କରୋନା ମହାମାରୀ ସମୟରେ ଶ୍ରୀ ମନ୍ଦିର ସେବାୟତଙ୍କୁ ମୋଟ ୨୨କୋଟି ୨୩ଲକ୍ଷ ଟଙ୍କା ସହାୟତା ଦିଆ ଯାଇଛି : ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା

କରୋନା ମହାମାରୀ ସମୟରେ ଶ୍ରୀ ମନ୍ଦିର ସେବାୟତଙ୍କୁ ମୋଟ ୨୨କୋଟି ୨୩ଲକ୍ଷ ଟଙ୍କା ସହାୟତା ଦିଆ ଯାଇଛି : ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କରୋନା ମହାମାରୀ ସମୟରେ ଶ୍ରୀ ମନ୍ଦିର ସେବାୟତଙ୍କୁ ୬କୋଟି ୮୮ଲକ୍ଷ ୨୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ପ୍ରତି କିସ୍ତିରେ ୫ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିବାବେଳେ ପ୍ରଥମ ଲହରରେ ୫ଟି କିସ୍ତି ଓ ଦ୍ବିତୀୟ ଲହରରେ ଗୋଟିଏ କିସ୍ତିରେ ଏହି ୬କୋଟି ୮୮ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ବୋଲି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ସୂଚନା ଦେଇଛନ୍ତି।

ବିଧାୟକ ଶଙ୍କର ଓରାମ୍‌ଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସାରକା ସୂଚନା ଦେଇଛନ୍ତି ଯେ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଅଫିସରୁ ମିଳିଥିବା ତଥ୍ୟ ଅନୁଯାୟୀ, କରୋନାର ପ୍ରଥମ ଲହରର ପ୍ରଥମ କିସ୍ତିରେ ୨୧୩୦ ପରିବାରକୁ ୧କୋଟି ୬ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ କିସ୍ତିରେ ୨୨୩୬ଟି ପରିବାରକୁ ୧କୋଟି ୧୧ଲକ୍ଷ ୮୦ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। ହେଲେ ପ୍ରଥମ ଲହରର ୫ମ କିସ୍ତି ଏବଂ ଦ୍ବିତୀୟ ଲହରର ପ୍ରଥମ କିସ୍ତିରେ ୨୪୬୩ଟି ପରିବାରକୁ ୧କୋଟି ୨୩ଲକ୍ଷ ୧୫ହଜାର ଲେଖାଏ ପ୍ରଦାନ କରାଯାଇଥିଲା।

ଏତଦବ୍ୟତୀତ କରୋନା ମହାମାରୀ ସମୟରେ ସଂପୃକ୍ତ ପାଳିଆ ସେବକମାନଙ୍କୁ ୨୦.୦୩.୨୦୨୦ରୁ ୩୦.୦୪.୨୨ ପର୍ଯ୍ୟନ୍ତ ଦୈନନ୍ଦିନ ପାଳିଆ ପୁରସ୍କାର ହିସାବରେ ଅଧିକ ୧୫କୋଟି ୩୫ଲକ୍ଷ ୫୧ହଜାର ୨୪୭ଟଙ୍କା ମଞ୍ଜୁର କରାଯାଇଛି। ଏହିପରି ମୋଟ୍ ୨୨କୋଟି ୨୩ଲକ୍ଷ ଟଙ୍କାର ସହାୟତା ଯୋଗାଯାଇଛି। ସେହିପରି ପ୍ରଥମ ଲହରରେ ୩୩୭.୬୦ଟଙ୍କା ପ୍ରତି ଲିଟର, ଦ୍ବିତୀୟ ଲହରରେ ୩୩୬.୬୦ ପଇସା ପ୍ରତି ଲିଟର ହିସାବରେ ସାନିଟାଇଜର୍ ଯୋଗାଯାଇଛି।

Related Posts