ଶୀତଳ ଭଣ୍ଡାର ନାହିଁ , ନଷ୍ଟ ହେଉଛି ପରିବା : ରାଜରାସ୍ତାରେ ପରିବା ଢାଳି ପ୍ରତିବାଦ କଲେ ଚାଷୀ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଶୀତଳ ଭଣ୍ଡାର ନାହିଁ, ପନିପରିବାର ଅଭାବି ବିକ୍ରି, ଉଚିତ୍ ବଜାର ବ୍ୟବସ୍ଥା ନାହିଁ କି ପନିପରିବା ପାଇଁ କୌଣସି ପ୍ରକାରର ଏମଏସପି  ବ୍ୟବସ୍ଥା ନାହିଁ। ଏଭଳି ଦାବିରେ ଚାଷୀମାନେ ଆଜି ରାସ୍ତାରେ ପରିବା ଢାଳି ପ୍ରତିବାଦ କରିଛନ୍ତି । ପନିପରିବାର ଅଭାବି ବିକ୍ରି ଯୋଗୁଁ ଏବେ ଚିନ୍ତାରେ ପଡ଼ିଛନ୍ତି ବରଗଡ଼ ଜିଲ୍ଲାର ପରିବା ଚାଷୀ । ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିବାଚାଷୀ ଚାଷ କରିଥିଲେ , କିନ୍ତୁ ଭଲ ଅମଳ ହେବା ପରେ ନିଜର ପରିଶ୍ରମର ଉପଯୁକ୍ତ ମୁଲ୍ୟ ପାଇପାରୁନାହାଁନ୍ତି ।

ତେଣୁ ଆଜି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଦସମାଇଲ ଠାରେ ଚାଷୀମାନେ ରାସ୍ତା ଉପରେ ପନିପରିବା ଫିଙ୍ଗି ପ୍ରତିବାଦ କରିଛନ୍ତି।ବରଗଡ଼ରେ ଧାନ ଉତ୍ପାଦନ ସହ ପ୍ରଚୁର ପରିମାଣରେ ପରିବା ଚାଷ ହେଉଛି । ଜିଲ୍ଳାରେ ଶିତଳଭଣ୍ଡାର ନଥିବାରୁ ଚାଷୀ ମାନେ ଅଭାବୀ ବିକ୍ରୀ ସମସ୍ୟାର ଶିକାର ହେଉଛନ୍ତି । 

ସ୍ଥିତି ଏମିତି ଯେ, ଉତ୍ପାଦନସ୍ଥଳରେ କାର୍ଯ୍ୟ କରୁଥିବା ଭିଏଲଡବ୍ଲ୍ୟୁ ନିରୀକ୍ଷଣ କରୁ ନଥିବାରୁ କଷ୍ଟ ଉପାର୍ଜିତ ଶସ୍ୟରୁ ପରିଶ୍ରମ ତୁଳନାରେ ପ୍ରାପ୍ୟ ମିଳୁ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। 

ଶୀତଳଭଣ୍ଡାର  ନଥିବାରୁ  ଚାଷୀ ମାନେ ବାଇଗଣ କିଲୋପ୍ରତି ୧ ଟଙ୍କା, ଲାଉ ୨ ଟଙ୍କା, ଟମାଟୋ ୧୦ଟଙ୍କା, ଝୁଡ଼ଙ୍ଗ ୫ଟଙ୍କା, ଭେଣ୍ଡି ୫ଟଙ୍କା, ଅଦା ୫ଟଙ୍କା, ଜହ୍ନି ୫ ଟଙ୍କା ଏବଂ କଲରା ୫ଟଙ୍କା ଦରରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି। ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁ ନଥିବା ବେଳେ ମଧ୍ୟସ୍ଥି ଚଢ଼ା ଦରରେ ବିକ୍ରି କରି ମାଲେ ମାଲ ହେଉଛନ୍ତି। ତେଣୁ ସରକାର ଆରଏମସି ଜରିଆରେ ପରିବାର ସହାୟକ ମୂଲ୍ୟ ନିର୍ଦ୍ଧାରଣ କରି ତାର ବିକ୍ରୟ ବ୍ୟବସ୍ଥା କରିବାକୁ ଚାଷୀ ମାନେ ଦାବି କରିଛନ୍ତି

Related Posts