ସାଉଦି ଆରବର ପବିତ୍ର ସହର ମଦିନାରୁ ମିଳିଲା ସୁନା ଓ ତମ୍ବାର ବିରାଟ ଭଣ୍ଡାର

ରିୟାଦ: ସାଉଦି ଆରବର ପବିତ୍ର ସହର ମଦିନାରୁ ମିଳିଲା ସୁନା ଓ ତମ୍ବାର ବିରାଟ ଭଣ୍ଡାର। ନିଜେ ସାଉଦି ଆରବ ସରକାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସାଉଦି ଭୂତତ୍ତ୍ୱ ସର୍ବେକ୍ଷଣ ଗୋଟିଏ ଟ୍ୱିଟର ପୋଷ୍ଟରେ କହିଛି ଯେ ମଦିନା ଅଞ୍ଚଳର ଆବା ଅଲ-ରାହା ସୀମା ମଧ୍ୟରେ ଏହି ସୁନା ପଥରଗୁଡ଼ିକୁ ଠାବ କରାଯାଇଛି।

ସେହିପରି ତମ୍ବାର ଭଣ୍ଡାର ମଦିନାସ୍ଥିତ ୱାଡି ଅଲ-ଫରାର ଅନ୍ତର୍ଗତ ଅଲ-ମାଦିକର ୪ଟି ଅଞ୍ଚଳରୁ ଆବିଷ୍କୃତ କରାଯାଇଛି। ଏହି ଆବିଷ୍କାର ସହିତ ଆମେ ପୂରା ବିଶ୍ୱକୁ ପୁଞ୍ଜିନିବେଶ କରିବାର ସୁଯୋଗ ଦେଉଛୁ ବୋଲି ଏଥିରେ କୁହାଯାଇଛି।

ଅଲ ଆରବିୟାର ରିପୋର୍ଟ ଅନୁଯାୟୀ, ନୂଆ ଆବିଷ୍କାର ବର୍ତ୍ତମାନ ସ୍ଥାନୀୟ ଓ ଅନ୍ତର୍ଜାତୀୟ ନିବେଶକଙ୍କୁ ଆକର୍ଷିତ କରିବ। ଏହା ଦେଶର ଅର୍ଥନୀତିକୁ ବୃଦ୍ଧି କରିବାରେ ସହାୟକ ହେବ। ଅଧିକାରୀମାନେ ଆଶା କରିଛନ୍ତି ଯେ ନୂଆ କରି ଆବିଷ୍କୃତ ହୋଇଥିବା ଅଞ୍ଚଳରେ ପ୍ରାୟ ୫୩୩ ନିୟୁତ ଡଲାରର ପୁଞ୍ଜି ବିନିଯୋଗ ହେବ ଓ ଏହାଦ୍ୱାରା ୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ବିଶେଷଜ୍ଞଙ୍କ ମତରେ ଏହି ସୁନା ଓ ତମ୍ବା ଭଣ୍ଡାର ଠାବ ହେବା ଦ୍ୱାରା ସାଉଦିରେ ଖଣି ଖନନ ପାଇଁ ଏକ ଗୁଣାତ୍ମକ ସୁଯୋଗ ସୃଷ୍ଟି ହୋଇଛି। ବଡ଼ବଡ଼ କମ୍ପାନୀ ଓ ବ୍ୟବସାୟୀମାନେ ପୁଞ୍ଜି ବିନିଯୋଗ କରିବାକୁ ମଧ୍ୟ ଆଗ୍ରହ ଦେଖାଇବେ। ସାଉଦି ଆରବରେ ୫,୩୦୦ରୁ ଅଧିକ ସ୍ଥାନରେ ଖଣିଜ ଦ୍ରବ୍ୟ ଗଚ୍ଛିତ ହୋଇ ରହିଛି।

Related Posts