କଟକ: ଆତ୍ମହତ୍ୟା କଲେ ଜଣେ ଛାତ୍ର | ସ୍ୱେପୁଣି ପ୍ରେମ କୁ ନେଇ | ରେଭେନ୍ସା ବିଶ୍ବବିଦ୍ୟାଳୟର ଜଣେ ଛାତ୍ର ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି | ମୃତକ ବିଶ୍ବବିଦ୍ୟାଳୟର ଆଇଟିଏମ୍ ତୃତୀୟ ବର୍ଷ ଛାତ୍ର ଏସ୍ ଅମିତ କୁମାର | ବୁଧବାର ସକାଳେ ହଷ୍ଟେଲରେ ଏଭଳି କାଣ୍ଡ ଘଟିଥିବା ଦେଖିବାକୁ ମିଳିଛି |
ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଆସ୍କାର ଅମିତ ଜଗନ୍ନାଥ ଛାତ୍ରାବାସରେ ରୁହନ୍ତି। ଗୋଟିଏ ରୁମ୍ରେ ଅମିତଙ୍କ ସମେତ ଅନ୍ୟ ଜଣେ ସହପାଠୀ ବି ରୁହନ୍ତି। କିନ୍ତୁ ସମ୍ପୃକ୍ତ ସହପାଠୀ ଛୁଟିରେ ଘରକୁ ଯାଇଥିବାରୁ ଅମିତ ଏକୁଟିଆ ଥିଲେ।
ବୁଧବାର ଦିନ ପ୍ରାୟ ୧୦ଟା ବେଳେ ହଷ୍ଟେଲରେ ବିଷ ପିଇ ଦେଇଥିବା ଅନ୍ୟ ସହପାଠୀମାନେ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ମାଲଗୋଦାମ ଥାନା ପୁଲିସକୁ ଖବର ଦେବା ପରେ ପୁଲିସ ଅମିତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।
ପୁଲିସ ହଷ୍ଟେଲରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଥିବା କୁହାଯାଉଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ଅମିତ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି।





