ଉତ୍କଟ କୋଇଲା ସଙ୍କଟ ପାଇଁ ୬୫୭ଟି ପାସେଞ୍ଜର ଟ୍ରେନ ବାତିଲା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ଅନେକ ରାଜ୍ୟରେ ବିଦ୍ୟୁତ୍ କାଟ ହେଉଛି । ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଂଜାବ, ହରିୟାଣା, ଉତ୍ତରାଖଣ୍ଡ, ବିହାର, ଝାଡ଼ଖଣ୍‌ଡ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଏଥିରେ ସାମିଲ ରହିଛି । ଏହି ରାଜ୍ୟଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିସାରିଥିଲେ ମଧ୍ୟ ବିଦ୍ୟୁତ ୭ରୁ ୮ ଘଣ୍ଟା କାଟି ଦିଆଯାଉଛି । କୁହାଯାଉଛି ଯେ, ରୁଷିଆ-ୟୁକ୍ରେନ୍ ଯୁଦ୍ଧ କାରଣରୁ କୋଇଆ ଆମଦାନୀରେ ପ୍ରଭାବ ପଡୁଛି । ପୂରା ଭାରତରେ ବିଦ୍ୟୁତର ଚାହିଦା ଶୁକ୍ରବାର ଦିନ ୨ଟା ୫୦ରେ ୨,୦୭,୧୧୧ ମେଗାୱାଟ ପର୍ଯ୍ୟନ୍ତ ପହଞ୍ଚି ଯାଇଛି ।

ପାୱାର ପ୍ଲାଣ୍ଟ ପାଖରେ କୋଇଲା ସଂକଟ ଦେଖାଯାଇଥିବାରୁ ବିଦ୍ୟୁତ କାଟ ହେଉଛି । ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ଦେଶର ପ୍ଲାଣ୍ଟରେ ପାଖାପାଖି ୨୨ ମିଲିୟନ ଟନ କୋଇଲା ଅଛି, ଯାହା ୧୦ ଦିନ ପାଇଁ ପର୍ଯ୍ୟାପ୍ତ ଏବଂ ଏହାର ପୂରଣ ଲଗାତାର କରାଯିବ । ଏମିତିରେ ଝାଡ଼ଖଣ୍ଡ, ହରିୟାଣା, ବିହାର, ପଂଜାବ, ମହାରାଷ୍ଟ୍ର ଆଦି ରାଜ୍ୟରେ ଲଗାତାର ବିଦ୍ୟୁତ ସଂକଟ ଦେଖାଯାଇଛି । ଜରୁରୀକାଳୀନ ସେବାରେ ବିଦ୍ୟୁତ କାଟ୍‌କୁ ନେଇ ଦିଲ୍ଲୀ କେନ୍ଦ୍ରକୁ ପତ୍ର ଲେଖିଛି । ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟ ମଧ୍ୟ ସ୍ଥିତିରୁ ବର୍ତ୍ତିବା ପାଇଁ ପଦକ୍ଷେପ ନେଉଛନ୍ତି ।

ସେପଟେ, କୋଇଲାକୁ ନେଇ ଦେଶରେ ଏବେ ଉତ୍କଟ ସଙ୍କଟ ଦେଖାଦେଇଛି । ପାୱାର ପ୍ଲାଣ୍ଟ ପାଖରେ ଠିକ୍ ସମୟରେ କୋଇଲା ପହଞ୍ଚି ପାରୁନାହିଁ | ଫଳରେ ବିଦ୍ୟୁତ ସଙ୍କଟ ସୃଷ୍ଟି ହେଉଛି । ସାରା ଦେଶରେ ଏବେ ଗ୍ରୀଷ୍ମ ଲହର ଜାରି ରହିଥିବା ବେଳେ ବିଦୂତ ସଙ୍କଟ ବୋଝ ଉପରେ ଲଳିତା ବିଡା ସାଜିଛି | ତେଣୁ ଏହି ସଙ୍କଟ ଦୂର କରିବା ପାଇଁ ରେଳ ବିଭାଗ ଟ୍ରେନ ଜରିଆରେ କୋଇଲା ଯୋଗାଣକୁ ପ୍ରାଧାନ୍ୟ ଦେଉଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ରୁଟରେ ଚଳାଚଳ କରୁଥିବା ୬୫୭ଟି ପାସେଞ୍ଜର ଟ୍ରେନ ଗୁଡିକୁ ବାତିଲ କରାଯାଇଛି । କୋଇଲା ଭର୍ତ୍ତି ମାଲବାହୀ ଟ୍ରେନ ଗୁଡିକ ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଲାଗି ଉକ୍ତ ପାସେଞ୍ଜର ଟ୍ରେନଗୁଡିକୁ ବାତିଲ କରିବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଛି ।

ପାୱାର ପ୍ଲାଣ୍ଟ ପାଇଁ ମୋଟ ୫୩୩ କୋଇଲା ରେକ୍(coal rakes) ବୋଝେଇ କରାଯାଇଛି । ବିଦ୍ୟୁତ କ୍ଷେତ୍ର(power sector) ପାଇଁ ଗୁରୁବାର ୪୨୭ ରେକ୍ ବୋଝେଇ ହୋଇଥିଲା । ମୋଟ ୧.୬୨ ମିଲିୟନ ଟନ କୋଇଲା ଏହି କ୍ଷେତ୍ର ପାଇଁ ବୋଝେଇ କରାଯାଉଛି । ବିଦ୍ୟୁତ ସଙ୍କଟ ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ଯୁଦ୍ଧ ଯୋଗୁଁ ଋଷିଆ ଠାରୁ ଗ୍ୟାସ୍ ଆମଦାନୀ ସମ୍ପୂର୍ଣ୍ଣ ଠପ୍ ରହିଛି । ଯଦିଓ ଥର୍ମାଲ ପାୱାର ପ୍ଲାଣ୍ଟରେ ଏବେ ୨୧ ମିଲିୟନ ଟନ କୋଇଲା ଷ୍ଟକ ରହିଛି, ହେଲେ ଏହା କେବଳ ୧୦ ଦିନ ପାଇଁ । କୋଲ ଇଣ୍ଡିଆକୁ ମିଶାଇ ଭାରତ ନିକଟରେ ମୋଟ ୩୦ ଲକ୍ଷ ଟନ କୋଇଲା ଷ୍ଟକ ରହିଛି । ଯାହା ୭୦ ରୁ ୮୦ ଦିନ ଯାଏଁ ବ୍ୟବହାର ହୋଇପାରିବ । ବର୍ତ୍ତମାନ ୨.୫ ବିଲିୟନ ୟୁନିଟ ବିଦ୍ୟୁତର ଦୈନିକ ଉପଭୋଗ ତୁଳନାରେ ୩.୫ ବିଲିୟନ ୟୁନିଟ ବିଦ୍ୟୁତ ଉତ୍ପାଦନ ହେଉଛି । ଦେଶରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଦ୍ୟୁତ ଚାହିଦା ବୃଦ୍ଧି ପାଉଛି |

Related Posts