ଭୁବନେଶ୍ବର (ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ରାଜନୀତିରେ ପୁଣିଥରେ ଝଡ଼ ସୃଷ୍ଟି କରିଛନ୍ତି ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ । ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ପାଇଁ ନବନିର୍ବାଚିତ ବିଧାୟକମାନଙ୍କ ସହ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମମତା କେନ୍ଦ୍ରୀୟ ସଂସ୍ଥା ଓ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି। ଯେଉଁ ସ୍ଥାନରେ ତାଙ୍କ ଦଳର ପ୍ରାର୍ଥୀମାନେ ପରାଜିତ ହୋଇଛନ୍ତି, ସେଠାରେ ସେମାନଙ୍କୁ ଜୋରଜବରଦସ୍ତ ହରାଇ ଦିଆଯାଇଛି ବୋଲି ସେ ଗମ୍ଭୀର ଅଭିଯୋଗ ଆଣିଛନ୍ତି।
“ଯେଉଁମାନେ ହାରିଛନ୍ତି, ସେମାନଙ୍କୁ ଚକ୍ରାନ୍ତ କରି ହରାଇ ଦିଆଯାଇଛି । ମୁଁ ପଶ୍ଚିମବଙ୍ଗ ପୁଲିସ, CRPF, ବିଜେପି ସମର୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନିର୍ବାଚନ କମିଶନଙ୍କୁ ନିନ୍ଦା କରୁଛି। ମୁଁ ସେମାନଙ୍କୁ ନୈତିକ ଭାବେ ହରାଇ ସାରିଛି । ନ୍ୟାୟ ପାଇଁ ଆବଶ୍ୟକ ପଡ଼ିଲେ ଆମେ ଆନ୍ତର୍ଜାତିକ ଅଦାଲତର ଦ୍ୱାରସ୍ଥ ହେବୁ।”
— ମମତା ବାନାର୍ଜୀ
ଟିଏମସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମମତା ଏହି ବୈଠକରେ ବେଶ ଆକ୍ରମଣାତ୍ମକ ମୁଡ୍ରେ ଥିଲେ। ସେ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟା ସ୍ୱଚ୍ଛ ହୋଇନାହିଁ। କେନ୍ଦ୍ରୀୟ ବାହିନୀ ଓ ନିର୍ବାଚନ କମିଶନ ବିଜେପିର ଏଜେଣ୍ଟ ସାଜି କାମ କରିଛନ୍ତି। ରାଜ୍ୟ ପୁଲିସର କିଛି ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସାଧାରଣତଃ ନିର୍ବାଚନୀ ବିବାଦ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସୀମିତ ରହୁଥିବା ବେଳେ, ମମତାଙ୍କ ‘ଆନ୍ତର୍ଜାତିକ ଅଦାଲତ’ (International Court of Justice) ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗଣତନ୍ତ୍ରର ହତ୍ୟା କରାଯାଇଥିବା ଦର୍ଶାଇ ସେ ବିଶ୍ୱସ୍ତରରେ ଏହି ପ୍ରସଙ୍ଗକୁ ଉଠାଇବାକୁ ଚେତାବନୀ ଦେଇଛନ୍ତି। ଏହି ବୈଠକ ପରେ ପଶ୍ଚିମବଙ୍ଗ ରାଜନୀତିରେ ଆଗାମୀ ଦିନରେ ସଂଘାତ ଆହୁରି ତୀବ୍ର ହେବାର ସଙ୍କେତ ମିଳିଛି।
