ମହିଳା ବନ କର୍ମଚାରୀଙ୍କୁ ପିଟିଲେ ବିଧାୟକଙ୍କ ଭାଇ ଓ ସମର୍ଥକ

ସତ୍ୟପାଠ ବ୍ୟୁରୋ : ପୁଣି ସରକାରୀ କର୍ମଚାରୀଙ୍କୁ ମାଡ । ଏଥର ଆକ୍ରୋଶରୁ ବାଦ ପଡି ନାହାଁନ୍ତି ମହିଳା କର୍ମଚାରୀ । ବନୀକରଣ ପାଇଁ ଆସିଥିବା ଲେଡି ଫରେଷ୍ଟ ଅଫିସରଙ୍କୁ ଖୁବ ପିଟିଛନ୍ତି ବିଧାୟକଙ୍କ ପାଖଲୋକ । ଏଭଳି ଭୟଙ୍କର ଓ ଅଭାବନୀୟ ଦୃଶ୍ୟ ସାରା ଦେଶକୁ ଦୋହଲାଇ ଦେଇଛି

ଘଟଣାଟି ଘଟିଛି ତେଲେଙ୍ଗାନା ଆସିଫାବାଦ ଜିଲ୍ଲାର ସରାସଲା ଗାଁରେ । ହରିତ ହରମ୍ କାର୍ଯ୍ୟକ୍ରମରେ ଚାରା ରୋପଣ ପାଇଁ ସେଠାକୁ ଯାଇଥିଲେ ଫରେଷ୍ଟ ରେଂଜ ଅଫିସର ସି ଅନୀତା । ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ବି ଯେଉଁ ସ୍ଥାନରେ ଏହା ହେବାକୁ ସ୍ଥିର ହୋଇଥିଲା ତାହାକୁ ବିରୋଧ କରିଥିଲେ ଶାସକ ଟିଆରଏସ ଦଳର ବିଧାୟକ କୋନେରୁ କନପ୍ପାଙ୍କ ଭାଇ ଓ ତାଙ୍କ ସମର୍ଥକ ।

ବିଧାୟକଙ୍କ ଭାଇ କୋନେରୁ କ୍ରିଷ୍ଣା ଓ ତାଙ୍କ ସମର୍ଥମାନେ ଲେଡି ଅଫିସରଙ୍କୁ ଘେରି ଯାଇ ମାରପିଟ୍ ବି କରିବାର ସୁଯୋଗ ଯେମିତି ହାତଛଡା କରିନଥିଲେ । ଗାଁଲୋକଙ୍କ ସହ ମିଶି ସମସ୍ତେ ପୁଲିସ ଓ ବନ କର୍ମଚାରୀଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଫରେଷ୍ଟ ରେଂଜ ଅଧିକାରୀ ସି ଅନିତା ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ପୁଲିସ କ୍ରିଷ୍ଣାଙ୍କ ସମେତ ୧୬ଜଣଙ୍କୁ ଗିରଫ କରିଛି ।

ଗତ କିଛିଦିନ ଧରି ଦେଶର ବିଭିନ୍ନ ପ୍ରାନ୍ତରୁ ଏଇମିତି ଖବର ପ୍ରତିଦିନ ସାମ୍ନାକୁ ଆସୁଛି । କେଉଁଠି ବିଧାୟକ ବ୍ୟାଟରେ ପିଟିଲେଣି ତ କେଉଁଠି କାନଧରି ବସ ଉଠ କରାଇଲେଣି । ଆଉ ଏଠି ତ ଶାସକ ଦଳର ଭାଇଙ୍କର ଏ କାରାନାମା ପୁରା ଦେଶ ଦେଖିବାର ସୁଯୋଗ ପାଇଛି । ଲାଗୁଛି ଯେମିତି ନେତା ହେବା ପାଇଁ କିମ୍ବା ହେବା ପରେ ସରକାରୀ ଅଧିକାରୀଙ୍କୁ ପିଟିବା ଏମାନଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି । ତେବେ ଆଗକୁ ଏ ଧାରା କେଉଁଆଡକୁ ଯାଉଛି ଦେଖିବାର କଥା ।

Related Posts