ଲକ୍ଷ୍ନୌ: ବିଜେପିରୁ ବିଦା ହୋଇଥିବା ନୂପୁର ଶର୍ମାଙ୍କ ପାଇଁ ଅଡ଼ୁଆ ଥମିବାର ନାଁ ଧରୁନୀ । ତାଙ୍କ ବିବାଦୀୟ ବୟାନ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଏହାରି ମଧ୍ୟରେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ଜଣେ ଆତଙ୍କବାଦୀକୁ ଗିରଫ କରିଛି ପୁଲିସ।

ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅଭଦ୍ର ଟିପ୍ପଣୀ କରିଥିଲେ। ଏଥିପାଇଁ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା। ଏଥିପାଇଁ ଉତ୍ତର ପ୍ରଦେଶର ଶାହାରନପୁରରେ ରହୁଥିବା ମହମ୍ମଦ ନଦୀମକୁ ଦାୟିତ୍ୱ ଦିଆଯାଇଥିଲା। ନଦୀମ ହତ୍ୟା ସୁଯୋଗରେ ଥିବା ବେଳେ ଉତ୍ତର ପ୍ରଦେଶ ପୁଲିସ୍‌ର ଆତଙ୍କବାଦ ନିରୋଧ ସ୍କ୍ୱାଡ(ଏଟିଏସ) ତାକୁ ଗିରଫ କରିବାରେ ସକ୍ଷମ ହୋଇଛି।

ଏଡିଜି(ଆଇନ ଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି, ନଦୀମ ନିୟମିତ ଭାବେ ଜୈଶ ଓ ତେହେରିକ-ଇ-ତାଲିବାନ ସଂଗଠନ ସହ ଯୋଗାଯୋଗରେ ଥିଲା। ବିଶେଷ କରି ଜୈଶର ସୈଫୁଲ୍ଲା ସହ ସେ ସିଧାସଳଖ କଥା ହେଉଥିଲା। ସୈଫୁଲ୍ଲାର ଘର ପାକିସ୍ତାନରେ। ନୂପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ନଦୀମଙ୍କୁ ଫିଦାୟିନ ବା ଆତ୍ମଘାତୀ ହମଲା କରିବାକୁ କୁହାଯାଇଥିଲା।

ତାକୁ ଜେରା କରିବା ବେଳେ ସେ ଏକଥାକୁ ସ୍ୱୀକାର କରିଥିବା ପ୍ରଶାନ୍ତ କୁମାର ସୂଚନା ଦେଇଛନ୍ତି। କୁମାର ଆହୁରି କହିଛନ୍ତି, ନଦୀମ ଅନେକ ପ୍ରକାରର ବିସ୍ଫୋରକ ସଂଗ୍ରହ କରିଥିଲା। ଏଥିସହ ଆଇଇଡି ତିଆରି କରିବା ପାଇଁ ବିଭିନ୍ନ ସାମଗ୍ରୀ ମଧ୍ୟ ଯୋଗାଡ଼ କରୁଥିଲା। ଆଇଇଡି ତିଆରି କରିବା ପରେ ସେ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଓ ପୁଲିସ୍‌ କାର୍ଯ୍ୟାଳୟ ଉପରେ ହମଲା କରିବାକୁ ଯୋଜନା କରିଥିଲା।

ନଦୀମର ମୋବାଇଲରୁ “Explosive Course Fidae Force’ ଲେଖାଥିବା ଗୋଟିଏ ଫିଡିଏଫ ଫାଇଲ ଜବତ କରାଯାଇଛି। ତେବେ ଏହି ଡକ୍ୟୁମେଣ୍ଟରେ କ’ଣ ରହିଛି, ବର୍ତ୍ତମାନ ତା’ର ତଦନ୍ତ କରାଯାଉଛି। ସେହିପରି ତା’ ମୋବାଇଲରୁ ପାକିସ୍ତାନ ଓ ଆଫଗାନିସ୍ତାନରେ ରହୁଥିବା ଜୈଶ ଅପରେଟରଙ୍କ ସହ ମଧ୍ୟ ସେ କଥାବାର୍ତ୍ତା ହେଉଥିବା ଚାଟ ମିଳିଛି। ୨୦୧୮ରୁ ସେ ଜୈଶ ସହ ନିୟମିତ ଭାବେ ଯୋଗାଯୋଗରେ ଥିବା ପ୍ରଶାନ୍ତ କୁମାର କହିଛନ୍ତି।

ଏଟିଏସ ସୂତ୍ରରୁ ଜଣାପଡ଼ିଛି ଯେ ନଦୀମ ଟେଲିଗ୍ରାମ, ଫେସବୁକ, ମେସେଞ୍ଜର ଓ କ୍ଲବ ହାଉସ ଭଳି ସୋଶାଲ ମିଡିଆ ପ୍ଲାଟଫର୍ମ ଜରିଆରେ ସୀମା ସେପଟେ ରହୁଥିବା ଆକ୍କାମାନଙ୍କ ସହ ଯୋଗାଯୋଗ କରୁଥିଲା। ପାକିସ୍ତାନ ଓ ଆଫଗାନିସ୍ତାନରେ ସକ୍ରିୟ ଥିବା ଜୈଶର ସଦସ୍ୟମାନେ ତା’କୁ ଶାରିରୀକ ତାଲିମ ପାଇଁ ପାକିସ୍ତାନ ଆସିବାକୁ ନିମନ୍ତ୍ରଣ କରିଥିବା କଥା ମଧ୍ୟ ନଦୀମ ସ୍ୱୀକାର କରିଛି।

ନଦୀପ ବୈଧ ଭିସା ଜରିଆରେ ପାକିସ୍ତାନ ଯିବାକୁ ଯୋଜନା କରିଥିଲା। ପାକିସ୍ତାନରେ ପହଞ୍ଚିବା ପରେ ସେଠାରୁ ଇଜିପ୍ଟ, ସିରିୟା ଓ ଆଫଗାନିସ୍ତାନ ଯିବାକୁ ଲକ୍ଷ୍ୟ ରଖିଥିଲା। ଏଟିଏସ ପକ୍ଷରୁ ଭାରତରେ ଥିବା ତା’ର ଅନ୍ୟ ସହଯୋଗୀମାନଙ୍କୁ ଖୋଜିବା ଆରମ୍ଭ ହୋଇଛି।