
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ ଯାତ୍ରା ବର୍ତ୍ତମାନ ତେଲେଙ୍ଗାନାରେ ପହଞ୍ଚିଛି । ମଙ୍ଗଳବାର ଏହି ଅବସରରେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ସ୍ୱର୍ଗତ ଦଳିତ ଛାତ୍ର ରୋହିତ ଭେମୁଲାଙ୍କ ମାଆ ମଧ୍ୟ ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଛନ୍ତି ।
ଏହି ଅବସରରେ ରୋହିତଙ୍କ ମାଆ ରାଧିକା ଭେମୁଲା କହିଛନ୍ତି ଯେ, ଭାରତ ଯୋଡ ଯାତ୍ରାରେ ଏକତା ଦୃଶ୍ୟମାନ ହେଉଛି । ପଦଯାତ୍ରାରେ ଯୋଗ ଦେଇ ସେ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ । ଏହାସହିତ ସମ୍ବିଧାନକୁ ବିଜେପି-ଆରଏସଏସଠାରୁ ବଞ୍ଚାଇବାକୁ ମଧ୍ୟ ଆହ୍ବାନ କରିଥିଲେ । ଏହି ଆଲୋଚନା ସମୟରେ ରାହୁଲ ଗାନ୍ଧିଙ୍କ ସହ ରୋହିତଙ୍କ ପାଇଁ ନ୍ୟାୟ, ରୋହିତ ଆଇନ ପ୍ରଣୟନ, ଉଚ୍ଚ ନ୍ୟାୟପାଳିକାରେ ଦଳିତ ତଥା ଦଳିତ ଶ୍ରେଣୀର ପ୍ରତିନିଧିତ୍ୱ ବୃଦ୍ଧି ସମେତ ସମସ୍ତଙ୍କ ପାଇଁ ଶିକ୍ଷା ଉପରେ ସେ ଆଲୋଚନା କରିଥିଲେ ।
ଅନ୍ୟପଟେ ରୋହିତ ଭେମୁଲାଙ୍କ ମାଆ ରାଧିକା ପଦଯାତ୍ରାରେ ସାମିଲ ହେବା ପରେ ରାହୁଲ ଗାନ୍ଧୀ ଟ୍ୱିଟ କରିଛନ୍ତି । ରାହୁଲ ଲେଖିଛନ୍ତି, ‘ରୋହିତ ଭେମୁଲା, ସାମାଜିକ ଭେଦଭାବ ଏବଂ ଅନ୍ୟାୟ ବିରୁଦ୍ଧରେ ମୋର ସଂଘର୍ଷର ପ୍ରତୀକ ଅଛନ୍ତି ଏବଂ ରହିବେ। ରୋହିତଙ୍କ ମାଙ୍କୁ ଭେଟିବା ପରେ ଏହି ଯାତ୍ରା ଲକ୍ଷ୍ୟ ହାସଲ ଦିଗରେ ବଢିବା ପାଇଁ ନୂଆ ଉତ୍ସାହ ଏବଂ ମନକୁ ନୂଆ ଶକ୍ତି ମିଳିଛି’।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜାନୁଆରୀ ୧୭ , ୨୦୧୬ ରେ ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟର ୨୬ ବର୍ଷୀୟ ଦଳିତ ଛାତ୍ର ରାହୁଲ ଭେମୁଲା ନିଜ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଥିଲେ। ସେ ଦଳିତ ହୋଇଥିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ସହ ଭେଦଭାବ କରିବା ସହ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଥିଲେ । ଏହାପରେ ସାରା ଦେଶରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଜାତିବାଦ ବିରୋଧରେ ଆନ୍ଦୋଳନ ହୋଇଥିଲା ।