ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀରେ ଆଦର୍ଶ ଗୁରୁକୂଳ ପ୍ରତିଷ୍ଠା ପାଇଁ ଚାଲିଥିବା ବୈଠକ ଶେଷ ହୋଇଛି। ଗଜପତି ମହାରାଜାଙ୍କ ଅଧ୍ଯକ୍ଷତାରେ ଏହି ବୈଠକଟି ବସିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ଓ ବିର୍ଲା ଫାଉଣ୍ଡେସନ ମଧ୍ୟରେ ଏ ନେଇ ଏମଓୟୁ ସ୍ୱାକ୍ଷର ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ଏମଓୟୁ ସାକ୍ଷର ହୋଇଛି। ୧୯.୩୮ ଏକର ଜାଗାରେ ନିର୍ମାଣ ହେବ ଆଦର୍ଶ ଗୁରୁକୂଳ।

ଗୁରୁକୂଳ ପ୍ରତିଷ୍ଠା ପାଇଁ ମାନ୍ଯବର ସୁପ୍ରିମକୋର୍ଟ ପ୍ରଦାନ କରିଥିବା ୬ କୋଟି ଏବଂ ରାଜ୍ୟ ସରକାରଙ୍କ ଅଭଡା ଯୋଜନାରେ ଅବଶିଷ୍ଟ ଟଙ୍କା ବ୍ଯୟରେ ଗୁରୁକୂଳ ନିର୍ମାଣ ହେବ। ମାଟିତୋଟା ଅଞ୍ଚଳରେ ୧୯ ଏକର ପରିମିତ ଯାଗାରେ ଆଦର୍ଶ ଗୁରୁକୂଳ ନିର୍ମାଣ ହେବ । ପ୍ରାଥମିକ ପର୍ଯ୍ୟାୟରେ ସେବାୟତ ପିଲାଙ୍କ ପାଇଁ ପଚାଶ ପ୍ରତିଶତ ସଂରକ୍ଷଣ ରହିବ। ୨୦୨୪ ଆରମ୍ଭରୁ ୪ଟି ଭାଷାରେ ପାଠ୍ଯକ୍ରମ ଆରମ୍ଭ ହେବ। ଏଥିରେ ପିଲାମାନଙ୍କୁ କେବଳ ଲିଟରେଟ ନୁହେଁ ଜଗନ୍ନାଥ ସଂସ୍କୃତି ପରମ୍ପରା , ଗ୍ଲୋବାଲ ଶିଶୁ, ହୋଲିଷ୍ଟିକ ଏଜୁକେସନ ଆଦି ଶିକ୍ଷା ଦିଆଯିବ। ଆସନ୍ତା ଅକ୍ଷୟ ତୃତୀୟା ଦିନ ଗୁରୁକୁଳର ଭୂମିପୂଜନ କରାଯିବ ବୋଲି ବିର୍ଲ୍ଲା ଫାଉଣ୍ଡେସନ ଅଧିକାରୀ ଓ ପରିଚାଳନା କମିଟି ସଦସ୍ଯ ପ୍ରତିକ୍ରିୟା ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ପୁରୀ ନିଳାଦ୍ରୀ ଭକ୍ତ ନିବାସ ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ସେବାୟତ ଗୁରୁକୂଳ ନିର୍ମାଣ ନେଇ ଆଲୋଚନା ହୋଇଛି । ପୁରୀ ବାସେଳୀ ସାହି ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ଵର ସାହି ମୌଜା ମାଟି ତୋଟା ଅଞ୍ଚଳରେ ଏହି ସେବାୟତ ଗୁରୁକୂଳଟି ନିର୍ମାଣ ହେବ।