ଦେଶର ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଓ ଏୟାରପୋର୍ଟ କର୍ମଚାରୀଙ୍କୁ ସେନାରେ ସାମିଲ ହେବାକୁ ରୁଷ ସରକାରଙ୍କ ନିର୍ଦ୍ଦେଶ

ମସ୍କୋ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ଭୟଂକର ରୂପ ଧାରଣ କରିବାରେ ଲାଗିଛି । ଋଷ ପରମାଣୁ ଯୁଦ୍ଧର ଧମକ ଦେବା ପରେ ବଡ଼ଧରଣର ହମଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୩ ଲକ୍ଷ ରିଜର୍ଭ ସୈନ୍ୟକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହିବା ସହ ସାଧାରଣ ଲୋକଙ୍କୁ ମଧ୍ୟ ସେନାର ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୧୮ରୁ ୬୫ ବର୍ଷର ନାଗରିକଙ୍କ ଦେଶ ଛାଡ଼ିବା ଉପରେ ମଧ୍ୟ ରୁଷ ରୋକ ଲଗାଇ ଦେଇଛି।

ଏବେ ଦେଶର ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଓ ଏୟାରପୋର୍ଟ କର୍ମଚାରୀଙ୍କୁ ମଧ୍ୟ ସେନାରେ ସାମିଲ ହେବାକୁ ରୁଷ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୫ଟି ଏୟାରଲାଇନ୍ସ ଓ ୧୦ଟି ଏୟାରପୋର୍ଟ କର୍ମଚାରୀଙ୍କୁ ମିଲାଟାରୀ ରେଜିଷ୍ଟ୍ରେସନ ଓ ଅଫିସରେ ରିପୋର୍ଟ କରିବାକୁ କୁହାଯାଇଛି। ଏହାର ଅର୍ଥ ସେମାନେ ମଧ୍ୟ ଯୁଦ୍ଧରେ ରୁଷ ସେନାର ସହାୟତା କରିବେ।

ରାଷ୍ଟ୍ରପତି ପୁଟିନଙ୍କ ସୈନ୍ୟ ସଞ୍ଚାଳନ ନିର୍ଦ୍ଦେଶ ପରେ ଏପରି ଘଟଣା ଘଟିଛି। ଏହି ଘୋଷଣାର ଦିନକ ପରେ ଦେଶର ସବୁଠାରୁ ବଡ଼ ଏୟାରଲାଇନ୍ସ ଏରୋଫ୍ଲଟ ଗ୍ରୁପ ସମେତ ୫ଟି ଏୟାରଲାଇନ୍ସକୁ ମୋବିଲାଇଜେସନ ନୋଟିସ ଯାଇଛି। ସେହିପରି ୧୦ରୁ ଅଧିକ ଏୟାରପୋର୍ଟ କର୍ମଚାରୀଙ୍କୁ ତୁରନ୍ତ ସେନାରେ କାମ କରିବାକୁ ସମନ କରାଯାଇଛି।

୩ଟି କମ୍ପାନୀର ୫୦ରୁ ୮୦% କର୍ମଚାରୀଙ୍କୁ ବାଧ୍ୟତାମୂଳକ ଭାବେ ସେନାରେ ସାମିଲ ହେବାକୁ କୁହାଯାଇଥିବା ଜଣାପଡ଼ିଛି। ଏରୋଫ୍ଲଟର ସୂତ୍ର ଅନୁସାରେ, ଗ୍ରୁପ ଅଧୀନରେ ଥିବା ୩ଟି ଏୟାରଲାଇନ୍ସର ଅଧା କର୍ମଚାରୀ ସେନାରେ ନିଯୁକ୍ତ ହେବେ। ଏହା ମଧ୍ୟରେ ରୋସିୟା ଏୟାରଲାଇନ୍ସ ଓ ପୋବେଡା ଏୟାରଲାଇନ୍ସର କର୍ମଚାରୀ ରହିଛନ୍ତି।

ତେବେ ଏରୋଫ୍ଲଟ ପକ୍ଷରୁ ବିଧିବଦ୍ଧ ଭାବେ ଏ ସମ୍ପର୍କରେ କୌଣସି ବୟାନ ଜାରି କରାଯାଇନି। ଏବେ କମ୍ପାନୀ କେଉଁ କର୍ମଚାରୀ କେଉଁ କ୍ଷେତ୍ରରେ ଅଧିକ ଦକ୍ଷ ତା’ର ତାଲିକା ପ୍ରସ୍ତୁତ କରୁଥିବା ଏହି ସୂତ୍ରରେ କୁହାଯାଇଛି।

ଏହାବାଦ ୨ଟି କମ୍ପାନୀ ସେମାନଙ୍କ ତାଲିକା ସ୍ଥାନୀୟ ପ୍ରଶାସନ ନିକଟକୁ ପଠାଇଥିବା ବେଳେ ଗୋଟିଏ କମ୍ପାନୀ ପରିବହନ ମନ୍ତ୍ରଣାଳୟ ନିକଟକୁ ତାଲିକା ପଠାଇଛି। ଏୟାର କଣ୍ଟ୍ରୋଲର, ପାଇଲଟ, ଅନ୍ୟ ବ୍ୟବସାୟିକ, ବୈଷୟିକ ଓ ଆଇଟି ବିଶେଷଜ୍ଞଙ୍କ ଉପରେ ରୁଷ ସରକାର ନଜର ରଖିଛନ୍ତି। ଏହି ସମ୍ବଳକୁ ବ୍ୟବହାର କରି ରୁଷ ପଡ଼ୋଶୀ ୟୁକ୍ରେନ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ କରିବାକୁ ପାଗ ଭିଡ଼ିଛି।

Related Posts