ସଡ଼କ ଦୁର୍ଘଟଣାରେ ତିନିରୁ ଅଧିକ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଗଠନ ହେବ ସ୍ୱତନ୍ତ୍ର ଟିମ୍

ଭୁବନେଶ୍ୱର : ରାଜ୍ୟରେ ଏବେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଦୁର୍ଘଟଣା । ୨୦୧୫ରୁ ୨୦ ମଧ୍ୟରେ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ତେବେ ସଡ଼କ ଦୁର୍ଘଟଣାରେ ତିନି କିମ୍ବା ତା’ଠାରୁ ଅଧିକ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଗଠନ ହେବ ସ୍ୱତନ୍ତ୍ର ଟିମ୍। ଏଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଲିସି ଅଣାଯାଇଛି। ତ୍ୱରିତ ଓ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମାମଲାର ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି।

ତଦନ୍ତକାରୀ ଟିମ୍‌ରେ ଜଣେ ପୁଲିସ ଅଧିକାରୀ, ଇଂଜିନିୟର ଓ ପରିବହନ ବିଭାଗର ବୈଷୟିକ ଅଧିକାରୀ ରହିବେ। ସେମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଜିଲ୍ଲାସ୍ତରରେ ଏକ କମିଟି ଗଠନ ହେବ। ରାଜ୍ୟରେ ବିଭିନ୍ନ ସ୍ଥାନରେ ରାସ୍ତା ଦୁର୍ଘଟଣା ହେବା ସହ ଅନେକ ଅମୂଲ୍ୟ ଜୀବନ ଅକାଳରେ ଚାଲିଯାଉଛି। ତେଣୁ ରାସ୍ତା ଦୁର୍ଘଟଣାକୁ ଏଡାଇବାପାଇଁ ପରିବହନ ବିଭାଗ ପକ୍ଷରୁ କ୍ରାସ୍ ଇନଭେଷ୍ଟିଗେସନ ପଲିସି ଅଣାଯାଇଛି। ଦୁର୍ଘଟଣା ପାଇଁ ମନୁଷ୍ୟ, ଯାନବାହାନ କିମ୍ବା ଭିତ୍ତିଭୂମି ଦାୟୀ ଥିଲେ, ସେଗୁଡିକ ଠାବ କରି ସମାଧାନ କରିବାକୁ ପଲିସିରେ ପ୍ରସ୍ତାବ ରହିଛି ।

Related Posts