କୋଶଲ ରାଜ୍ୟ ହେଲେ ଭଲ: ବିଜେପି ନେତା ପ୍ରଦୀପ ପୁରୋହିତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସ୍ଵତନ୍ତ୍ର କୋଶଲ ରାଜ୍ୟ ଗଠନ ପାଇଁ ବୁଧବାର ସମଗ୍ର ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଏହି ବନ୍ଦକୁ ପଶ୍ଚିମ ଓଡ଼ିଶାର ଅନେକ ସଙ୍ଗଠନ ସମର୍ଥନ ମଧ୍ୟ କରିଥିଲେ। ତେବେ ବନ୍ଦ୍ ପରେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହେଇ ଯାଇଛି। ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ୨୨ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରା ଓଡ଼ିଶାକୁ ସମାନ ଦୃଷ୍ଟିରେ ଦେଖିଛନ୍ତି। ଯେଉଁଠି ସମସ୍ୟା ଅଛି, ସରକାରଙ୍କ ସହିତ ଆଲୋଚନା କଲେ, ତାର ସମାଧାନ କରାଯିବ। ହେଲେ ମନ୍ତ୍ରୀଙ୍କ ଏହି ଉତ୍ତରକୁ ନାପସନ୍ଦ କରିଛି ବିଜେପି। ବିଜେପି ନେତା ପ୍ରଦୀପ ପୁରୋହିତ ଏହାକୁ ନେଇ କହିଛନ୍ତି ଯେ, ମନ୍ତ୍ରୀ ଟୁକୁନି ସାହୁଙ୍କ କଥାରେ ମୁଁ ବିଲକୁଲ ସହମତ ନୁହେଁ। ସେ ନବୀନ ବାବୁଙ୍କୁ ସୁରକ୍ଷା ଦେବାକୁ ଯାଇ ଏଭଳି କହିଛନ୍ତି। ନବୀନ ବାବୁ ଦୀର୍ଘ ୨୨ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ରାଜ୍ୟରେ ସରକାରରେ ଅଛନ୍ତି। ଏହି ସମୟରେ ପଶ୍ଚିମ ଓଡ଼ିଶା ସବୁଠାରୁ ଅଧିକ ଅବହେଳିତ ହୋଇ ରହିଛି। ଆଜିର ସ୍ଵତନ୍ତ୍ର ରାଜ୍ୟ ପାଇଁ ଯେଉଁ ଆନ୍ଦୋଳନ ହେଉଛି ସେଥିପାଇଁ ନବୀନ ବାବୁ ହିଁ ଦାୟୀ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପାଇଁ ଦୀର୍ଘଦିନ ହେବ ଆନ୍ଦୋଳନ ହୋଇ ଆସୁଛି। କେଉଁ ଜାଗାରେ ଏହି ବେଞ୍ଚ ସ୍ଥାପନ ହେବ ସେନେଇ ଆଜିଯାଏଁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିସ କଲେ ନାହିଁ। ପଶ୍ଚିମଓଡିଶାର ବିକାଶ ପାଇଁ ‘ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’ ଗଠନ ହେଲା। ହେଲେ ଏହାର ସ୍ଥାୟୀ କାର୍ଯ୍ୟାଳୟ ପଶ୍ଚିମ ଓଡ଼ିଶାରେ ହୋଇପାରିଲା ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରରୁ ୨ଲକ୍ଷ ଘର ଆସିଲା। ହେଲେ ସେଥିମଧ୍ୟରୁ ଗୋଟିଏ ହେଲେ ଘର ପଶ୍ଚିମ ଓଡ଼ିଶାକୁ ମିଳିଲା ନାହିଁ । ବାରମ୍ବାର ପଶ୍ଚିମ ଓଡ଼ିଶାର ଲୋକମାନେ ନବୀନ ବାବୁଙ୍କ ନେତୃତ୍ଵାଧୀନ ସରକାର ଦ୍ଵାରା ଉପେକ୍ଷିତ ହେଉଥିବା କରଣରୁ ଜନ ଅସନ୍ତୋଷ ତିବ୍ରରୁ ତୀବ୍ର ହେଉଛି ଏବଂ ଗୋଟିଏ ସ୍ଵତନ୍ତ୍ର ରାଜ୍ୟ ପାଇଁ ଦାବି ହେଉଛି ବୋଲି ସେ କହିଛନ୍ତି।

ଏହି ପ୍ରସଙ୍ଗରେ ସେ ଆହୁରି କହିଛନ୍ତି ଯେ, ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ ପ୍ରଫୁଲ୍ଲ ଘଡେ଼ଇ କମିଟି ଗଠନ ହୋଇଥିଲା। ଓଡ଼ିଶାର କେଉଁ କେଉଁ ବ୍ଲକ ପଛୁଆ ଅଂଚଳ ରହିଛି ସେହି କମିଟି ଚିହ୍ନଟ କରିଥିଲେ। ସେଥିମଧ୍ୟରୁ ଅଧିକାଂଶ ବ୍ଲକ ପଶ୍ଚିମ ଓଡ଼ିଶାର ଥିଲା। ସେହି କମିଟି ରିପୋର୍ଟ ଅନୁଯାୟୀ ନବୀନ ବାବୁ ପଶ୍ଚିମ ଓଡ଼ିଶାର କେତେ ବିକାଶ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ପଶ୍ଚିମ ଓଡ଼ିଶା ନଦୀ ନାଳରେ ଭରପୁର ହୋଇକି ରହିଛି। ଏତେ ସଂଖ୍ୟକ ନଦୀ ନାଳ ରହିଥିବା ସତ୍ତ୍ବେ ଜଳସେଚନର ବ୍ୟବସ୍ଥା ନାହିଁ। ପଶ୍ଚିମ ଓଡ଼ିଶାର ଚାଷୀ ମାନେ ଶୋଷଣର ଶିକାର ହେଉଛନ୍ତି। ସେଥିପାଇଁ ପଶ୍ଚିମ ଓଡ଼ିଶାରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେଉଛି ଓ ସେମାନେ ଏକ ସ୍ଵତନ୍ତ୍ର ରାଜ୍ୟ ପାଇଁ ଦାବି କରୁଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି।

ସ୍ଵତନ୍ତ୍ର ରାଜ୍ୟ ଦାବିକୁ ସମର୍ଥନ କରି ଶ୍ରୀ ପୁରୋହିତ କହିଛନ୍ତି ଯେ, ପୂର୍ବରୁ ବିଜେପି ଅନେକ ଛୋଟ ଛୋଟ ରାଜ୍ୟ ତିଆରି କରିସାରିଛି। ପ୍ରଶାସନିକ ଦୃଷ୍ଟିରୁ ଛୋଟ ରାଜ୍ୟର ଆବଶ୍ୟକତା ରହିଛି। ଆଉ ଗୋଟେ ଛୋଟ ରାଜ୍ୟ ହେବା ସ୍ୱାଗତଯୋଗ୍ୟ। ଛୋଟ ରାଜ୍ୟ ହେଲେ ଅଧିକ ବିକାଶ ହେବ ବୋଲି ସେ କହିଛନ୍ତି।

Related Posts