ହରିଦ୍ୱାରରୁ ଅସ୍ଥି ବିସର୍ଜନ କରି ଫେରିବା ବେଳେ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେଲା ପିକଅପ୍ ଗାଡି: ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଜଣେ ପରିଜନଙ୍କ ହରିଦ୍ୱାରରେ ଅସ୍ଥି ବିସର୍ଜନ କରି ଫେରୁଥିବା ବେଳେ ଘଟିଲା ଏକ ଭୟଙ୍କର ଦୁର୍ଘଟଣା । ବାଟରେ ଛକି ବସିଥିଲା ମୃତ୍ୟୁ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗୋଟିଏ ପରିବାରର ୬ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣା ଘଟିଛି ହରିୟାଣାର ଜିନ୍ଦ ଜିଲ୍ଲାରେ ଘଟିଛି ।

ସୂଚନାନୁସାରେ, ହରିୟାଣା ହିସାରର ନାରନୋନ୍ଦରେ ରହୁଥିବା ଏକ ପରିବାର କିଛି ସଦସ୍ୟ ହରିଦ୍ୱାର ଯାଇଥିଲେ । ସେମାନେ ଜଣେ ପରିଜନଙ୍କ ଅସ୍ଥି ବିସର୍ଜନ ସାରି ଘରକୁ ଫେରୁଥିଲେ । କିନ୍ତୁ ଜିନ୍ଦ ଜିଲ୍ଲାର କୈଥର ମାର୍ଗରେ ଥିବା କଣ୍ଡେଲା ଗ୍ରାମରେ ତାଙ୍କ ପିକଅପ୍ ଗାଡି ସହ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୬ ଜଣ ପ୍ରାଣ ହରାଇଥିଲେ । ଆଉ ୧୭ ଜଣ ଆହତ ମଧ୍ୟ ହୋଇଛନ୍ତି । ଖବର ପାଇଁ ପୋଲିସ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମଟର୍ମ ପାଇଁ ଜିନ୍ଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ପୋଲିସ ଟ୍ରକ୍ ଡ୍ରାଇଭର ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି |

Related Posts