ଚାଷୀନେତା ରାକେଶ ଟିକାୟତଙ୍କୁ କାଳିମାଡ଼ ଘଟଣା: କନ୍ନଡ ନ କହିବାରୁ କାଳିମାଡ଼ କରିଥିବା କହିଲା ଅଭିଯୁକ୍ତ

ବେଙ୍ଗାଲୁରୁ: ଭାରତୀୟ କିଷାନ ୟୁନିଅନ ନେତା ରାକେଶ ଟିକାୟତଙ୍କୁ କାଳିମାଡ଼ ଘଟଣା କୁ ନେଇ ଅଭିଯୁକ୍ତ ନିଜ ବୟାନ ରଖିଛି | କାହିଁକି ସେ ତାଙ୍କ ଉପରେ କାଳି ମାଡ଼ କରିଛି ସେନେଇ ମତ ରଖିଛି | ଚାଷୀନେତା ରାକେଶ କନ୍ନଡ ଭାଷା ନକହିବାରୁ ତାଙ୍କ ଉପରେ କାଳି ଫିଙ୍ଗିଥିଲୁ ବୋଲି ପୋଲିସକୁ କହିଛନ୍ତି ୩ ଅଭିଯୁକ୍ତ । ଅଭିଯୁକ୍ତଙ୍କ ଏହି ମନ୍ତବ୍ୟ ଉପରେ ପୋଲିସ ତଦନ୍ତ କରୁଥିବା କହିଛି ।

ଗତ ସୋମବାର ଟିକାୟତ ବେଙ୍ଗାଲୁରୁର ଗାନ୍ଧୀ ଭବନଠାରେ ଏକ ପ୍ରେସମିଟ କରିଥିଲେ । ଏହି ପ୍ରେସମିଟ ବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ କାଳିମାଡ଼ କରିଥିଲେ । ଏହି ଘଟଣାରେ ପୋଲିସ ଭାରତ ରକଶନା ଭେଦିକେର ସଭାପତି ଭାରତ ସେଟ୍ଟୀ ଓ ଅନ୍ୟ ୨ ଅଭିଯୁକ୍ତ ଶିବକୁମାର ଓ ପ୍ରଦୀପଙ୍କୁ ଗିରଫ କରିଛି । ଏହି ଆକ୍ରମଣ ସମୟରେ ଅଭିଯୁକ୍ତମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନେଇ ଆକ୍ରମଣ କରିଥିଲେ ।ମାତ୍ର ପୋଲିସ ଆଗରେ ଅଭିଯୁକ୍ତମାନେ ଦେଇଥିବା ମନ୍ତବ୍ୟ ଘଟଣା ସହିତ ମେଳ ଖାଉ ନାହିଁ । ଏଥିଲାଗି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା କହିଛି । ପୋଲିସ ଅଭିଯୁକ୍ତମାନଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି । ଏହି ଅଭିଯୁକ୍ତଙ୍କ ଅନ୍ୟ ଅପରାଧ ଇତିହାସ ତଦନ୍ତ ବେଳେ ଖୋଲିଥିବା ପୋଲିସ କହିଛି । ଶିବକୁମାର ଘଟଣାସ୍ଥଳରେ ଟିକାୟତଙ୍କ ଉପରେ ଆକ୍ରମଣ କରିବା ପରେ ଅନ୍ୟ ଚାଷୀ ନେତାଙ୍କ ଉପରେ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ।

ଅନୁସନ୍ଧାନରୁ ଜଣାପଡିଛି ଯେ, ଶିବକୁମାର ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ ଏବଂ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ୨୦୧୫ରେ ଭଲ ଆଚରଣ ପାଇଁ ସେ ମୁକ୍ତ ହୋଇଥିଲେ । ଜେଲରୁ ମୁକ୍ତ ହେବା ପରେ ସେ ନିଜ ଭଉଣୀଙ୍କ ସହ ଏକ ସଂଗଠନରେ ସକ୍ରିୟ ଥିଲେ ଏବଂ ଅନେକ ବିରୋଧୀ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ଅନ୍ୟ ଅପରାଧରେ ତାଙ୍କର ସମ୍ପୃକ୍ତି ଥିବା ପୋଲିସ ତଦନ୍ତ କରୁଛି ।ଅନ୍ୟ ଜଣେ ଅଭିଯୁକ୍ତ ପ୍ରଦୀପ ଜଣେ କ୍ୟାବ ଡ୍ରାଇଭର । ସେ ରାକେଶ ଟିକାୟତ ଏବଂ ଅନ୍ୟମାନଙ୍କ ଉପରେ କଳା ରଙ୍ଗ ଫିଙ୍ଗିଥିଲେ ।

Related Posts