ପୁସିଂ କାର୍ଡ ଛପାଇବାକୁ ଯାଇ ନିଖୋଜ ହେଲେ ସମିତି ସଭ୍ୟ ପ୍ରାର୍ଥୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁସିଂ କାର୍ଡ ଛପାଇବାକୁ ଯାଇ ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ । ଏପରି ଏକ ଘଟଣା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ନୂଆଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି। ରାସ୍ତାରେ ତାଙ୍କର ଚପଲ ଏବଂ ମଟରସାଇକଲ୍ ପଡ଼ିଛି, ଅଥଚ ପ୍ରାର୍ଥୀଙ୍କର ପତ୍ତା ମିଳୁନାହିଁ। ଗତ ୨୪ଘଣ୍ଟା କାଳ ପ୍ରାର୍ଥୀ ଘରକୁ ନ ଫେରିବାରୁ କେବଳ ପରିବାର ଲୋକ ନୁହନ୍ତି, ଢେଙ୍କାନାଳ ଜିଲ୍ଲା ପୁଲିସର ବି ଚିନ୍ତା ବଢ଼ିଛି। ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ମଧ୍ୟ କଣ୍ଟାବଣିଆ ଥାନାକୁ ଯାଇ ପଚରାଉଚରା କରି ଫେରିଛନ୍ତି। ସେପଟେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି। ତେବେ ଝାଡ଼ବନ୍ଧ ନିକଟରୁ ସୁବ୍ରତଙ୍କ ବାଇକ୍ ଓ ଚପଲ ମିଳିଥିବା ବେଳେ ତାଙ୍କ ପତ୍ତା ମିଳିପାରିନି। ନିର୍ବାଚନ ପାଖେଇ ଆସୁଥିବା ବେଳେ ହଠାତ୍ ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଗାଏବ ହେବା ଘଟଣାକୁ ହଜମ କରିପାରୁ ନାହାନ୍ତି ସ୍ଥାନୀୟ ଲୋକ।

ନିଖୋଜ ସମିତିସଭ୍ୟ ପ୍ରାର୍ଥୀଙ୍କ ନାମ ହେଲା ସୁବ୍ରତ ବେହେରା ଓରଫ୍ ଟିକନ। ବାପାଙ୍କ ନାମ ହେଲା ଟିବୁ ବେହେରା। ଘର କଣ୍ଟାବଣିଆ ଥାନା ନୂଆଗାଁରେ। ସୁବ୍ରତଙ୍କ ବୟସ ୨୩ବର୍ଷ। ଚଳିତ ପଞ୍ଚାୟତ ନିର୍ବାଚନରେ ସେ ନୂଆଗାଁ ପଞ୍ଚାୟତରୁ ସମିତିସଭ୍ୟ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ସେ ଥିଲେ ବିଜେଡି ସମର୍ଥିତ ପ୍ରାର୍ଥୀ। ନିର୍ବାଚନ ପ୍ରଚାର ପାଇଁ ଗତକାଲି ନିମବାହାଳି ବଜାରକୁ ପୁସିଂ କାର୍ଡ ଛପାଇବାକୁ ଯାଇଥିଲେ। ତା’ ପରଠାରୁ ସେ ଆଉ ଘରକୁ ଫେରିନାହାନ୍ତି। ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ, କୌଣସି ଜାଗାରୁ ତାଙ୍କର ପତ୍ତା ମିଳିଲା ନାହିଁ। ତେଣୁ ସୁବ୍ରତଙ୍କ ବାପା ଟିବୁ କଣ୍ଟାବଣିଆ ଥାନାର ଦ୍ବାରସ୍ଥ ହୋଇଛନ୍ତି।

Related Posts