ବନ୍ଧୁକଧାରୀ ଯୁବକଙ୍କ ସ୍କୁଲ୍ ଭିତରେ ଆଖିବୁଜା ଗୁଳିମାଡ଼, 3ମୃତ, ଅନେକ ଆହତ

ମସ୍କୋ: ରୁଷର କେନ୍ଦ୍ରୀୟ ଉଲୟାନୋଭସ୍କ ଅଞ୍ଚଳରେ ଥିବା ଗୋଟିଏ ଛୋଟ ପିଲାଙ୍କ ସ୍କୁଲରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଛି। ଫଳରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ମୃତକଙ୍କ ମଧ୍ୟରେ ଦୁଇ ଜଣ ଛୋଟ ପିଲା ରହିଛନ୍ତି । ଏଥିସହ ଅନେକ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିଛି।

ତେବେ କେଉଁ କାରଣରୁ ଓ କିଏ ଏପରି ଗୁଳିମାଡ଼ କଲା ସେକଥା ସ୍ପଷ୍ଟ ହୋଇନି। ଘଟଣା ସ୍ଥଳରେ ସୁରକ୍ଷାକର୍ମୀମାନେ ଆକ୍ସନ ମୋଡରେ ରହିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଗୁଳିମାଡ଼ ପରେ ବନ୍ଧୁକାରୀ ଜଣଙ୍କ ନିଜେ ମଧ୍ୟ ଆତ୍ମହତ୍ୟା କରିଛି। ତା’ ମୁହଁ ଓ ମୁଣ୍ଡରେ କ୍ଷତ ଚିହ୍ନ ରହିଥିବାରୁ, ତା’କୁ ଚିହ୍ନଟ କରିବାରେ ପ୍ରଶାସନ ଏଯାଏ ସକ୍ଷମ ହୋଇନାହିଁ। ଘଟଣା ପରେ ସ୍କୁଲ ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ସ୍କୁଲକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ମଧ୍ୟ ସିଲ କରାଯାଇଛି। ଘଟଣାସ୍ଥଳରେ ସନ୍ଧାନୀକାରୀ କୁକୁର ଓ ସାଇଣ୍ଟିଫିକ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଭେଶକାୟମା ଗାଁରେ ଥିବା ଗୋଟିଏ ଛୋଟ ପିଲାଙ୍କ ସ୍କୁଲରେ ଗୁଲିମାଡ଼ ହୋଇଛି। ମଧ୍ୟାହ୍ନ ଭୋଜନ ପରେ ବନ୍ଧୁକଧାରୀ ଜଣକ ସ୍କୁଲରେ ପଶି ପ୍ରଥମେ ୨ ଜଣ ପିଲାଙ୍କୁ ଗୁଳି କରିଥିଲା। ଏହାପରେ ଜଣେ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ।

ଆଉ କିଛି ପିଲା ଓ ସ୍କୁଲ କର୍ତ୍ତୃପକ୍ଷ ଗୁଳିମାଡ଼ର ଶିକାର ହୋଇଛନ୍ତି। ଆଖିବୁଜା ଗୁଳିମାଡ଼ ପରେ ଆକ୍ରମଣକାରୀ ଜଣଙ୍କ ମଧ୍ୟ ସ୍କୁଲ ଭିତରେ ନିଜ ଇଜ-୨୭ ଡବଲ ବ୍ୟାରେଲ୍ଡ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲା।

ଘଟଣା ସ୍ଥଳରେ ସୁରକ୍ଷାକର୍ମୀମାନେ ପହଂଚି ତଦନ୍ତ କରିବା ସହ ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି ।

Related Posts