୫ ଦଫା ଦାବି ନେଇ ଆଜି ଭଞ୍ଜସେନା ପକ୍ଷରୁ ୪ ଘଂଟିଆ ହରତାଳ ଓ ବିକ୍ଷୋଭ ପ୍ରଦର୍ଶନ

ବାରିପଦା : ତାତିଲା ଭଞ୍ଜସେନା | ୫ ଦଫା ଦାବି ନେଇ ରାଜରାସ୍ତାକୁ ଓଲେହିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି | ଆଜି ଭଞ୍ଜସେନା ପକ୍ଷରୁ ୪ ଘଂଟିଆ ହରତାଳ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ଗୁଣାତ୍ମକ ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ ସେବା ସାଙ୍ଗକୁ ପର୍ଯ୍ୟଟନ ଓ ଗମନାଗମନର ବିକାଶ ଭଳି ବିଭିନ୍ନ ୫ ଦଫା ଦାବିରେ ଆଜି ଭଞ୍ଜସେନା ପକ୍ଷରୁ ଜିଲ୍ଲାର ସମସ୍ତ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ହରତାଳ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବିଭିନ୍ନ ଦାବି ପୂରଣ ନିମନ୍ତେ ସରକାରଙ୍କ ପରେ ଚାପ ପ୍ରୟୋଗ ନିମନ୍ତେ ବାରିପଦା ସହର ଦେଇ ଯାଇଥିବା ୧୮ ନଂ ଜାତୀୟ ରାଜପଥର ପାଲବଣି ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସକାଳୁ ରାସ୍ତାରୋକ କରାଯାଇଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ହରତାଲ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଚାଲିବ । ଭଞ୍ଜ ସେନା ପକ୍ଷରୁ ଏହି ହରତାଳ ଡାକରା ଦିଆଯାଇଥିବା ବେଳେ ଏଥିଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି।

ଭଞ୍ଜସେନା ପକ୍ଷରୁ ପ୍ରମୁଖ ଦାବି ଗୁଡିକ ହେଲା, ମୟୂରଭଞ୍ଜ ଜିଲ୍ଲାରେ ଶୁଦ୍ଧ ପାନୀୟ ଜଳ, ଜିଲ୍ଲାରେ ଅଭାବ ଥିବା ଡାକ୍ତର ପଦବୀ ପୂରଣ ସମେତ କର୍ମଚାରୀ ଓ ଆବଶ୍ୟକୀୟ ଉପକରଣ ଯୋଗାଇ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ ଦାବି ନେଇ ଜିଲ୍ଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏ ବାବଦରେ ବାରମ୍ବାର ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସରକାର ଉକ୍ତ ସମସ୍ୟା ଗୁଡିକୁ ଆଦୌ ଗୁରୁତ୍ୱ ପ୍ରଦାନ କରୁନାହାନ୍ତି ।

ତେଣୁ ଆଜି ସକାଳ ୬ଘଟିକା ଠାରୁ ୧୦ଘଟିକା ପର୍ଯ୍ୟନ୍ତ ୧୮ ନମ୍ବର ଓ ୪୯ ନମ୍ବର ଜାତୀୟ ରାଜପଥ ସହିତ ଜିଲ୍ଲାର ସମସ୍ତ ରାଜ୍ୟ ରାଜପଥ ଏବଂ ମୟୂରଭଞ୍ଜ ର ସମସ୍ତ ପ୍ରମୁଖ ରାସ୍ତା ଗୁଡିକ ଉପରେ ହରତାଳ କରାଯାଇଛି । ଏହାପରେ ବି ଯଦି ସରକାର ଏ ଦିଗରେ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ବୋଲି ଚେତାବନୀ ଦିଆଯାଇଛି।

ଏହା ପ୍ରତିବାଦରେ ଆଜି ଭଞ୍ଜସେନା ପକ୍ଷରୁ ହରତାଲ ଡାକରା ଦିଆଯାଇଛି। ଫଳରେ ରାସ୍ତାରେ ବହୁ ସଂଖ୍ୟାରେ ଗାଡ଼ି ମୋଟର ଅଟକି ରହିଥିବା ବେଳେ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି।

Related Posts