ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ପାଇଁ ଟଣାଓଟଣା । କେରଳମ୍ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ତ୍ରିମୁଖୀ ଲଢେଇ । ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବର୍ତ୍ତମାନ ତିନୋଟି ପ୍ରମୁଖ ଗୋଷ୍ଠୀ ନିଜ ନିଜର ଦାବି ଉପସ୍ଥାପନ କରୁଛନ୍ତି। ବର୍ତ୍ତମାନର ବିରୋଧୀ ଦଳ ନେତା ଭି.ଡି. ସତୀଶନଙ୍କୁ ବିଜୟର ସୂତ୍ରଧର ଭାବେ ତାଙ୍କ ସମର୍ଥକମାନେ ଉପସ୍ଥାପନ କରୁଛନ୍ତି। ୨୦୨୧ର ପରାଜୟ ପରେ ଦଳରେ ନୂଆ ପ୍ରାଣ ସଞ୍ଚାର କରିଥିବାର ଶ୍ରେୟ ତାଙ୍କୁ ଦିଆଯାଉଛି। ସୋସିଆଲ ମିଡିଆରେ ସତୀଶନଙ୍କ ସମର୍ଥକମାନେ ଜୋର୍ଦାର ଅଭିଯାନ ଆରମ୍ଭ କରିଦେଇଛନ୍ତି। ‘ଯିଏ ଆଗରେ ରହି ଲଢ଼େଇ କରିଛି, ସିଏ ହିଁ ମୁଖ୍ୟମନ୍ତ୍ରୀ ହେବା ଉଚିତ୍’ ବୋଲି ପୋଷ୍ଟର ଜାରି କରାଯାଇଛି।
ବିଧାନସଭାରେ ତାଙ୍କର ପ୍ରଦର୍ଶନ ଏବଂ ଯୁବପିଢ଼ିଙ୍କ ସହ ଯୋଡ଼ି ହେବାର ଶୈଳୀ ତାଙ୍କୁ କଂଗ୍ରେସର ବଡ଼ ଚେହେରା ଭାବେ ପ୍ରତିପାଦିତ କରିଛି। ଅନ୍ୟପକ୍ଷରେ ଅନ୍ୟତମ ବରିଷ୍ଠ ନେତା କେ.ସି. ବେଣୁଗୋପାଳ ନିଜେ ନିର୍ବାଚନ ଲଢ଼ି ନଥିଲେ ମଧ୍ୟ, ଏହି ବିଜୟ ପଛରେ ତାଙ୍କର ବଡ଼ ଭୂମିକା ରହିଛି। ୟୁଡିଏଫ୍ର ରଣନୀତି ଏବଂ ତୃଣମୂଳସ୍ତରର ଯୋଜନାରେ ସେ ମୁଖ୍ୟ ବିନ୍ଧାଣୀ ବୋଲି ଦର୍ଶାଇ ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ସମର୍ଥକମାନେ ଦାବି କରିଛନ୍ତି। ବେଣୁଗୋପାଳଙ୍କ ଜାତୀୟ ସ୍ତରର ପ୍ରଭାବ ଏବଂ ରଣନୀତି ବିନା ୧୦୨ଟି ଆସନ ଜିତିବା ଅସମ୍ଭବ ଥିଲା ବୋଲି ଦାବି କରାଯାଇଛି। ରିପୋର୍ଟ ଅନୁସାରେ, ଅଧିକାଂଶ ନବନିର୍ବାଚିତ ବିଧାୟକ ତାଙ୍କ ସପକ୍ଷରେ ଅଛନ୍ତି ଏବଂ ହାଇକମାଣ୍ଡଙ୍କ ସହ ତାଙ୍କର ନିକଟତା ତାଙ୍କୁ ଦୌଡ଼ରେ ଆଗରେ ରଖିଛି। ଦଳର ଅନ୍ୟତମ ଟାଣୁଆ ନେତା ରମେଶ ଚେନ୍ନିଥାଲା ଅନ୍ୟ ଆଶାୟୀଙ୍କ ସୋସିଆଲ ମିଡିଆ ଟ୍ରେଣ୍ଡକୁ ଭ୍ରୂକ୍ଷେପ ନକରି ନିଜ ଅଭିଜ୍ଞତାକୁ ଆଧାର କରି ନିଜର ଦାବି ଜାରି ରଖିଛନ୍ତି।
ଅନେକ ପ୍ରଭାବଶାଳୀ ସାମାଜିକ ସଂଗଠନଗୁଡ଼ିକର ସମର୍ଥନ ତାଙ୍କ ପଛରେ ରହିଛି। ଚେନ୍ନିଥାଲା ସ୍ପଷ୍ଟ କରିଛନ୍ତି ଯେ, ସରକାର ଚଳାଇବା ପାଇଁ ଅଭିଜ୍ଞତା ଆବଶ୍ୟକ ଏବଂ ସୋସିଆଲ ମିଡିଆ ମୁଖ୍ୟମନ୍ତ୍ରୀ ସ୍ଥିର କରିପାରିବ ନାହିଁ। ଜାତିଗତ ସନ୍ତୁଳନ ଏବଂ ସ୍ଥାୟୀ ସରକାର ପାଇଁ ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ତାଙ୍କ ଗୋଷ୍ଠୀ ଦାବି କରୁଛନ୍ତି। ବରିଷ୍ଠ ନେତାମାନଙ୍କ ଏଭଳି ଆଭିମୁଖ୍ୟ ଦଳ ହାଇକମାଣ୍ଡଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି।
