ନୂପୁର ଶର୍ମାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି

କୋଲକାତା: ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ପାଇଁ ଅଡ଼ୁଆ ବଢ଼ିବାକୁ ଲାଗିଛି । ସୁପ୍ରିମକୋର୍ଟ ଙ୍କ ଝଟକା ପରେ ଏବେ ତାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି ହୋଇଛି । କୋଲକାତା ପୁଲିସ ଏହି ଲୁକ ଆଉଟ୍ ନୋଟିସ୍ ଜାରି କରିଛି । ଏହାପୂର୍ବରୁ ତାଙ୍କୁ ଏମହର୍ଷ୍ଟ ଏବଂ ନାର୍କେଲଡଙ୍ଗା ପୁଲିସ ଷ୍ଟେସନରେ ହାଜର ହେବାକୁ କୁହାଯାଇଥିଲା। ହେଲେ ହାଜର ପାଇଁ ନୋଟିସ ପାଇ ବି ନୂପୁର ପୁଲିସ ଷ୍ଟେସନରେ ହାଜର ହୋଇନଥିଲେ।

କୋଲକାତାର ପ୍ରାୟ ୧୦ଟି ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ବେଳେ ନୂପୁର ହାଜର ହେବା ପାଇଁ ସଫାସଫା ମନା କରିଥିଲେ। ଏହି କାରଣରୁ ଏବେ ପୁଲିସ ତାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଛି।

ଏହା ପୂର୍ବରୁ ନୂପୁରଙ୍କ ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଥିଲେ, ନୂପୁର ଏବଂ ତାଙ୍କ ବୟାନ ସମଗ୍ର ଦେଶରେ ନିଆଁ ଲଗାଇଦେଇଛି। ନୂପୁର ଟିଭିରେ ଦେଇଥିବା ଦାୟିତ୍ବହୀନ ଟିପ୍ପଣୀ ପାଇଁ ସମଗ୍ର ଦେଶରେ ଉତ୍ତେଜନା ଲାଗିରହିଛି ଏବଂ ଏଭଳି ଦୁର୍ଭାଗ୍ୟଜନକ ସ୍ଥିତି ଉପୁଜିଛି। ଦେଶରେ ଯେଉଁ ସ୍ଥିତି ଲାଗି ରହିଛି ସେଥିପାଇଁ କେବଳ ନୂପୁର ହିଁ ଦାୟୀ। ଯେଉଁଭଳି ଭା‌ବେ ସେ ଉତ୍ତେଜନା ସୃଷ୍ଟି କରିଛନ୍ତି, ସେଥିପାଇଁ ସେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍‌ ବୋଲି ସୁପ୍ରିମକୋର୍ଟ କହିଥିଲେ।

Related Posts