
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଆଜି ଜଣେ ଯୁବକ ହାତ କାଟି ବିଷ ପିଇଦେଇଥିବା ସୂଚନା ମିଳିଛି । ଯୁବକଙ୍କ ନାଁ ଦୁଷ୍ମନ୍ତ ଦାସ , ଘର ହେଉଛି ଜଗତସିଂପୁର ଜିଲ୍ଲା କୁଜଙ୍ଗରେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣାପଡିଛି।
ତେବେ ମିଳିଥିବା ସୂଚନା ମୁତାବକ, ଡାକ୍ତରଙ୍କ ଭୁଲ୍ ଯୋଗୁଁ ଦୁଷ୍ମନ୍ତଙ୍କ ଗୋଡ଼ ଅଚଳ ହୋଇ ପଡିଛି । ଉନ୍ନତ ମାନର ଚିକିତ୍ସା ପାଇଁ ପାଖରେ ସମ୍ବଳ ନାହିଁ କି ସରକାରୀ ସହାୟତା ମଧ୍ୟ ମିଳି ପାରୁ ନାହିଁ। ଏମିତିକି ଇଚ୍ଛାମୃତ୍ୟୁ ପାଇଁ ବି ଅନୁମତି ମଧ୍ୟ ମିଳୁ ନାହିଁ। ତେବେ ଯନ୍ତ୍ରଣା ଅସହ୍ୟ ହେଉଥିବା ବେଳେ ଚାରି ଆଡ଼ୁ ନିରାଶ ହୋଇ ଆଜି ବିଧାନସଭା ସମ୍ମୁଖରେ ସେ ହାତ କାଟି ଦେବା ସହ ବିଷ ପିଇ ଦେଇଥିଲେ ଦୁଷ୍ମନ୍ତ।
ଅଭିଯୋଗ ମୁତାବକ , ୨୦୨୦ ମାର୍ଚ୍ଚ ୨୨ରେ ଏକ ରୋଡ୍ ଆକ୍ସିଡେଣ୍ଟରେ ଦୁଷ୍ମନ୍ତଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। କଟକ ଏସସିବିରେ ଚିକିତ୍ସିତ ହେଉଥିଲେ , ଡାକ୍ତରଙ୍କ ପରାମର୍ଶକ୍ରମେ ମାର୍ଚ୍ଚ ୨୩ରେ ପ୍ରଥମ ଅପରେଶନ ହୋଇଥିଲା। ଦ୍ୱିତୀୟ ଅପରେସନ ୨୦୨୦ ଜୁନ୍ ୧୯ ତାରିଖରେ କରାଯାଇଥିଲା। ଏହାପରେ ୨୦୨୦ ଜୁଲାଇ ୧୫ରେ କରୋନା ସଂକ୍ରମଣ ବଢୁଥିବା କହି ଦୁଷ୍ମନ୍ତଙ୍କୁ ପଠାଇ ଦିଆଗଲା।
ଏହା ପରେ ଚିକିତ୍ସାରେ ଅବହେଳା ହେଉଥିବା ଅଭିଯୋଗ ହୋଇଛି। ଚିକିତ୍ସା ପାଇଁ ବିଭିନ୍ନ ସ୍ତରରେ ଗୁହାରୀ କରିଥିଲେ ବି କେହି ବି ତାଙ୍କ ଗୁହାରୀ ଶୁଣୁ ନାହାନ୍ତି। ଆଉ ଶେଷରେ କୌଣସି ଉପାୟ ନ ପାଇ ସେ ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ସେ କହିଛନ୍ତି ଯେ , “ଚିକିତ୍ସା ଅଭାବରୁ ଦେହ କ୍ରମଶଃ ଖରାପ ହେବାରେ ଲାଗିଲା। ଗତ ନଭେମ୍ବର ୨୪ ତାରିଖରେ ଘରୁ ମୋତେ ନେଇ ଆଡ଼ମିଶନ କରାଇ ଜିଲା ପ୍ରଶାସନ ତାର କାର୍ଯ୍ୟ ସାରିଦେଲା। ଅସ୍ଥିଶଲ୍ୟ ବିଭାଗ ଡାକ୍ତର ପରୋକ୍ଷ ଭାବରେ ନିଜର ଡିପାର୍ଟମେଣ୍ଟର ଭୁଲ୍ ଅପରେସନ କରିଥିବା ଓ ଚିକିତ୍ସାରେ ଅବହେଳା କରିଥିବା ମାନିଛନ୍ତି ବୋଲି ଦୁଷ୍ମନ୍ତ କହିଛନ୍ତି।
ତେବେ ଏହା ପରବର୍ତ୍ତୀ ଚିକିତ୍ସା ଆଉ ଏଠି (ଏସ୍ସିବି) ସମ୍ଭବ ନୁହେଁ ବୋଲି କହି କର୍ତ୍ତୃପକ୍ଷ ତାଙ୍କ କର୍ତ୍ତବ୍ୟ ସାରି ଦେଲେ। ତେବେ ଦୁଷ୍ମନ୍ତ କହିଛନ୍ତି ଯେ, ଯଦି ସରକାର ଚାହିଁବେ ତେବେ ମୋ ଗୋଡ଼ ଭଲ ହୋଇଯିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି । କିନ୍ତୁ ଏସିସିବି ଅଧୀକ୍ଷକ ଅଭିଯୋଗ ଶୁଣି ନଥିଲେ, ପରେ ବିଜୁ କୃଷକ କଲ୍ୟାଣ କାର୍ଡରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସା ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଥିବା ନେଇ ଦୁଷ୍ମନ୍ତ କହିଛନ୍ତି।
ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ ସତ୍ବେ ଦୁଇଟି ପ୍ରାଇଭେଟ ହସ୍ପିଟାଲ ଆଡମିଶନ କରିବାକୁ ମନା କରିଦେଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ଲିଖିତ ଭାବେ ଆଣିବାକୁ କହିବା ପରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମନା କରି ଦେଇଥିବା ସେ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ” ନବୀନ ନିବାସ ଯିବାରୁ ସେଠାରେ ଏସସିବି ଯିବାକୁ କୁହାଗଲା। କିନ୍ତୁ ଗତ ୧୬ ତାରିଖରେ ଏସସିବିରେ ଆଡମିଶନ ହେବା ପରେ ବି କୌଣସି ଚିକିତ୍ସା ମିଳି ନଥିଲା। ଏହାପରେ ଦିନକୁ ଦିନ ଯନ୍ତ୍ରଣା ଅସହ୍ୟ ହେବାରୁ ବାଧ୍ୟହୋଇ ସ୍ୱାସ୍ଥ୍ୟ ସଚିବ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଚିଠି ଲେଖି ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛି ବୋଲି ଦୁଷ୍ମନ୍ତ କହିଛନ୍ତି। ”