘଟଣାରେ ଶ୍ରୀଲଙ୍କା ବ୍ୟାଟର ଆଞ୍ଜେଲୋ ମାଥ୍ୟୁସଙ୍କୁ ଟାଇମ୍ ଆଉଟ୍ ଯୋଗୁଁ ଅମ୍ପାୟର ଆଉଟ୍ ଘୋଷଣା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, କ୍ରିକେଟ୍ ନିୟମ ଅନୁସାରେ ଯଦି କୌଣସି ଖେଳାଳି ଆଉଟ୍ ହେବା ପରେ ନୂଆ ବ୍ୟାଟର ତିନି ମିନିଟ୍ ଭିତରେ କ୍ରିଜରେ ନପହଞ୍ଚନ୍ତି ତେବେ ତାଙ୍କୁ ଟାଇମ୍ ଆଉଟ୍ ନିୟମ ଅନୁସାରେ ଆଉଟ୍ ଘୋଷଣା କରାଯିବ ।କ୍ରିକେଟ୍ ପ୍ରେମୀ, ବିଶେଷଜ୍ଞ ଟାଇମ୍ ଆଉଟ୍ ନିୟମ ପଢିଛନ୍ତି, କିନ୍ତୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଏହା ଘଟିଛି ।

ଆଜି ଶ୍ରୀଲଙ୍କା ଇନିଂସର ୨୫ତମ ଓଭରରେ ସଦୀରା ମସରବିକ୍ରମା ଆଉଟ୍ ହେବା ପରେ ଆଞ୍ଜେଲୋ ମାଥ୍ୟୁସ ବ୍ୟାଟିଂ ପାଇଁ ଆସିଥାନ୍ତେ । ସାଧାରଣତଃ ବ୍ୟାଟର ନିଜ ନମ୍ୱର ଆସିବା ପୂର୍ବରୁ ପ୍ରସ୍ତୁତ ହୋଇ ବସିଥାନ୍ତି । ମାଥ୍ୟୁସ୍ ମଧ୍ୟ ବ୍ୟାଟିଂ ପାଇଁ ପ୍ରସ୍ତୁତ ଥିଲେ ଓ ସମୟ ପୂର୍ବରୁ ମୌଦାନକୁ ଆସିଥିଲେ । କିନ୍ତୁ କ୍ରିଜରେ ପହଞ୍ଚିବା ପୂର୍ବରୁ ସେ ନିଜ ହେଲ୍‌ମେଟ୍‌ର ଷ୍ଟ୍ରିପ୍ ଟାଇଟ୍ କରିବା ବେଳେ ତାହା ଛଡ଼ି ଯାଇଥିଲା । ଏହି କାରଣରୁ ମାଥ୍ୟୁସ କ୍ରିଜରେ ପହଞ୍ଚିବା ପୂର୍ବରୁ ନିଜ ସହ-ଖେଳାଳିଙ୍କ ଦ୍ୱାରା ଦ୍ୱିତୀୟ ହେଲ୍‌ମେଟ୍ ମଗାଇଥିଲେ । ସମୟ ବର୍ବାଦ ହେଉଥିବା ଦେଖି ବାଂଲାଦେଶ କ୍ରିକେଟ୍ ଟିମ୍ ଅମ୍ପାୟରଙ୍କୁ ଅଭିଯୋଗ କରିଥିଲେ । ସତରେ ଏହା ଉପରେ ଅପିଲ୍ କରିବାକୁ ଚାହୁଁଛନ୍ତି କି ବୋଲି ବାଂଲାଦେଶ ଅଧିନାୟକଙ୍କୁ ଅନ୍ ଫିଲ୍ଡ ଅମ୍ପାୟର ପଚାରିଥିଲେ ।

ସକିବ୍ ଅଲ୍ ହସନଙ୍କ ଅପିଲ୍ ପରେ ଅମ୍ପାୟର ଆଞ୍ଜେଲୋ ମାଥ୍ୟୁସଙ୍କୁ ଆଉଟ୍ ଘୋଷଣା କରିଥିଲେ । ମାଥ୍ୟୁସ କ୍ରିଜରେ ନପହଞ୍ଚିବା କାରଣ ଅମ୍ପାୟରଙ୍କୁ ଜଣାଇଥିଲେ ମଧ୍ୟ ସେ ଶୁଣି ନଥିଲେ । ଏହାପରେ ବିନା କୌଣସି ବଲ୍ ଖେଳି ସେ ପାଭେଲିୟନକୁ ଫେରିବାକୁ ବାଧ୍ୟ ହୋଇଥିଲେ । ନିୟମ ଅନୁସାରେ ଜଣେ ବ୍ୟାଟରଙ୍କ ଆଉଟ୍ ହେବାର ତିନି ମିନିଟ୍ ଭିତରେ ପରବର୍ତ୍ତୀ ବ୍ୟାଟରଙ୍କୁ କ୍ରିଜରେ ପହଞ୍ଚିବାକୁ ହେବ । ଆଞ୍ଜେଲୋ ମାଥ୍ୟୁସଙ୍କ ଭୁଲ ଏହା ଯେ ସେ ସମୟର ପୂର୍ବରୁ ମୈଦାନକୁ ଆସିଥିଲେ, କିନ୍ତୁ କ୍ରିଜରେ ପହଞ୍ଚି ନଥିଲେ । ଯଦି ଭଙ୍ଗା ହେଲ୍‌ମେଟ୍ ଧରି କ୍ରିଜରେ ପହଞ୍ଚିଥାନ୍ତେ, ତେବେ ଆଉଟ୍ ହୋଇ ନଥାନ୍ତେ ।

Related Posts